ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଘୋଡାନାଳ ଶନିଗ୍ରହଙ୍କର କୋପ ଦୃଷ୍ଟିରୁ ରକ୍ଷା କରୁଥିବା ଭଳି ବିଶ୍ୱାସ ରହିଛି ଲୋକଙ୍କ ମଧ୍ୟରେ। ବିଶେଷ କରି କଳା ଘୋଡାର ନାଳ ରେ ମୁଦି ତିଆରି କରି ପିନ୍ଧିଲେ ବିଶେଷ ଫଳପ୍ରଦ ହୋଇଥାଏ ବୋଲି ଅନେକଙ୍କ ବିଶ୍ୱାସ ରହିଛି। ବଜାରରେ ଘୋଡାନାଳ ରେ ମୁଦି ତିଆରି କରି ବିକ୍ରୟ କରୁଥିବା ବ୍ୟକ୍ତିଙ୍କ ପ୍ରତି ଅବିଶ୍ୱାସର ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ସତରେ କଣ ବ୍ୟକ୍ତି ଜଣକ ଘୋଡାନାଳ ଆଣି ସେଥିରେ ମୁଦି ତିଆରି କରି ବିକୁଛି? କୋଉଠୁ ଆଣୁଛି ଏତେ ଗୋଡାନାଳ (ଘୋଡାର ଟାପୁ ତଳେ ଲାଗିଥିବା ଲୁହା) ? ଏଭଳି ଘୋଡାନାଳ ତିଆରି ମୁଦି କିଣୁଥିବା ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ହେଲେ କଳାଘୋଡା ସଂଯୁକ୍ତ କରି ଘୋଡାଗାଡିରେ ହଜାର ହଜାର ସଂଖ୍ୟାରେ ଲୁହାମୁଦି ନେଇ କିଛି ବ୍ୟକ୍ତି ନର୍ଲା ଅଞ୍ଚଳରେ ଘୋଡାନାଳ ମୁଦି ବ୍ୟବସାୟ କରୁଥିବା ଏବଂ ଏଥିପ୍ରତି ଲୋକ ଆକୃଷ୍ଟ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି। ପତଳା ପତଳା ଲୁହାମୁଦି ଗୁଡିକ ହୋଇଥିବା ବେଳେ ପ୍ରତି ମୁଦିର ମୂଲ୍ୟ ୧୦ ଟଙ୍କା ରଖିଛନ୍ତି ମୁଦି ବିକାଳୀ ବ୍ୟବସାୟୀ। କଳାଘୋଡା ଯୋଚା ହୋଇଥିବା ଘୋଡାଗାଡି (ଟାଙ୍ଗା) ନେଇ ମୁଦି ବିକ୍ରୟ କରୁଥିବାରୁ ଏହା କଳାଘୋଡାର ନାଳରେ ତିଆରି ମୁଦି ବୋଲି ଲୋକଙ୍କ ବିଶ୍ୱାସ ଜନ୍ମିବା ମଧ୍ୟ ସ୍ୱାଭାବିକ। କେବଳ ଚଳିତ ବର୍ଷ ବୋଲି ନୁହଁ, ପ୍ରତିବର୍ଷ ଏହି ଘୋଡାନାଳ ମୁଦି ବ୍ୟବସାୟୀ ମାନେ ଏହି ସିଜିନରେ ନର୍ଲା ଅଞ୍ଚଳକୁୁ ଆସି ଶହ ଶହ ସଂଖ୍ୟାରେ କଳା ଘୋଡାନାଳ ରେ ତିଆରି ହୋଇଥିବା ମୁଦି ବୋଲି ଲୋକଙ୍କ ଠାରେ ବିଶ୍ୱାସ ଜନ୍ମାଇ ହଜାର ହଜାର ସଂଖ୍ୟାରେ ଲୁହାମୁଦି ବିକ୍ରୟ କରୁଥିବା ଦେଖିବାକୁ ମିଳୁଛି। କଳା ଘୋଡାନାଳ ରେ ତିଆରି ମୁଦି ବାମ ହାତର ମଧ୍ୟମା ଆଙ୍ଗୁଠିରେ ପିନ୍ଧିଲେ ଶନିଙ୍କ କୋପରୁ ରକ୍ଷା ମିଳିଥାଏ ବୋଲି ବିଶ୍ୱାସ ରହିଛି। ହେଲେ ସତରରେ କଣ ଏତେ ପରିମାଣରେ ଏହି ମୁଦି ବିକାଳି ମାନେ ଘୋଡାନାଳ ପାଉଛନ୍ତି କୋଉଠୁ? କଳାଘୋଡା ଯୋଚା ଗାଡିରେ ଆଣି ମୁଦି ବିକୁ ଥିବାରୁ ଲୋକେ ସାଧାରଣ ଲୁହାରେ ତିଆରି ମୁଦୀକୁ ମଧ୍ୟ କଳା ଘୋଡାନାଳ ମୁଦି ବୋଲି ବିଶ୍ୱାସ କରି ଆଉ କୌଣସୀ ପ୍ରଶ୍ନ ଉତ୍ଥାପନ କରୁ ନାହାନ୍ତି। ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ ଲକ୍ଷ ଲକ୍ଷ ଟଙ୍କାର ଲୁହା ମୁଦି ବିକୁଛନ୍ତି ବାହର ରାଜ୍ୟରୁ ଆସିଥିବା ଅଜଣା ବ୍ୟକ୍ତି ମାନେ। ଏମାନଙ୍କ ପ୍ରତି ପୋଲିସ ତୀକ୍ଷ୍ଣ ନଜର ରଖିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।





