ସୂଚନା ଫଳକରେ ପିଟି ହେଲା ବାଇକ, ଜଣେ ମୃତ ଜଣେ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ରଘୁନାଥପୁର ନିକଟରେ ଭାରସାମ୍ୟ ହରାଇ ଏକ ସୂଚନା ଫଳକରେ ବାଇକ ପିଟି ହୋଇ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସୂଚନାନୁସାରେ ମୋହନଗୁଡା ଗ୍ରାମର ଧନିଆ ମାଝୀ (୩୨) ଏବଂ ହରେକୃଷ୍ଣପୁର ଗ୍ରାମର ସାମନ୍ତ ମାଝୀ (୨୫) ଦୁଇଜଣ ସକାଳ ୮ ଘଣ୍ଟା ସମୟରେ ମୋହନଗୁଡା ଠାରୁ ହରେକୃଷ୍ଣପୁର ଗାଁକୁ ବାଇକ ଯୋଗେ ଯାଉଥିବା ବେଳେ ଛତ୍ରପୁର ପଞ୍ଚାୟତ ରଘୁନାଥପୁର ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ସୂଚନା ଫଳକରେ ପିଟିହୋଇ ଗୁରୁତର ଆହତ ଅବସ୍ଥାରେ ତଳେ ପଡିଯାଇଥିଲେ। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଡ଼କାଇ ଦୁହେଁକୁ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ।ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ଡାକ୍ତର ଧନିଆ ମାଝୀକୁ ମୃତ ଘୋଷଣା କରିଥିଲେ। ଗୁରୁତର ଆହତ ସାମନ୍ତ ମାଝୀକୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଲାଞ୍ଜିଗଡ଼ ବ୍ଲକ ଚିକିତ୍ସାଧିକାରୀ ଭବାନୀଶଙ୍କର ଲେଙ୍କା ପ୍ରକାଶ କରିଛନ୍ତି। ଦୁର୍ଘଟଣା ଖବର ପାଇ ଲାଞ୍ଜିଗଡ଼ ଥାନାଧିକାରୀ ଯଶୋବନ୍ତ ହିଆଲଙ୍କ ନେତୃତ୍ୱରେ ଏସ ଆଇ ଡୋଳାମଣି ବିଶି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏନେଇ ଲାଞ୍ଜିଗଡ଼ ଥାନା କେଶ ନଂ ୯/୨୬ ରେ ଏକ ମାମଲା ୠଜୁକରି ମୃତ ଧନିଆଙ୍କ ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.