ଭାରତୀୟ ସମ୍ବିଧାନ (ଦ କନଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ) ହେଉଛି ଭାରତର ସର୍ବୋଚ୍ଚ ବିଧି। ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଛି। ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ।
ଏହା ସାମ୍ବିଧାନିକ ସର୍ବୋଚ୍ଚତା ସ୍ଥାପନ କରିଥାଏ (ସଂସଦୀୟ ସର୍ବୋଚ୍ଚତା ନୁହେଁ, ଯେହେତୁ ଏହା ଏକ ସଂସଦ ବଦଳରେ ସମ୍ବିଧାନ ସଭାଦ୍ୱାରା ନିର୍ମିତ)। ଏହା ଲୋକଙ୍କଦ୍ୱାରା ସ୍ୱୀକୃତିପ୍ରାପ୍ତ ଏବଂ ତାହା ଏହାର ପ୍ରସ୍ତାବନାରେ ଉଦ୍ଘୋଷିତ। ସଂସଦ ସମ୍ବିଧାନକୁ ରଦ୍ଦ କରିପାରିବ ନାହିଁ।
ସମ୍ବିଧାନ ୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ସମ୍ବିଧାନ ସଭାଦ୍ୱାରା ଗୃହୀତ ହୋଇ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ପ୍ରଣୟନ କରାଗଲା।
ସମ୍ବିଧାନ ଭାରତୀୟ ପ୍ରଶାସନ ଅଧିନିୟମ ୧୯୩୫କୁ ଦେଶର ମୂଳ ପ୍ରଶାସନିକ ଅଧିନିୟମ ରୂପେ ପ୍ରତିସ୍ଥାପିତ କଲା ଏବଂ ଏହାସହିତ ଭାରତୀୟ ଅଧିରାଜ୍ଯ ଭାରତୀୟ ଗଣରାଜ୍ୟରେ ପରିଣତ ହେଲା।
ଭାରତ ଏହାର ସମ୍ବିଧାନକୁ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖ ଦିନ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରେ। ସମ୍ବିଧାନ ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ ତଥା ଗଣତାନ୍ତ୍ରିକ ସାଧାରଣତନ୍ତ୍ର ହେବ ବୋଲି ଉଦ୍ଘୋଷଣା କରିଅଛି।

ତା’ ସହ ଏହା ସମସ୍ତ ନାଗରିକଙ୍କୁ ନ୍ଯାୟ, ସମାନତା ଏବଂ ସ୍ୱତନ୍ତ୍ରତା ପ୍ରଦାନ କରିଛି ଏବଂ ତାଙ୍କ ମଧ୍ଯରେ ଭ୍ରାତୃଭାବ ସ୍ଥାପନ ଉତ୍ସାହିତ କରୁଛି। ୧୯୫୦ର ମୂଳ ସମ୍ବିଧାନଟିକୁ ଏକ ହିଲିଅମପୂର୍ଣ୍ଣ କାଚବାକ୍ସରେ ନୂଆଦିଲ୍ଲୀଠାରେ ସୁରକ୍ଷିତ ରଖାଯାଇଅଛି। ସମ୍ବିଧାନ ସଭାଦ୍ୱାରା ଭାରତୀୟ ସମ୍ବିଧାନର ରଚନା କରାଯାଇଥିଲା।

ଏହାର ସଦସ୍ଯଗଣ ପ୍ରାନ୍ତୀୟ ବିଧାୟିକାର ସଦସ୍ଯମାନଙ୍କଦ୍ୱାରା ନିର୍ବାଚିତ ହୋଇଥିଲେ। ଏହାର ସଦସ୍ଯ ସଂଖ୍ଯା ୩୮୯ (ଦେଶର ବିଭାଜନ ପରେ ୨୯୯କୁ ହ୍ରାସ ପାଇଥିଲା) ଥିଲା। ଦୀର୍ଘ ତିନିବର୍ଷ କାଳ ବ୍ଯାପ୍ତ, ୧୬୫ ଦିନରେ ୧୧ଟି ଅଧିବେଶନ ସହ ଏହା ଭାରତୀୟ ସମ୍ବିଧାନର ରୂପରେଖ ସ୍ଥିରକୃତ କଲା।

ଡ. ଭୀମରାଓ ରାମଜି ଆମ୍ବେଦକର ଜଣେ ବିଜ୍ଞ ସାମ୍ବିଧାନିକ ବୁଦ୍ଧିଜୀବୀ ଥିଲେ। ସେ ପ୍ରାୟ ୬୦ଟି ଦେଶର ସମ୍ବିଧାନ ଅଧ୍ଯୟନ କରିଥିଲେ। ଆମ୍ବେଦକରଙ୍କୁ ଭାରତୀୟ ସମ୍ବିଧାନର ଜନକ ବୋଲି ଗ୍ରହଣ କରାଯାଇଛି।

ସମ୍ବିଧାନ ସଭାରେ ଚିଠା ପ୍ରସ୍ତୁତକାରୀ କମିଟିର ଏକ ସଦସ୍ଯ, ତି. ଥି. କ୍ରିଷ୍ଣାମଚାରୀ କହିଥିଲେ: “ମାନନୀୟ ସଭାପତି ମହୋଦୟ, ଏହି ଗୃହରେ ଡ. ଆମ୍ବେଦକରଙ୍କ ସମ୍ଭାଷଣ ଭଲଭାବରେ ଶୁଣିଥିବା ଲୋକଙ୍କ ମଧ୍ଯରୁ ମୁଁ ଜଣେ।

ଏହି ସମ୍ବିଧାନର ନିର୍ମାଣ ପାଇଁ ସେ ଯେଉଁ ଉତ୍ସାହ ଓ ଉଦ୍ଦୀପନା ଦେଖାଇଛନ୍ତି ଏବଂ ଯେଉଁ ପରିମାଣର କଠିନ କାର୍ଯ୍ୟ କରିଛନ୍ତି ତାହା ବିଷୟରେ ମୁଁ ଅବଗତ ଅଟେ।

ତା ସହିତ, ମୁଁ ଅନୁଭବ କରୁଛି ଯେ ସମ୍ବିଧାନ ନିର୍ମାଣ ପାଇଁ, ଯେଉଁ ପରିମାଣର ଧ୍ଯାନ ଆବଶ୍ୟକ, ଯାହା ଏବେକାର ସମୟରେ ନିତାନ୍ତ ଜରୁରୀ ଅଟେ, ତାହା ଚିଠା ପ୍ରସ୍ତୁତକାରୀ କମିଟିଦ୍ୱାରା ଏ ପର୍ଯ୍ୟନ୍ତ ଦିଆଯାଇ ନାହିଁ।

ଏହି ସଦନଟି ବୋଧହୁଏ ଜାଣିଥିବ ଯେ ଆପଣଙ୍କଦ୍ୱାରା ମନୋନୀତ ସାତ ଜଣ ସଦସ୍ଯଙ୍କ ମଧ୍ଯରୁ ଜଣେ ଇସ୍ତଫା ଦେଇଛନ୍ତି ଏବଂ ବିସ୍ଥାପିତ ହୋଇସାରିଛନ୍ତି। ଜଣେ ମରିଯାଇଛନ୍ତି ଏବଂ ତାଙ୍କ ସ୍ଥାନ କେହି ଭରି ନାହାଁନ୍ତି।

ଜଣେ ଆମେରିକାରେ ଅଛନ୍ତି ଓ ତାଙ୍କର ସ୍ଥାନ ମଧ୍ଯ ରିକ୍ତ ଅଛି। ଅନ୍ୟ ଜଣେ ସଦସ୍ଯ ପ୍ରଶାସନିକ କାର୍ଯ୍ୟରେ ବ୍ଯସ୍ତ ଅଛନ୍ତି। ଜଣେ ବା ଦୁଇ ଜଣ ସଦସ୍ଯ ଦିଲ୍ଲୀଠାରୁ ଦୂରରେ ଅଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟ ତାଙ୍କୁ ଯୋଗଦେବା ପାଇଁ ଅନୁମତି ଦେଇନି।

ଅନ୍ତତଃ ସମ୍ବିଧାନ ଚିଠା ପ୍ରସ୍ତୁତ ପାଇଁ ସମସ୍ତ ଦାୟିତ୍ୱ ଡ. ଆମ୍ବେଦକରଙ୍କ ଉପରେ ପଡିଅଛି। ଏହି ଅସମ୍ଭବ ବା ଦୁଃସାଧ୍ୟ କାର୍ଯ୍ୟକୁ ପୂରଣ କରିପାରିଥିବା ଯୋଗୁଁ ନିଃସନ୍ଦେହ ଆମେ ତାଙ୍କଠାରେ ଚିରଋଣୀ ହୋଇ ରହିବା।”





