ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବେଲମ୍ବା ଗାଁର ବିଧବା ଆଦିବାସୀ ମହିଳା ଫୁଲ ମାଝୀ ୧୩୨ କେଭି ବିଦ୍ୟୁତ ତାର ଆଘାତରେ ମୃତ୍ୟୁବରଣ କରିବା ଘଟଣା ବାବଦରେ ଜାତୀୟ ମାନବାଧିକାର କମିଶନ କଳାହାଣ୍ଡି ଜିଲ୍ଲାପାଳ ଏବଂ ରାଜ୍ୟ ଶକ୍ତି ସଚ୍ଚିବଙ୍କ ଠାରୁ ୨ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି। ଏହା କମିଶନଙ୍କର ୨ୟ ନୋଟିସ। ଗତ ୨୫ ସେପ୍ଟେମ୍ବର ୨୦୨୫ ରେ କମିଶନ ପ୍ରଥମ ନୋଟିସ ଜାରି କରି ଦୁଇ ଅଧିକାରୀଙ୍କ ଠାରୁ ରିପୋର୍ଟ ମାଗିଥିଲେ। କିନ୍ତୁ ଏହାକୁ ଅଣଦେଖା କରି ଅଧିକାରୀ ଦ୍ବୟ କୌଣସି ରିପୋର୍ଟ ଆଜିପର୍ଯ୍ୟନ୍ତ ଦାଖଲ କରିନଥିବାରୁ କମିଶନ ଅସନ୍ତୋଷ ବ୍ୟକ୍ତ କରିବା ସହିତ ୨୦ ଜାନୁଆରୀ ୨୦୨୬ ରେ ଦ୍ଵିତୀୟ ନୋଟିସ ଜାରି କରି ଆସନ୍ତା ୧୩ ଫେବୃଆରୀ ୨୦୨୬ ତାରିଖ ମଧ୍ୟରେ ସବିଶେଷ ବିବରଣୀ ଦାଖଲ କରିବା ପାଇଁ ଦୁଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ୧୩ ଫେବୃଆରୀ ସୁଦ୍ଧା ରିପୋର୍ଟ ଦାଖଲ ନକଲେ ମାନବ ଅଧିକାର ସୁରକ୍ଷା ଆଇନ -୧୯୯୩ ର ଧାରା -୧୩ ଅନୁଯାଇ କମିଶନ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି। କଳାହାଣ୍ଡିର ମାନବ ଅଧିକାର କର୍ମୀ ଦିଲ୍ଲୀପ କୁମାର ଦାସଙ୍କ ପକ୍ଷରୁ ଦାୟର ଏହି ମାମଲା (କେସ ନମ୍ବର : ୩୫୮/୧୮ /୬/୨୦୨୫) ର ଶୁଣାଣି ୨୦ ଜାନୁଆରୀ ୨୦୨୬ ରେ ହୋଇଥିଲା। ରିପୋର୍ଟ ଆସି ନଥିବାରୁ କମିଶନ ଏହି ନୋଟିସ ଜାରି କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ,ବାତେଲିମା ପଂଚାୟତର ବେଲମ୍ବା ଗ୍ରାମର ବିଧବା ମହିଳା ଫୁଲ ମାଝୀ ୧୬ ଏପ୍ରିଲ ୨୦୨୫ ରେ ଏକ ଗଛରୁ ଶାଗ ତୋଳୁଥିବା ସମୟରେ ଛିଣ୍ଡି ପଡିଥିବା ୧୩୨ କେ:ଭି ବିଦ୍ୟୁତ ତାରର ଆଘାତରେ ପ୍ରାଣ ହରେଇଥିଲେ। ଫୁଲ ମାଝୀଙ୍କ ମୃତ୍ୟୁ ପରେ ତାଙ୍କର ୪ ନାବାଳକ ସନ୍ତାନଙ୍କ ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଛି।ପ୍ରକାଶିତ ଖବରକୁ ଆଧାର କରି ଦିଲ୍ଲୀପ କୁମାର ଦାସ କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ କରି ପୀଡିତ ଶିଶୁ ମାନଙ୍କୁ ୩୦ ଲକ୍ଷ ତାଙ୍କ କ୍ଷତିପୂରଣ ଦେବାକୁ ଓ ତା ସହିତ ଅବହେଳା ପ୍ରଦର୍ଶନ କରିଥିବା ଟାଟା ପାୱାର କମ୍ପାନୀ ଏବଂ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଦଣ୍ଡବିଧାନ ପାଇଁ ଦାବି ଜଣାଇଛନ୍ତି।





