ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଅନେକ ଉତ୍ସାହ ଓ ଉଦ୍ଦୀପନାର ସହିତ ଜଗତସିଂହପୁର ଐତିହ୍ୟ ପଦଯାତ୍ରାର ବାର୍ଷିକ ଉତ୍ସବ ଜଗତସିଂହପୁର ସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନରେ ମହା ଆଡମ୍ବର ସହ ପାଳିତ ହୋଇଯାଇଛି। ବିଗତ ବର୍ଷ ମଧ୍ୟରେ ୧୨ଟି ଐତିହ୍ୟ ପଦଯାତ୍ରା ସଫଳ ହେବା ପରେ ଏହି ବାର୍ଷିକ ଉତ୍ସବ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ସ୍ୱାମୀ ବିବେକାନନ୍ଦ ମେମୋରିଆଲ ମହାବିଦ୍ୟାଳୟର ଛାତ୍ର ସେକ୍ ସାହିଲ ମହମ୍ମଦଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ମଙ୍ଗଳାଚରଣ ରୂପେ ଜଗନ୍ନାଥାଷ୍ଟକ ପରିବେଷଣ ହୋଇଥିଲା। ପରେ ମାଆ ଶାରଳାଙ୍କ ଘଣ୍ଟ ପାଟୁଆ ନୃତ୍ୟ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ଶିକ୍ଷାବିତ ଡକ୍ଟର ବସନ୍ତ ମଞ୍ଜରୀ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଡକ୍ଟର ଦୀପକ ସାମନ୍ତରାୟ, ଅମ୍ବିକା ପଟ୍ଟନାୟକ, ରଞ୍ଜନ କୁମାର ପଣ୍ଡା, ଭଗବାନ ଦାଶ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାର ବିଜେତା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ମାଟି ଓ ସଂସ୍କୃତି ପ୍ରତି ଅବଦାନ ପାଇଁ ବାସନ୍ତୀ ଅପା (ସାଗରବାଳା ପଟ୍ଟନାୟକ), ଘଣ୍ଟ ପାଟୁଆ ନୃତ୍ୟ ଶିଳ୍ପୀ ମିହିର ନନା, ଶାମ୍ ଚାଚା, ବଡ଼ବାଗ ହସ୍ତତନ୍ତ ସମିତି, ଶିଶିର କୁମାର ପଣ୍ଡା ଓ ହେମନ୍ତ କୁମାର ରାଉତଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ହସ୍ତତନ୍ତ ଲୁଗା ଓ ପୁସ୍ତକ ପ୍ରଦର୍ଶନୀ। ଏହି ଅବସରରେ କଟକ, ଢେଙ୍କାନାଳ ଓ ପୁରୀ ଐତିହ୍ୟ ପଦଯାତ୍ରାର କର୍ମକର୍ତ୍ତାମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ମଧ୍ୟାହ୍ନ ଭୋଜନ ପରେ ଉତ୍ସବର ସମାପନ ହୋଇଥିଲା।





