ଲାଞ୍ଜିଗଡ଼ ଥାନାଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗତ ୨୧ ଜାନୁଆରୀରେ ଓଡ଼ିଶା ସରକାରଙ୍କ ରାଜସ୍ବ ବିଭାଗ ଦ୍ବାରା ବିଜ୍ଞାପିତ ଲାଞ୍ଜିଗଡର ସବ-ରେଜିଷ୍ଟାର କାର୍ଯ୍ୟାଳୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁର ଠାରେ ସ୍ଥାପନ କରିବା ନେଇ ଏହାକୁ ବିରୋଧ କରି ହଜାର ହଜାର ସଂଖ୍ୟାରେ ଲାଞ୍ଜିଗଡ ଅଞ୍ଚଳବାସୀ ଏକତ୍ରିତ ହୋଇ ଲାଞ୍ଜିଗଡ଼ ଥାନାଧିକାରୀ ଯଶୋବନ୍ତ ହିଆଲଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ସୂଚନାନୁସାରେ ଓଡ଼ିଶା ସରକାରଙ୍କ ରାଜସ୍ବ ବିଭାଗ ବିଜ୍ଞାପିତ ପତ୍ର ସଂଖ୍ୟା ପିଟି -୧ ଆରଡ଼ିଏମ – ଆରଇଜି- ଆରଇଜିଏନ -୦୦୪୮-୨୦୨୦-୩୦୩୭/ଆରଏଣ୍ଡଡିଏମ ତା ୨୧/୧/୨୦୨୬ ନିର୍ଦ୍ଦେଶନାମା ମୁତାବକ ଲାଞ୍ଜିଗଡ ଠାରେ ସବ୍ ରେଜୀଷ୍ଟାର ଅଫିସ ଆସନ୍ତା ତା. ୨ ଫେବୃଆରୀ ୨୦୨୬ ରେ ଲାଞ୍ଜିଗଡ଼ ଠାରେ ଉଦଘାଟନ କରିବା ପାଇଁ ସରକାର ନିର୍ଦ୍ଦେଶ ନାମା ଜାରି ହୋଇଅଛି। ଉକ୍ତ କାର୍ଯ୍ୟାଳୟଟି ଉଦଘାଟନ କରିବା ପାଇଁ ସମସ୍ତ ପ୍ରକାର ସୁବ୍ୟବସ୍ଥା ଲାଞ୍ଜିଗଡ ଠାରେ କରାଯାଇ ଅଛି। କିନ୍ତୁ ଏହାକୁ ନେଇ ୩୧/୧/୨୦୨୬ ତାରିଖ ଶନିବାର ଦିନ ଲାଞ୍ଜିଗଡ ତହସିଲ କାର୍ଯ୍ୟାଳୟରେ ଭବାନୀପାଟଣା ଉପ ଜିଲ୍ଲାପାଳ ଓ ଲାଞ୍ଜିଗଡ ତହସିଲଦାରଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଉକ୍ତ ସବ୍ ରେଜିଷ୍ଟାର କାର୍ଯ୍ୟାଳୟକୁ ଲାଞ୍ଜିଗଡ଼ ଠାରେ ଉଦଘାଟନ କରିବା ପରିବର୍ତ୍ତେ ବିଶ୍ଵନାଥପୁର ଠାରେ ଉଦଘାଟନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏକ ତରଫା ପ୍ରସ୍ତାବ ଦେଇଥିଲେ।ତେଣୁ ଜିଲ୍ଲା ପ୍ରଶାସନର ଉକ୍ତ ନିଷ୍ପତିକୁ ଲାଞ୍ଜିଗଡ଼ ଅଞ୍ଚଳବIସୀ ସମ୍ପୂର୍ଣ୍ଣ ବିରୋଧ କରିଥିଲେ।ସରକାରଙ୍କ ନିର୍ଦ୍ଦେଶନାମା ମୁତାବକ ୨ ଫେବୃଆରୀ ୨୦୨୬ ତାରିଖ ଦିନ ଲାଞ୍ଜିଗଡ ଠାରେ ସବ ରେଜିଷ୍ଟ୍ରାର କାର୍ଯୟାଳୟ ଉଦଘାଟନ କରାଯାଉ, ନଚେତ ଯେତେଦିନ ପର୍ଯ୍ୟନ୍ତ ଲାଞ୍ଜିଗଡ ଠାରେ ଉଦଘାଟନ ନ ହୋଇଛି ସେ ପର୍ଯ୍ୟନ୍ତ ଲାଞ୍ଜିଗଡ଼ବାସୀଙ୍କ ବିଭିନ୍ନ ପ୍ରକାର ଗଣ ଆନ୍ଦୋଳନ, ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବା ପାଇଁ ପଛେଇବୁ ନାହିଁବୋଲି ପ୍ରକାଶ କରିବା ସହ ଏଥିରେ ଯଦି କୌଣସି ପ୍ରକାର ଅପ୍ରୀତିକର ଘଟଣା ଘଟେ ତାହେଲେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବରେ ଦାୟୀ ରହିବେ ବୋଲି ଚେତାବନୀ ଦେବା ସହ ଆଜି ସନ୍ଧ୍ୟାରେ ଲାଞ୍ଜିଗଡ ଅଞ୍ଚଳବାସୀ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଲାଞ୍ଜିଗଡ଼ ସହର ପରିକ୍ରମା କରି ଏକ ବିଶାଳ ପଦଯାତ୍ରା କରି ଲାଞ୍ଜିଗଡ଼ ଥାନାଧିକାରୀ ଯଶୋବନ୍ତ ହିଆଲଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।





