ବିଧାୟକ ଲକ୍ଷ୍ମଣ ବାଗଙ୍କୁ ସମ୍ପ୍ରସାରିତ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେବାକୁ ଦାବି
ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ଗୋକୁଳା ନନ୍ଦ ବଗର୍ତ୍ତୀ): କଣ୍ଟାବାଞ୍ଜି ସ୍ଥିତ ବନମାଳୀ ପ୍ୟାଲେଶ୍ ଠାରେ ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ ରବିବାର ଦିନ ସଫଳତାର ସହ ସମାପନ ହୋଇଯାଇଛି। ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରାଙ୍କର ସଭାପତିତ୍ବରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ୩୪ ଟି ସାଂଗଠାନିକ ଜିଲ୍ଲାର କର୍ମକର୍ତ୍ତାଙ୍କ ସହ ରାଜ୍ୟ ଓ କେନ୍ଦ୍ର କାର୍ଯ୍ୟକାରିଣୀ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମାନଙ୍କର ପୁନର୍ଗଠନ ଓ ପୁନର୍ଗଠିତ ଜିଲ୍ଲା ମାନଙ୍କର କାର୍ଯ୍ୟକାରିଣୀ ବୈଠକ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ବିଗତ ଦିନରେ ସହିଦ୍ ରେଜାଙ୍ଗାଲା ମାଟିକୁ ଓଡ଼ିଶାର ସମସ୍ତ ଜିଲ୍ଲାରେ ସଫଳତାର ସହ ପରିଭ୍ରମଣ କରାଇଥିବା ସମସ୍ତ ଜିଲ୍ଲା ସଭାପତି ଓ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶାରେ ପଛୁଆ ବର୍ଗଙ୍କ ଜନଗଣନା ପାଇଁ ସରକାର ନେଇଥିବା ନିଷ୍ପତିକୁ ପ୍ରଶଂସା କରାଯିବା ସହ ସଠିକ୍ ଢଙ୍ଗରେ ନିର୍ଭୁଲ ଭାବେ ଜନଗଣନାରେ ଓଡ଼ିଶାର ସମସ୍ତ ଯାଦବ ମାନଙ୍କୁ ସଚେତନ କରାଇବା ପାଇଁ ଆଲୋକପାତ କରାଯାଇଥିଲା। ଚଳିତ ୨୦୨୬ ମସିହାରେ ଉତ୍କଳ ଯାଦବ ମହାସଭା ପକ୍ଷରୁ ଏକ ସ୍ବତନ୍ତ୍ର ରଚନାତ୍ମକ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଥିଲା। ଯେପରିକି ରକ୍ତଦାନ ଶିବିର, ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ଜଳଛତ୍ର ସେବା, ରୋଗୀ କଲ୍ୟାଣ ସେବା ଓ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କର ସ୍ମୃତି ସଭା କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଭାଗବତ ଗୀତା ତଥା ଶ୍ରୀକୃଷ୍ଣଙ୍କ ଚେତନାର ପ୍ରଚାର ପ୍ରସାର ପାଇଁ ଯୁବକ ମାନଙ୍କୁ ଆହ୍ବାନ ଦିଆଯାଇଥିଲା। ପୂର୍ବ ବିଧାନସଭା ନିର୍ବାଚନରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଉତ୍କଳ ଯାଦବ ମହାସଭାର ମହାସଚିବ ଲକ୍ଷ୍ମଣ ବାଗ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଦୀର୍ଘ ବ୍ୟବଧାନରେ ପରାଜିତ କରିଥିବା ସତ୍ତ୍ଵେ ମଧ୍ୟ ମନ୍ତ୍ରୀମଣ୍ଡଳରେ ଶ୍ରୀଯୁକ୍ତ ବାଗଙ୍କୁ ସ୍ଥାନ ନ ଦେବା ନେଇ ଉତ୍କଳ ଯାଦବ ମହାସଭା ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଥିଲା। ଏବଂ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ସମ୍ପ୍ରସାରିତ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେବାକୁ ଦାବି ହୋଇଥିଲା। ରାଜନୈତିକ ଦୃଷ୍ଟି କୋଣରୁ ଓଡ଼ିଶାରେ ୮୦ ଲକ୍ଷ ଯାଦବ ବସବାସ କରୁଥିବା ସମୟରେ ସଂଖ୍ୟା ଅନୁପାତରେ ସମସ୍ତ ସ୍ତରରେ ରାଜନୈତିକ ପ୍ରତିନିଧତ୍ଵକୁ ପ୍ରାଧାନ୍ୟ ଦେବା ପାଇଁ ଜୋର୍ ଦିଆଯାଇଥିଲା। ଆଗାମୀ ଦିନରେ ମାର୍ଚ୍ଚ ମାସରେ ଉତ୍କଳ ଯାଦବ ମହାସଭାର ଏକ କାର୍ଯ୍ୟକାରିଣୀ ବୈଠକ କରିବା ସହ ମହିଳା ସମ୍ମିଳନୀ ଓ ଯୁବ ସମ୍ମିଳନୀ ଆୟୋଜନ କରିବା ପାଇଁ ସର୍ବସମ୍ମତି କ୍ରମେ ସିକୃତୀ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ଯାଦବ ମହାସଭାର ପ୍ରମୁଖ ମହାସଚିବ ତଥା ବିଧାୟକ ଲକ୍ଷ୍ମଣ ବାଗ, ବରିଷ୍ଠ ଉପସଭାପତି ଲମ୍ବୋଦର ନିଆଲ, ସାଂଗଠାନିକ ସମ୍ପାଦକ ତଥା ରାଷ୍ଟ୍ରୀୟ ଯୁବ ସଭାପତି ଇଂ ପ୍ରଦୀପ କୁମାର ବେହେରା, କୋଷାଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ବେହେରା, କେନ୍ଦ୍ରୀୟ ସମ୍ପାଦକ ରାଜୁ ଘିବେଲା, ରାଜ୍ୟ ମହିଳା ସଭାନେତ୍ରୀ ସଂଯୁକ୍ତା ବେହେରା, ଯୁବ ସଭାପତି ଅମର ନାୟକ, ଉପ ସଭାପତି ହୃଷେକେସ ଗୌଡ, ପଦ୍ମନାଭ ଗୌଡ, ଶ୍ରୀକାନ୍ତ ଦାସ, ମନୋଜ ପରିଡ଼ା, ସାଧାରଣ ସମ୍ପାଦକ ମନୋଜ ହାତୀ, ଅମିତ ନାୟକ, ଗୋବିନ୍ଦ ବନଛୋର, ତ୍ରିଲୋଚନ ନାଗ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା କର୍ମକର୍ତ୍ତାଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଦିଲୀପ ଖର୍ସେଲ, ମୁଖ୍ୟ ପରାମର୍ଶ ଦାତା ସତ୍ୟନାରାୟଣ ବାଗ, ଜିଲ୍ଲା ମହିଳା ସଭାନେତ୍ରୀ ମୂର୍ମୟୀ ଭୋଇ, ଯୁବ ସଭାପତି ସୁବ୍ରତ ନାଗ, କଣ୍ଟାବାଞ୍ଜି ନଗର ସଭାପତି ଉଦ୍ଧବ ଘିବେଲା, କଣ୍ଟାବାଞ୍ଜି ନଗର ଯୁବ ସଭାପତି ବେଦବ୍ୟାସ ନାଗ, ରାଜ୍ୟ ମହିଳା ସମ୍ପାଦିକା ଦମୟନ୍ତୀ ବାଗ, ବଲାଙ୍ଗୀର ପୌରାଞ୍ଚଳ ସଭାପତି ସନ୍ଦୀପ ବାଗ, ଜିଲ୍ଲା କାର୍ଯ୍ୟାଳୟ ସମ୍ପାଦକ ଖୁସିରାମ ଦୀପ ପ୍ରମୁଖ ଉପସ୍ଥିତ ଥିଲେ।





