
ଶ୍ରୀ ଜଗଦାନନ୍ଦଜୀ
ସରସ୍ଵତୀ ମୟା ଦୁଷ୍ଟା ବୀଣା ପୁସ୍ତକ ଧାରିଣୀ
ହଂସ ବାହନ ସଂଯୁକ୍ତ ବିଦ୍ୟାଦାନ କରୋତୁ ମେ ।।
ମା ସରସ୍ଵତୀ ହେଉଛନ୍ତି ହିନ୍ଦୁ ଧର୍ମର ଏକ ମୁଖ୍ୟ ଦେବୀ । ସରସ୍ଵତୀଙ୍କୁ ଜ୍ଞାନ, ସଙ୍ଗୀତ ଓ କଳା ର ଅଧିଷ୍ଠାତ୍ରୀ ଦେବୀ ବୋଲି ପରିଗଣିତ କରାଯାଏ। ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟା ର ଉତ୍ସ ବା ପ୍ରକାଶ ରୂପ। ପାରମ୍ପରିକ ରୂପରେ ସରସ୍ଵତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣ ରେ ରତ୍ନ ବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜ ମୋତି ମୁକ୍ତା ର ହାର ଏବଂ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନ ରେ ଶ୍ୱେତ ପଦ୍ମ ଉପରେ ବିରାଜିତା ହୁଅନ୍ତି। ଓଡ଼ିଆ ଭାଷା ରେ ବାଣୀ ବୋଲି ମଧ୍ୟ କୁହାଯାଏ। ତାଙ୍କର ଅନ୍ୟ ନାମ ସବୁ ହେଲା ବୀଣା ପୁସ୍ତକ ଧାରିଣୀ, ବାଗଦେବୀ,ବରଦା ଇତ୍ୟାଦି।ମା’ ଶୁକ୍ଳ ବସ୍ତ୍ର ପରିହିତା, ବୀଣା ପୁସ୍ତକ ହସ୍ତରେ ହଂସ ରୁଢା। ମା ବିଦ୍ୟାର୍ଥୀ ଙ୍କୁ ଓ ସଙ୍ଗୀତ ସାଧକ ଙ୍କୁ ଅଶେଷ କୃପା ପ୍ରଦାନ କରନ୍ତି। ମା ସରସ୍ଵତୀ ବାଗଦେବୀ। ସମସ୍ତଙ୍କୁ ସଦବୁଦ୍ଧି ସହ ସତବଚନ ର ଆଶୀର୍ବାଦ ପ୍ରଦାନ କରିଥାନ୍ତି। ମା ଙ୍କୁ ଶବ୍ଦ ବ୍ରହ୍ମ ରେ ସ୍ତୁତି କଲେ ପ୍ରସନ୍ନ ହୋଇଥାନ୍ତି। କାଳିଦାସ ଙ୍କ କଣ୍ଠରୁ ବାହାରିଥିବା ସ୍ତୁତି ସୁନ୍ଦର ଲାଗି ଥାଏ।
‘କଜ୍ବଳ ପୂରିତ ଲୋଚନ ଧାରେ, ସ୍ତନ ଯୁଗ ଶୋଭିତ ମୁକୁତା ହାରେ। ବୀଣା ପୁସ୍ତକ ରଞ୍ଜିତ ହସ୍ତେ, ଭଗବତୀ ଭାରତୀ ଦେବୀ ନମସ୍ତେ।। ଅଇଲେ ସରସ୍ଵତୀ ନିର୍ମଳ ମନେ, ରତ୍ନ ବିଭୂଷିତ କୁଣ୍ଡଳ କର୍ଣ୍ଣେ। ଗଳାରେ ଗଜମୋତି ମୁକୁତା ହାର, ଦିଅ ମା ସରସ୍ଵତୀ ବିଦ୍ୟା ଭଣ୍ଡାର।।’
ଦେବୀ ସରସ୍ଵତୀ ହିନ୍ଦୁ ଧର୍ମର ପ୍ରମୁଖ ଦେବୀ ମାନଙ୍କ ମଧ୍ୟରୁ ଅନ୍ୟତମ। ଯାହାଙ୍କୁ କି ଜ୍ଞାନ ଏବଂ ବିଦ୍ୟା ର ଦେବୀ ବୋଲି କୁହାଯାଇଥାଏ। ସେ ମୂର୍ଖ ବ୍ୟକ୍ତି ଙ୍କୁ ମଧ୍ୟ ବିଦ୍ୱାନ କରି ଦେଇଥାନ୍ତି। ଯାହାକି ଆମର ପୁରାଣ ଶାସ୍ତ୍ର ମାନଙ୍କରେ ଅନେକ ଗୁଡ଼ାଏ ଉଦାହରଣ ପରିଲକ୍ଷିତ ହୋଇ ସାରିଛି। ସରସ୍ଵତୀ ଶବ୍ଦ ର ମୂଳ ଅର୍ଥ ହେଲା – ସ୍ଵତଃ+ ବତୀ ଅର୍ଥାତ୍ ପ୍ରସରଣ ଯାହାଙ୍କର ଅଛି। ଅଜ୍ଞାନ ଅନ୍ଧକାର ମଧ୍ୟରୁ ତେଜୋମୟ ଦିବ୍ୟଧାମକୁ ବାଟ କଢାଇ ନେବାରେ ସେ ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ। ସେ ସ୍ରୋତସ୍ଵତୀ ପରି ପ୍ରବାହମାନ , ଜ୍ଞାନ ର ଅଧିଷ୍ଠାତ୍ରୀ ଦେବୀ।ସେ ହେଉଛନ୍ତି ବାକ୍ୟ ର ଦେବୀ ବାଗଦେବୀ, ବୀଣା, ଶାରଦା। ମାଁ ଯୋଗମାୟା ଆଦ୍ୟାଶକ୍ତି ଙ୍କ କଣ୍ଠ ରୁ ସରସ୍ଵତୀ ସମ୍ଭୂତା ବୌଦ୍ଧ ଧର୍ମ ଓ ଜୈନ ଧର୍ମ ରେ ମଧ୍ୟ ସେ ସମା ଭାବେ ପୂଜିତା ପୁରାଣ ଶାସ୍ତ୍ର ମାନଙ୍କରେ ବସନ୍ତ ପଞ୍ଚମୀ ସମ୍ବନ୍ଧରେ ଅନେକ କାହାଣୀ ଅଛି। ଉପନିଷଦ ରେ ବର୍ଣ୍ଣିତ ଏକ କାହାଣୀ ଅନୁଯାୟୀ, ସୃଷ୍ଟି ଆରମ୍ଭ ସମୟରେ ଭଗବାନ ବିଷ୍ଣୁ ଙ୍କ ଠାରୁ ଆଜ୍ଞା ପାଇ ସୃଷ୍ଟି କର୍ତ୍ତା ବ୍ରହ୍ମା ମନୁଷ୍ୟ ଯୋନି ର ରଚନା କରିବା ସହ ସମସ୍ତ ଜୀବ ସୃଷ୍ଟି କରିଥିଲେ। କିନ୍ତୁ ବ୍ରହ୍ମା ନିଜର ସର୍ଜନା ରେ ସନ୍ତୁଷ୍ଟ ନ ଥିଲେ। କାରଣ କାହାର ବି ବାକ ଶକ୍ତି ନ ଥିଲା। ତେଣୁ ବିଶ୍ଵ ବ୍ରହ୍ମାଣ୍ଡ ଥିଲା ନୀରବ ଓ ନିସ୍ତବ୍ଦ। ଅନେକ ଚିନ୍ତା କରିବା ପରେ ସମସ୍ୟାର ସମାଧାନ ପାଇଁଁ ବ୍ରହ୍ମା ପ୍ରଭୁ ବିଷ୍ଣୁ ଙ୍କୁ ସ୍ମରଣ କରିଥିଲେ ଏବଂ ସୃଷ୍ଟି ର ନିରାଶା ସମ୍ବନ୍ଧରେ ଜ୍ଞାତ କରାଇ ନିଜେ ମଧ୍ୟ ନିରାଶ ଥିବା ର ଆଲୋଚନା କରିଥିଲେ। ଅନେକ ବିଚାର ବିମର୍ଶ କରିବା ପରେ ବ୍ରହ୍ମା ନିଜ ର କମଣ୍ଡଳୁ ଜଳ ପୃଥିବୀ ଉପରେ ଛିଞ୍ଚି ଥିଲେ, ଫଳରେ ପୃଥିବୀ ରେ କମ୍ପନ ହେବା ସହ ଅଦ୍ଭୁତ ଶକ୍ତି ରୂପରେ ଚତୁର୍ଭୁଜା ବିଶିଷ୍ଟା ଜଣେ ସୁନ୍ଦରୀ ନାରୀ ପ୍ରକଟ ହୋଇଥିଲେ। ତାଙ୍କର ଗୋଟିଏ ହାତରେ ଥିଲା ବୀଣା ଏବଂ ଅନ୍ୟ ହାତ ଆଶୀର୍ବାଦ ମୁଦ୍ରା ରେ ରହିଥିଲା। ସେହିଭଳି ଅନ୍ୟ ଦୁଇ ହସ୍ତରେ ସେ ପୁସ୍ତକ ଏବଂ ମାଳି ଧାରଣ କରି ଥିଲେ। ବୀଣା ଧାରଣ କରିଥିବାରୁ ସାଙ୍ଗେ ସାଙ୍ଗେ ବ୍ରହ୍ମା ତାଙ୍କୁ ବୀଣା ବାଦନ କରିବାକୁ କହିଥିଲେ। ଏହା ପରେ ଦେବୀ ସରସ୍ଵତୀ ଙ୍କ ବୀଣା ର ମଧୂର ଧ୍ଵନୀ ରୁ ସଂସାର ର ସମସ୍ତ ଜୀବଜନ୍ତୁଙ୍କୁ ବାଣୀ ବା ବାକ ଶକ୍ତି ପ୍ରାପ୍ତ ହୋଇଥିଲା ଓ ଚାରି ଆଡେ଼ ଚଂଚଳତା ଶୋଭା ପାଇଥିଲା। ନଦୀ ଝରଣା ସବୁ କଳ କଳ ନାଦରେ ବହିବାକୁ ଲାଗିଲେ। ପ୍ରକୃତି ର ଅପୂର୍ବ ଶୋଭା ରେ ହସି ଉଠିଲା ସାରା ସଂସାର। ତେଣୁ ବ୍ରହ୍ମା ସନ୍ତୁଷ୍ଟ ହୋଇ ସୁନ୍ଦରୀ ନାରୀ ଙ୍କ ନାମ ଦେଇଥିଲେ ସରସ୍ଵତୀ। ପୁରାଣ ଅନୁଯାୟୀ, ଭଗବାନ ଶ୍ରୀ କୃଷ୍ଣ ମା ସରସ୍ଵତୀ ଙ୍କ ଉପରେ ପ୍ରୀତ ହୋଇ ବସନ୍ତ ପଞ୍ଚମୀ ଦିନକୁ ସରସ୍ଵତୀ ଙ୍କ ଜନ୍ମ ଦିବସ ଭାବେ ପାଳନ କରିବାକୁ ବରଦାନ ଦେଇଥିଲେ ।
ଶ୍ରୀ ପଞ୍ଚମୀ ପୌରାଣିକ ମାନ୍ୟତା ଅନୁସାରେ ବୁଦ୍ଧି ବିଦ୍ୟା ର ଅଧିଷ୍ଠାତ୍ରୀ ଦେବୀ ମା ସରସ୍ଵତୀ ଙ୍କ ର ପୂଜା ର ଦିନ। ଏହି ଦିନ ମା ଙ୍କ ସର୍ଜନା ହୋଇଥିଲା ମାଘ ଶୁକ୍ଳ ପଞ୍ଚମୀ ତିଥି ରେ ପାଳନ ହୁଏ ପବିତ୍ର ସରସ୍ଵତୀ ପୂଜା । ବିଦ୍ୟାଦାତ୍ରୀ ମା ସରସ୍ଵତୀ ଙ୍କ ପୂଜା ଅତ୍ୟନ୍ତ ପବିତ୍ର ଓ ବେଦ ସମ୍ମତ ଅଟେ। ଋତୁରାଜ ବସନ୍ତ ମନ୍ଦ ମଳୟରେ ଫୁଲର ସୁରଭି ଭରି ସ୍ବାଗତ କରେ ବିଦ୍ୟା ଦାୟିନୀ ମା ସରସ୍ଵତୀ ଙ୍କୁ ମାଘ ଶୁକ୍ଳ ପଞ୍ଚମୀ ରେ। ହିନ୍ଦୁ ସଂସ୍କୃତି ରେ ମା ସରସ୍ୱତୀ ଙ୍କୁ ସିଦ୍ଧିଦାତ୍ରୀ, କଳା ର ଅଧିଷ୍ଠାତ୍ରୀ ତଥା ବିଦ୍ୟା ଦାୟିନୀ ଭାବରେ ପୂଜା କରା ଯାଏ। ଜଣେ ମଙ୍ଗଳ କାରିଣୀ ଦେବୀ ଭାବେ ପୂଜିତା ମା ବିଦ୍ୟା ଦାୟିନୀ ଙ୍କୁ ବିଶେଷ କରି ବିଦ୍ୟାର୍ଥୀ, କଳାକାର, ସଙ୍ଗୀତକାର, ଲେଖକ ତଥା କବି ମାନେ ଉପାସନା କରିବା ସହ ପୂଜାର୍ଚ୍ଚନା କରିଥାନ୍ତି।
କଣ୍ଠ ରେ ସରସ୍ୱତୀ ବିରାଜମାନ କଲେ ବ୍ୟକ୍ତି ଉତ୍ତମ ଗାୟକ ହୋଇ ପାରିବେ ବୋଲି ମଧ୍ୟ ବିଶ୍ୱାସ ରହିଛି। ତେଣୁ ସମସ୍ତେ ସରସ୍ୱତୀ ପୂଜା ଦିନ ମା ‘ ଙ୍କର ଆଶୀର୍ବାଦ ଲୋଡ଼ି ଥାନ୍ତି। ପ୍ରାତଃ କାଳରୁ ସ୍ନାନାଦି କାର୍ଯ୍ୟ ସାରି ହଳଦିଆ ରଙ୍ଗ ର ବସ୍ତ୍ର ପରିଧାନ ସହିତ କଳସ ସ୍ଥାପନା କରି ଅଗ୍ର ପୂଜ୍ୟ ଶ୍ରୀ ଗଣେଶ ଙ୍କ ପୂଜା ପରେ ମା ‘ ଙ୍କ ର ମୂର୍ତ୍ତି ପ୍ରତିଷ୍ଠା କରି ଧୂପ, ଦୀପ ଅର୍ଘ୍ୟ ଅର୍ପଣ କରନ୍ତୁ। ମା ଶ୍ୱେତ ବସ୍ତ୍ର ଧାରଣ କରୁଥିବାରୁ ପ୍ରତିମା ଙ୍କୁ ମଧ୍ୟ ଧଳା ରଙ୍ଗ ର ବସ୍ତ୍ର ପରିଧାନ କରାନ୍ତୁ। କ୍ଷୀର ରେ ପ୍ରସ୍ତୁତ ହୋଇଥିବା ମିଠା ମା ଙ୍କୁ ଭୋଗ ଲଗାଇ ପ୍ରଣାମ କରି ମା ଙ୍କ ଆଶୀର୍ବାଦ ନିଅନ୍ତୁ, ଦେଖିବେ ସବୁ ମନୋବାଞ୍ଛା ପୂରଣ ହେବ। କୁନ୍ଦ ପୁଷ୍ପ ମା ସରସ୍ୱତୀ ଙ୍କ ର ଅତି ପ୍ରିୟ । ମା’ ସରସ୍ୱତୀ ଙ୍କ ପୂଜା ଆରାଧନା ରେ ଦହି, ଧଳା ଫୁଲ, ଚନ୍ଦନ, ଆଖୁ, କ୍ଷୀରି, ଧଳା ବସ୍ତ୍ର ମୋତି, ରୂପା, ଧଳା ମାଳି, ଅଳଙ୍କାର, ଅଦା, ଅଁଳା, ଘିଅ, ନଡ଼ିଆ, ଋତୁ ଫଳ ସ୍ୱରୂପ ବରକୋଳି ଅର୍ପଣ କରା ଯାଇଥାଏ। ଦୁଇ ହାତ ଯୋଡ଼ି କରି ମା ସରସ୍ୱତୀ ଙ୍କ ଧ୍ୟାନ କରି ମନ ମଧ୍ୟରେ ହେ ଭଗବତୀ ସରସ୍ୱତୀ ଆପଣ ସରସ୍ୱତୀ ପ୍ରଦାନ କରନ୍ତି, ବିଦ୍ୟା ର ଅଧିଷ୍ଠାତ୍ରୀ ଦେବୀ ଅଟନ୍ତି, ପଦ୍ମ ସମାନ ଆଖି, ବ୍ରହ୍ମାଣ୍ଡ ସ୍ୱରୂପା, ଭଗବତୀ ପାର୍ବତୀ ଙ୍କ ସମାନ ଶକ୍ତିମୟୀ, ଆପଣଙ୍କୁ ମୁଁ ବାରମ୍ବାର ପ୍ରଣାମ କରୁଛି, ଆପଣ ମୋତେ ବିଦ୍ୟା ରେ ପ୍ରବୀଣତା ପ୍ରଦାନ କରନ୍ତୁ। ମାନ୍ୟତା ରହିଛି, ଏହିଦିନ କାମଦେବ ପତ୍ନୀ ରତି ଦେବୀ ଙ୍କ ସହ ପୃଥିବୀ ପୃଷ୍ଠ କୁ ଆଗମନ କରିଥାନ୍ତି। ଏଣୁ ଯେଉଁ ପତି ପତ୍ନୀ ଏହିଦିନ କାମଦେବ ଓ ରତି ଙ୍କୁ ପୂଜା କରିଥାନ୍ତି ସେମାନଙ୍କ ବୈବାହିକ ଜୀବନ ଖୁସିରେ କଟି ଥାଏ। ଏହି ଦିନ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କୁ ମଧ୍ୟ ପୂଜା କରିବାର ବିଧି ପରମ୍ପରା ରହିଛି।
ସଂସ୍କୃତି ଗବେଷକ
ଜୟପୁର
ମୋ:୯୪୩୭୨୩୬୫୭୫





