ରୁପ୍ରାରୋଡ କଳାପାହାଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଚାମ୍ପିଅନ ହେଲା ବୋର୍ଡା ଏକାଦଶ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡର କଳାପାହାଡ଼ କ୍ରିକେଟ ଆସୋସିଏସନ ପକ୍ଷରୁ ଚାଲିଥିବା କଳାପାହାଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ସୋମବାର ଏହାର ଫାଇନାଲ ଖେଳ ବୋର୍ଡ଼ା ଏକାଦଶ ଓ କଣ୍ଟାମାଳ ଜିତୁ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ ଜିଣି ବୋର୍ଡା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ୱିକେଟ ହରାଇ ୧୩୨ ରନ କରିଥିଲା। ଜବାବରେ କଣ୍ଟାମାଳ ଏକାଦଶ ଧୂଆଁଧାର ଖେଳ ପ୍ରଦର୍ଶନ କରି ସଂଘର୍ଷ କରିଥିଲେ। ହେଲେ ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ୱିକେଟର ପତନ ହୋଇଥିଲା। ଫଳରେ ୧୩୩ ରନ ର ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇ ମାତ୍ର ୬ ରନରେ ପରାଜିତ ହୋଇଥିଲେ। ବୋର୍ଡା ଏକାଦଶ ଚମ୍ପିୟାନ ହୋଇଥିଲା। ଫାଇନାଲ ମ୍ୟାଚକୁ ଅଜିତ ପଧାନ ଓ ସଞ୍ଜୟ ଭୋଇ ଅମ୍ପାୟର ଭାବରେ ପରିଚାଳନା କରିଥିଲେ। ମାଧବ ମହାଉତି ଓ ନବଜ୍ୟୋତ ମହାନ୍ତି ସ୍କୋର ବୋର୍ଡ ପରିଚାଳନା କରିଥିଲେ। ବିଜୟ କରୁଆଁ ଧାରା ବିବରଣୀ ପ୍ରଦାନ କରିଥିଲେ। ସଚିନ ବଡୋଲା, ରିଙ୍କୁ, ରୋହିତ, ବୁଲୁ, ପୁଷ୍ପା ପ୍ରମୁଖ ଲାଇନ୍ ମ୍ୟାନ ଭାବରେ ସହଯୋଗ କରିଥିଲେ। ମ୍ୟାଚ ଶେଷରେ ରୁପ୍ରାରୋଡ଼ କ୍ରିକେଟ କମିଟିର ସଭାପତି ରିନେଶ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ପୂର୍ବତନ କ୍ରିଡ଼ାବିତ ଭାରତୀ ମହାନ୍ତି ପ୍ରମୁଖ ଯୋଗଦାନ କରି ଖେଳାଳୀ ମାନଙ୍କୁ ମାର୍ଗଦର୍ଶନ ଦେବା ସହ ଉପ ବିଜେତା କଣ୍ଟାମାଳକୁ ଟ୍ରଫି ସହ ନଗଦ ରାଶି ୨୦,୦୦୦ ଟଙ୍କା ଓ ଚାମ୍ପିଅନ ବୋର୍ଡ଼ା କୁ ବିଜୟୀ ଟ୍ରଫି ସହ ୩୦,୦୦୦ ତାଙ୍କ ପ୍ରଦାନ କରିଥିଲେ। ବେଷ୍ଟ ବୋଲର ଓ ବେଷ୍ଟ ଫିଲ୍ଡର ଭାବରେ ବୋର୍ଡା ର ଖଗେ ଙ୍କୁ, ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ଭାବରେ ବୋର୍ଡାର ସିଲୁଙ୍କୁ ଟ୍ରଫି ପ୍ରଦାନ କରିଥିଲେ ଅତିଥି ବୃନ୍ଦ।  ଏହି ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ୮ ଗୋଟି ଜିଲ୍ଲାର ୧୬ ଗୋଟି କ୍ରିକେଟ ଟିମ ଅଂଶ ଗ୍ରହଣ କରିଥିଲେ। ଶୃଙ୍ଖଳିତ ଭାବରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବାରୁ ଆୟୋଜକ କ୍ରିକେଟ କମିଟିର ସଭାପତି ରିନେଶ ଅଗ୍ରୱାଲ, ସାଧାରଣ ସମ୍ପାଦକ ଧୀରେନ୍ଦ୍ର ଖେତନ, ବରିଷ୍ଠ ସଦସ୍ୟ ନୀରଜ ଶର୍ମା, ଚନ୍ଦନ ମହାନ୍ତି ଓ ସଦସ୍ୟମାନେ ବଲବସପୁର କ୍ଲବର ସମସ୍ତ ସଦସ୍ୟ ଏବଂ ଅଞ୍ଚଳବାସୀ ଜନ ସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.