କବି, ଚିତ୍ରଶିଳ୍ପୀ ଡା. ଦୀନବଂଧୁ ସାହୁଙ୍କ ହିନ୍ଦୀ ଅନୂଦିତ କାବ୍ୟଗ୍ରନ୍ଥ ‘ଜୀବନଭୋଗ’ ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ଭବାନୀପାଟଣା ଠାରେ ମା’ ମାଣିକେଶ୍ୱରୀଙ୍କ ମନ୍ଦିର ତଥା କଳାହାଣ୍ଡି ରାଜପ୍ରାସାଦ ପରିସରସ୍ଥ ସଭାମଣ୍ଡପରେ ‘କଳାୟନ’ ଦ୍ବାରା ପ୍ରକାଶିତ ବିଶିଷ୍ଟ ସାହିତ୍ୟିକ, ଚିତ୍ରଶିଳ୍ପୀ ତ‌ଥା ଅନୁବାଦକ ପଦ୍ମଶ୍ରୀ ବିଦ୍ୟା ବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତାଙ୍କ ଦ୍ୱାରା ହିନ୍ଦୀ ଭାଷାରେ ଅନୁବାଦିତ କବି, ଚିତ୍ରଶିଳ୍ପୀ ତଥା ଚିକିତ୍ସକ ଡା. ଦୀନବଂଧୁ ସାହୁଙ୍କ ନବମ କାବ୍ୟଗ୍ରନ୍ଥ ‘ଜୀବନଭୋଗ’ ମହାରାଜା ଅନନ୍ତ ପ୍ରତାପ ଦେଓ, ମହାରାଣୀ ରିତୁଜା ଦେବୀଙ୍କ ଦ୍ବାରା ଶୁଭ ଉନ୍ମୋଚିତ ହୋଇଯାଇଛି । 

ବିଶିଷ୍ଟ ବାଗ୍ମୀ, ନାଟ୍ୟକାର ଡ. ଉମେଶ ଚନ୍ଦ୍ର ଶତପଥୀ, ସାହିତ୍ୟିକ ଡ. ଦାଶରଥି ଆଚାର୍ଯ୍ୟ, ଗବେଷକ ପରମେଶ୍ୱର ମୁଣ୍ଡ, ଅଧ୍ୟାପିକା ଡ. ପ୍ରତ୍ୟାଶା ଧଳ, ହିନ୍ଦୀ ଅଧ୍ୟାପକ ଗୋବିନ୍ଦ ନାଏକ, ଯୁବ ଗାଳ୍ପିକ ଡିଲେଶ୍ଵର ରଣା ଆଦି ମଂଚାସୀନ ଅତିଥିଙ୍କ ଗହଣରେ ଉନ୍ମୋଚିତ ଏହି ପୁସ୍ତକଟି ପଶ୍ଚିମା ପବ୍ଲିକେସନ୍ସ ଦ୍ୱାରା ପ୍ରକାଶିତ ମୂଳ ଓଡିଆ ବହି ‘ଜୀବନଭୋଗ’ର ହିନ୍ଦୀ ରୂପାନ୍ତର । 

ପ୍ରକାଶିତ ପୁସ୍ତକଟିରେ ପଚାଶଟି ଜୀବନଧର୍ମୀ କବିତା ସନ୍ନିହିତ ଥିବା ବେଳେ ମୁଖ୍ୟତଃ ଏହା ଜୀବନ ଦର୍ଶନ ତଥା ଜୀବନ ଜୀଇଁବାର ଏକ ସକାରାତ୍ମକ କବ୍ୟିକ ଅଭିବ୍ୟକ୍ତି । ସାଧାରଣରେ ଅସାଧାରଣ ତତ୍ତ୍ୱ ଓ ଦର୍ଶନର ବ୍ୟଞ୍ଜନା କବିତା ଗୁଡିକର ଅନ୍ୟତମ ଆକର୍ଷଣ । ପରିଣତ ବୟସରେ ନିଜସ୍ୱ ଆଗ୍ରହ ଓ ଆଦରରେ ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତାଙ୍କ ଦ୍ଵାରା ଅନୂଦିତ ଏହି ପୁସ୍ତକଟି ଗଭୀର ଜୀବନ ଦର୍ଶନର ଏକ ଅମୂଲ୍ୟ ସମାହାର, ଯାହା ବୃହତ୍ତର ପାଠକବର୍ଗଙ୍କ ନିକଟରେ ନିଶ୍ଚିତ ଗ୍ରହଣୀୟ ହେବ ବୋଲି ମଂଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିବା ବେଳେ ପୁସ୍ତକ ସମ୍ପର୍କରେ ମଧ୍ୟ ବିଶଦ ଆଲୋଚନା କରିଥିଲେ। 

ଉକ୍ତ ସଭାରେ କଳାୟନ, କଳାହାଣ୍ଡି ତରଫରୁ ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତାଙ୍କୁ ଆଜୀବନ ସାରସ୍ୱତ ସାଧନା ପାଇଁ ସମ୍ବର୍ଦ୍ଧନା ପତ୍ର, ଉତ୍ତରୀୟ ଓ ସ୍ମୃତି ସନ୍ତକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ‘କଳାୟନ’ର ପ୍ରମୁଖ ଡା. ଦୀନବଂଧୁ ସାହୁ ଏହି ସାହିତ୍ୟ ସଂଗମର ଆଭିମୁଖ୍ୟ ତଥା ସ୍ୱରଚିତ ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପରିଶେଷରେ ଉପଢୌକନ ଓ ପ୍ରୀତି ଉପହାର ପ୍ରଦାନ ସହ ଆମନ୍ତ୍ରିତ ଅତିଥିମାନଙ୍କୁ ବିଶେଷ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

ଗରିମାମୟୀ ମା’ ମାଣିକେଶ୍ୱରୀଙ୍କ ମନ୍ଦିର ତଥା ରାଜପ୍ରାସାଦ ପରିସରସ୍ଥ ଐତିହାସିକ ପୀଠ ସଭାମଣ୍ଡପରେ ଅନୁଷ୍ଠିତ ଉକ୍ତ ସାରସ୍ଵତ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସାହିତ୍ୟପ୍ରେମୀ ଅତିଥି ଅଭ୍ୟାଗତଙ୍କ ଦ୍ୱାରା ବେଶ୍ ଉପଭୋଗ୍ୟ ହେବା ସଂଗେ ଯୁବ ଗାଳ୍ପିକ ସୁଧୀର ଧଙ୍ଗଡ଼ାମାଝୀଙ୍କ ଦ୍ବାରା ଧନ୍ୟବାଦ ଅର୍ପଣ ପୂର୍ବକ ସୁଗାୟିକା ଲିପ୍‌ସା ମହାରଣାଙ୍କ ଶାନ୍ତିପାଠରେ ସମାପିତ ହୋଇଥିଲା । ସହରର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଜୟନ୍ତ ବେହେରା, ଭାରତଭୂଷଣ ଦେଓ, ସୋହନଲାଲ ଅଗ୍ରୱାଲ, ପ୍ରଭାସ ମିଶ୍ର, ଗାଳ୍ପିକ ବିଜୟ ପ୍ରଧାନ, ଅଜୟ ମିଶ୍ର ପ୍ରମୁଖ ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆମନ୍ତ୍ରିତ ସାଂପ୍ରତିକ କବିମାନଙ୍କ ଉପସ୍ଥିତି ଏହି ରୁଚିସମ୍ପନ୍ନ କାର୍ଯ୍ୟକ୍ରମଟିକୁ ସ୍ମରଣୀୟ କରିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.