ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ପାଇଁ ଗୁହାରୀ
ଦୁଇ ନାବାଳିକା ଶିଶୁ କନ୍ୟାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ସଙ୍ଗିତା
ଓଡ଼ିଆ ବାର୍ତ୍ତା/ ସିନାପାଲି (ଲକ୍ଷ୍ମୀକାନ୍ତ ହଂସ): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡ଼ା ନିବାସୀ କୀର୍ତ୍ତନ ବାଗ କ୍ୟାନ୍ସର ପୀଡ଼ିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡିଛି। ଆଜକୁ ପ୍ରାୟ ଛଅ ମାସ ହେଲା ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବା ପରେ ଅର୍ଥାଭାବରୁ ବର୍ତ୍ତମାନ ସେ ଅସହାୟ ସୋଇପଡିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ଯୋଗାଇ ଦେବାକୁ ସେ ଆକୁଳ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ସ୍ଵାମୀ ଓ ଦୁଇ ନାବାଳିକା ଶିଶୁ କନ୍ୟାର ଭବିଷ୍ୟତକୁ ନେଇ ସ୍ତ୍ରୀ ସଙ୍ଗୀତା ଉପାୟ ଶୂନ୍ୟ ହୋଇ ଭାଙ୍ଗି ପଡିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ପ୍ରାୟ ଛଅ ମାସ ତଳେ କୀର୍ତ୍ତନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା। ତାଙ୍କ ଗଳାରେ ଦରଜ ହେବା ସହ ଉଭୟ ପାର୍ଶ୍ବରେ ଗୁଲମି ବଢ଼ି ଉଠିଥିଲା। ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲ ବୁଲିବା ପରେ ତାଙ୍କୁ କ୍ୟାନ୍ସର ହୋଇଥିବା ଜଣାପଡିଥିଲା। କ୍ୟାନ୍ସର ହୋଇଥିବା ଜାଣି ସେ ଅସହାୟ ହୋଇପଡ଼ିଥିଲା। ଅର୍ଥାଭାବରୁ ଚିକିତ୍ସା ହୋଇନପାରି ମୁଣ୍ଡରେ ହାତ ଦେଇ ବସିଥିଲା। ପରେ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା କାର୍ଡ ମଧ୍ୟରେ ଛତିଶଗଡ ରାୟପୁର ସ୍ଥିତ ବାଲାଜୀ ଏବଂ ପରେ ସଂଜୀବନୀ ହସ୍ପିଟାଲରେ ଅପରେସନ ହୋଇ ଚିକିତ୍ସା ହୋଇଥିଲା। ସେଠାରେ ସଫଳ ଅସ୍ତ୍ରୋପଚାର ଯୋଗୁଁ ସେ ସୁସ୍ଥ ହୋଇ ନିରାପଦ ମନେ କରିଥିଲା ସତ ହେଲେ ବର୍ତ୍ତମାନ ପୁଣି ମୃତ୍ୟୁ ସହ ସଂଗ୍ରାମ କରୁଛି କୀର୍ତ୍ତନ। ସ୍ବାସ୍ଥ୍ୟ ବୀମା ଯୋଜନା କାର୍ଡରୁ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ସହାୟତା ଥିବା ବେଳେ ପ୍ରାୟ ସବୁତକ ସରିଯାଇଥିବା ସେ ପ୍ରକାଶ କରିଛନ୍ତି। ଇତି ପୂର୍ବରୁ ସିନାପାଲି ବ୍ଲକରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଲିଖିତ ଭାବେ ଜଣାଇବା ପରେ ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।ବର୍ତ୍ତମାନ ଟଙ୍କା ଯୋଗାଡ କରି ଚିକିତ୍ସିତ ହେବା ସମ୍ଭବ ନୁହେଁ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଲେ ଚିକିତ୍ସିତ ହୋଇ ଆରୋଗ୍ୟ ହୋଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ କୀର୍ତ୍ତନ ଜଣେ ବିପିଏଲ ପରିବାର ଅନ୍ତର୍ଭୁକ୍ତ ହୋଇଥିବା ବେଳେ କୁଲି ମଜୁରୀ କରି ଚଳନ୍ତି। ପରିବାର କହିଲେ ସ୍ତ୍ରୀ ସଙ୍ଗୀତା (୪୦) ଏବଂ ଦୁଇ ନାବାଳିକା ଝିଅ ମେହେକ୍ (୯) ଓ ବୈଷ୍ଣବୀ(୬)। ଜମିବାଡ଼ି କହିଲେ କିଛି ନାହିଁ। ସମ୍ପତ୍ତି କହିଲେ ରାସନ୍ କାର୍ଡ ଖଣ୍ଡିକ। ଏପରି ପରିସ୍ଥିତିରେ ସ୍ତ୍ରୀ ସଙ୍ଗୀତା ମୁଣ୍ଡରେ ହାତ ଦେଇ ଆଖିରେ ଲୁହ ଝରାଇ ବସିଛନ୍ତି। ସରକାର ସହାୟ ନହେଲେ ସ୍ଵାମୀ ଓ ଦୁଇ କୁନି ଝିଅଙ୍କୁ କେମିତି ବଞ୍ଚାଇବେ ସେନେଇ କୋହ ଭରା କଣ୍ଠରେ ଗୁହାରୀ କରିଛନ୍ତି। ପ୍ରଶାସନ ଏଦିଗରେ ତୁରନ୍ତ ଦୃଷ୍ଟି ଦେଇ କୀର୍ତ୍ତନ ବାଗଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି।





