ଯୁବ କଂଗ୍ରେସ ନେତାଙ୍କ ଗୁଳିବିଦ୍ଧ ଶରୀର ଉଦ୍ଧାର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସହରର ବଡ଼ବଜାର ଭଗବତୀ ପ୍ଲଟ୍ ନିବାସୀ ତଥା ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ରାଜା ମିଶ୍ର (୪୦)ଙ୍କ ଗୁଳିବିଦ୍ଧ ଶରୀର ତାଙ୍କ ଘରୁ ଉଦ୍ଧାର ହୋଇଛି। ସୋନପୁରର ପୂର୍ବତନ ବିଧାୟକ ବିନୋଦ ପାତ୍ରଙ୍କ ଅତି ବିଶ୍ଵସ୍ତ ତଥା ଖାସ ସହଯୋଗୀ ତଥା ଜିଲ୍ଲା କଂଗ୍ରେସ ର କୋଷାଧ୍ୟକ୍ଷ ରାଜେଶ ମିଶ୍ର (ରାଜା) ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଏବଂ ଟାଣୁଆ ଯୁବ ନେତା ଭାବରେ ସହରରେ ବେଶ ଜଣାଶୁଣା ଥିଲେ। ସେ ଛାତ୍ର ସମୟରୁ କଂଗ୍ରେସ ଦଳରେ ଜଡ଼ିତ ଥିଲେ। ଖୁବ୍ ଶାନ୍ତ ମେଳାପି ଓ ସହରର ପ୍ରିୟ ଭାଜନ ଥିଲେ ସେ। ଏହି ଘଟଣା ବିଳମ୍ବିତ ରାତ୍ରୀରେ ପ୍ରାୟ ୧୨ ଟା ରୁ ଗୋଟାଏ ଭିତରେ ଘଟିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ସୁବର୍ଣ୍ଣପୁର ଡିଏସପି ରେଣୁକା ସୁନା ପୋଲିସ ଟିମ୍ ସହ ପ୍ରଥମେ ରାତ୍ର ୩.୩୦ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପରେ ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ଛାନଭିନ୍ କରୁଛି। ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି ସେ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ନିଜକୁ ମୁଣ୍ଡରେ ୨/୩ ରାଉଣ୍ଡ ଗୁଳି କରିଥିବା ପୋଲିସ ଅନୁମାନ କରୁଛି। ସକାଳୁ ସକାଳୁ ଏହି ଘଟଣା ଜଣାପଡିବା ପରେ ଘଟଣା ସ୍ଥଳରେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ସୁଧୀର ପଣ୍ଡା, ପ୍ରିୟବ୍ରତ ସାହୁଙ୍କ ସହ କଂଗ୍ରେସ ଦଳର କର୍ମକର୍ତ୍ତା ତଥା ଜିଲ୍ଲା ବିଜେପି ଓ ବିଜେଡିର ଅନେକ ନେତୃବୃନ୍ଦ, ମାନ୍ୟ ଗଣ୍ୟ ବ୍ୟକ୍ତି ପହଞ୍ଚି ଥିବା ବେଳେ ତାଙ୍କ ବାସଭବନ ଆଗରେ ଲୋକାରଣ୍ୟ ହୋଇପଡିଛି। ସେ ଶୃଙ୍ଖଳିତ ବ୍ୟକ୍ତିତ୍ଵର ଅଧିକାରୀ ହୋଇଥିବା ବେଳେ ଏହି ଘଟଣାକୁ ଲୋକେ ସହଜ ରେ ବିଶ୍ୱାସ କରି ପାରୁନାହାନ୍ତି। ସହରରେ ଶୋକର ଛାୟା ଖେଳିଯାଇଛି। ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ୍ ଆସି ଅଧିକ ତଦନ୍ତ ସାରିଥିବା ବେଳେ ପୋଷ୍ଟମର୍ଟମ କରାଯିବା ପରେ ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଥିବା ଡିଏସପି ରେଣୁକା ସୁନା ସୂଚନା ଦେଇଛନ୍ତି। ସେପଟେ ସ୍ଥାନୀୟ ରାମେଶ୍ବର ଶ୍ମଶାନରେ ସନ୍ଧ୍ୟାବେଳେ ତାଙ୍କ ଶବ ସତ୍କାର କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.