​’ଓଡ଼ିଆ ଭାଷା ବଞ୍ଚିଲେ ହିଁ ଜାତି ବଞ୍ଚିବ’

ଉନ୍ମୋଚିତ ହେଲା ଡ଼ଃ ରାଧା ରଞ୍ଜନ ପଟ୍ଟନାୟକଙ୍କ ‘ଓଡ଼ିଆ ଭାଷା କଳ୍ପର ବାଂମୟ ବିଧା’ ପୁସ୍ତକ

​ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଭାଷା ହେଉଛି ଜାତିର ପରିଚୟ। ଭାଷା ବଞ୍ଚିଲେ ହିଁ ଓଡ଼ିଆ ଜାତି ବଞ୍ଚିବ। ଓଡ଼ିଆ ଭାଷା ଶିକ୍ଷାର ଏନ୍ତୁଡ଼ିଶାଳ ହେଉଛି ପରିବାର ଓ ସମାଜ, ଆଉ ଶିକ୍ଷାଳୟ ହେଉଛି ଏହାର ପ୍ରୟୋଗଶାଳା ବୋଲି କଦ୍ରାବାଦ ସ୍ଥିତ ପାର୍ବତୀ ନୀଳୟମସ୍ଥ ‘ଦି ରିକଭରି’ ପରିସରରେ ଆୟୋଜିତ ଏକ ସାରସ୍ୱତ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ରାଧାରଞ୍ଜନ ପଟ୍ଟନାୟକଙ୍କ ଲିଖିତ ପୁସ୍ତକ ‘ଓଡ଼ିଆ ଭାଷା କଳ୍ପର ବାଂମୟ ବିଧା’ ଆଜି ଏକ ଭାବଗମ୍ଭୀର ପରିବେଶରେ ଲୋକାର୍ପିତ ହୋଇଯାଇଛି। ବହିର ପ୍ରକାଶକ ତଥା ​’ବିଦ୍ୟା ଭାରତୀ’ ପ୍ରକାଶନ ସଂସ୍ଥାର ସଂସ୍ଥାପକ ଅଭୟ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ‘ରେବତୀ’ ପତ୍ରିକାର ସମ୍ପାଦିକା ତଥା ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା ଯୋଗଦେଇ କହିଥିଲେ ଯେ, ଶିଶୁଟିଏ ଅଙ୍ଗନବାଡ଼ିରୁ ହିଁ ଭାଷାର ପ୍ରାଥମିକ ସଂସ୍କାର ପାଇଥାଏ, ତେଣୁ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରିବା ସାମ୍ପ୍ରତିକ ସମୟର ବଡ଼ ଆବଶ୍ୟକତା।

ଏଥିରେ ​ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଆଇ.ଏ.ଏସ. ତଥା କବି ଦେବେନ୍ଦ୍ର କୁମାର ମହାପାତ୍ର ଯୋଗଦେଇ ସାହିତ୍ୟ ପ୍ରତି କମୁଥିବା ଆଗ୍ରହ ଓ ପାଠକୀୟତା ହ୍ରାସ ଉପରେ ଚିନ୍ତା ପ୍ରକଟ କରିଥିଲେ। ସେ କହିଥିଲେ, ଡକ୍ଟର ପଟ୍ଟନାୟକଙ୍କ ଏହି ସର୍ଜନଶୀଳ ପୁସ୍ତକଟି କେବଳ ପାଠକ ନୁହେଁ, ବରଂ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଶିକ୍ଷଣ ବିଧିର ମାର୍ଗଦର୍ଶିକା ହେବ।ଆଲୋଚିକା ଭାବେ ଡକ୍ଟର ଦୀପିକା ସେନାପତି ଯୋଗଦାନ କରି କହିଥିଲେ ଯେ,ଏଇ ପୁସ୍ତକଟି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶିକ୍ଷଣର ଏକ ହେଣ୍ଡବୁକ ହେବ ବୋଲି ମତ ଦେବା ସହ ଏଥିରେ ବର୍ଣ୍ଣ ପରିଚୟ,ରେଖା ଚିତ୍ର ଠାରୁ ଆରମ୍ଭ କରି ଗଦ୍ୟ, ପଦ୍ୟ, ଅତିରିକ୍ତ ସାହିତ୍ୟ, ବ୍ୟାକରଣ, ଛନ୍ଦ, ଅଳଙ୍କାର ଏବଂ ପ୍ରଶ୍ନ ପତ୍ର ପ୍ରସ୍ତୁତିର ଭିଭିନ୍ନ ପ୍ରସଙ୍ଗ ଉପରେ ସୂକ୍ଷ୍ମ ତାତ୍ଵିକ ବିଶ୍ଳେଷଣ କରାଯାଇଛି, ଯାହା ଉତ୍ତର ପିଢ଼ିଙ୍କ ପାଇଁ ଖୁବ ଉପଯୋଗୀ ହେବ ବୋଲି ମତ ଦେଇଥିଲେ।

​ଅନ୍ୟମାନଙ୍କ ମଧ୍ୟରେ ବରଣ୍ୟ ଅତିଥି ଭାବେ ପ୍ରଫେସର ଡକ୍ଟର ଶିରୀର ଚନ୍ଦ୍ର ଜେନା, ଡକ୍ଟର ରାଖାଲ ଚନ୍ଦ୍ର ଘଡ଼େଇ ଓ ସ୍ତମ୍ଭକାର କୁଳମଣି ବାରିକ ଯୋଗ ଦେଇ ଓଡ଼ିଆ ଭାଷା ଶିକ୍ଷଣର ବିଭିନ୍ନ ବୈଜ୍ଞାନିକ ପଦ୍ଧତି ଉପରେ ଆଲୋକପାତ କରିବା ସହ ଏଇ ପୁସ୍ତକର ନାମକରଣ ଉପରେ ଏକ ନାନ୍ଦନିକ ଚର୍ଚ୍ଚା କରିଥିଲେ।ଓଡ଼ିଆ ଭାଷା ପ୍ରତି ସରକାରଙ୍କ ଉଦାସୀନତା ଉପରେ ମତ ଦେଇ ବରେଣ୍ୟ ଅତିଥି କୁଳମଣି ବାରିକ ନିଜର କ୍ଷୋଭ ପ୍ରକାଶ କରିଥିଲେ। ଆବାହକ ଡକ୍ଟର ଅନ୍ତର୍ଯ୍ୟାମୀ ପଣ୍ଡା ଲେଖକଙ୍କ ସାରସ୍ୱତ ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ କୃଷି ବୈଜ୍ଞାନିକ ଡକ୍ଟର କେଶବ ଚନ୍ଦ୍ର ପଣ୍ଡା ବେଦମନ୍ତ୍ର ପାଠ କରିଥିବା ବେଳେ ବଂଶୀ ବାଦକ ବିଜୟ କୁମାର ମହାନ୍ତିଙ୍କ ‘ଆହେ ନୀଳଶୈଳ’ର ସ୍ୱରରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ହୋଇ ଉଠିଥିଲା। ଏହି ଅବସରରେ ଦିବଙ୍ଗତ ସାହିତ୍ୟିକ ଡକ୍ଟର ବଂଶୀଧର ଚୌଧୁରୀଙ୍କ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

‘ପୃଷ୍ଠାଦୃଷ୍ଟି’ କାର୍ଯ୍ୟ ମଝିରେ କଥାକାର ଉଦୟ ନାରାୟଣ ଦାସ ତାଙ୍କ ରଚିତ ‘ରାଧା’ ପୁସ୍ତକଟିକୁ ଡକ୍ଟର ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାରସ୍ୱତ ସ୍ରଷ୍ଟା ଶ୍ରୀ ଅଶ୍ୱିନୀ ଶତପଥୀ ଏବଂ ମମତା ମହାନ୍ତି ସେମାନଙ୍କ ନିଜସ୍ଵ ରଚିତ ପୁସ୍ତକ ଡ.ପଟ୍ଟନାୟକଙ୍କୁ ଅର୍ପଣ କରିଥିଲେ। କବି ପଦ୍ମଲୋଚନ ଦତ୍ତ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ଡକ୍ଟର ପଟ୍ଟନାୟକଙ୍କ ସାହିତ୍ୟ ଅଭିଯାନ ପାଇଁ ସମ୍ମାନିତ କରିଥିଲେ।

ସଭାକାର୍ଯ୍ୟ ପ୍ରାରମ୍ଭରେ କୁମାରୀ ଅଦିତି ଏବଂ ବିଦ୍ୟାଧର ନାୟକ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ବେଚ ଦ୍ୱାରା ମଂଚକୁ ପାଛୋଟି ନେଇଥିଲେ। ଜ୍ୟୋତିପ୍ରଭା ଏବଂ ଅୟୁସ୍ମିତା ମିଳିତ ଭାବେ ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ କରିଥିଲେ। ଶେଷରେ ଡା. ଅଭିମନ୍ୟୁ କାନୁନଗୋ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ବାଲେଶ୍ୱରର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ କବି ଉପସ୍ଥିତ ରହି ଡକ୍ଟର ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.