ବାଲେଶ୍ବର ମାଟି କେବଳ ରତ୍ନଗର୍ଭା ନୁହଁ ଏ ମାଟିର ମାଆ ମାନେ ମଧ୍ୟ ରତ୍ନଗର୍ଭା :ରାଷ୍ଟ୍ରପତି

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କଲେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ସମାରୋହ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱରର ୧୨ତମ ସମାବର୍ତ୍ତନ ସମାରୋହ ଆଜି ବିଶ୍ୱବିଦ୍ୟାଳୟ ପରିସରରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗରିମାମୟ ଉପସ୍ଥିତିରେ ଅତ୍ୟନ୍ତ ଗମ୍ଭୀରତାର ସହ ଆୟୋଜିତ ହୋଇଯାଇଛି। ମହାମହିମ ରାଷ୍ଟ୍ରପତି ୧୨.୧୦ ମିନିଟ୍‌ରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ପରିସରସ୍ଥ ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ। ତାଙ୍କୁ ଓଡ଼ିଶାର ମହାମହିମ ରାଜ୍ୟପାଳ ତଥା ଫକୀର ମୋହନ ବିଶ୍ୱବିଦ୍ୟାଳୟର ଚାନସେଲର୍ ଶ୍ରୀ ହରିବାବୁ କାମ୍ଭାମପତି, ଡିଆଇଜି ଶ୍ରୀ ପିନାକ ମିଶ୍ର, ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ସ୍ୱାଗତ କରିଥିଲେ।

ମହାମହିମ ରାଷ୍ଟ୍ରପତି ବିଶ୍ଵବିଦ୍ୟାଳୟ ସାମ୍ନାରେ ଥିବା ଫକୀର ମୋହନଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପାଞ୍ଜଳି ଦେଲା ପରେ ନୂତନ ନିର୍ମିତ ଅଡିଟୋରିୟମ୍‌ର ଉଦ୍‌ଘାଟନ କରିବା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମା ଉନ୍ମୋଚନ କରିଥିଲେ। ତାଙ୍କୁ ବିଶ୍ଵବିଦ୍ୟାଳୟ ଭିସି ପ୍ରଫେସର୍ ସନ୍ତୋଷ କୁମାର ତ୍ରିପାଠୀ, ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିଗଣ ସ୍ୱାଗତ କରିଥିଲେ।

ସମାବର୍ତ୍ତନ ଅଭିଭାଷଣରେ ମହାମହିମ ରାଷ୍ଟ୍ରପତି ଫକୀର ମୋହନ ସେନାପତିଙ୍କ ସାହିତ୍ୟିକ ଅବଦାନ ଓ କନ୍ୟା ଶିକ୍ଷା ପ୍ରଚାରରେ ତାଙ୍କର ଅଗ୍ରଣୀ ଭୂମିକାକୁ ସ୍ମରଣ କରିଥିଲେ। ସେ ଫକୀର ମୋହନଙ୍କ ଅମର କୃତି ‘ରେବତୀ’ର ଗୁରୁତ୍ୱକୁ ଉଲ୍ଲେଖ କରି, ରେବତୀ କିପରି ଅନେକ ଅସୁବିଧା ସତ୍ତ୍ୱେ ଶିକ୍ଷା ପାଇଁ ସଂଘର୍ଷ କରିଥିଲେ ତାହା ବର୍ଣ୍ଣନା କରିଥିଲେ। ଫକୀର ମୋହନ ବିଶ୍ୱବିଦ୍ୟାଳୟର ଶିକ୍ଷା, ଗବେଷଣା, ସାମାଜିକ ସେବା ଓ ସମୁଦାୟ ସଂଲଗ୍ନତାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ନୀତି, ସତ୍ୟ ନିଷ୍ଠତା ଓ ସାମାଜିକ ଦାୟିତ୍ୱବୋଧ ଅତୁଟ ରଖିବାକୁ ଆହ୍ୱାନ କରିଥିଲେ।ଏହି ଅବସରରେ ସେ ଅଟଳ ଜୀଙ୍କୁ ମନେ ପକାଇଥିଲେ ଏବଂ ତାଙ୍କର ମହାନ୍ କାର୍ଯ୍ୟକୁ ବର୍ଣ୍ଣନା କରିଥିଲେ। ତାଙ୍କର କିଛି ବକ୍ତବ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା। ସେ କହିଥିଲେ, ଏ ମାଟି କେବଳ ରତ୍ନଗର୍ଭା ନୁହଁ ମାଟିର ମାଆ ମାନେ ମଧ୍ୟ ରତ୍ନଗର୍ଭା। ଖାଲି ଫକୀରମୋହନ ନୁହଁନ୍ତି ସେ ମନେ ପକାଇଥିଲେ ରାଧାନାଥଙ୍କୁ, କାନ୍ତକବିଙ୍କୁ ପୁଣି କୁନ୍ତଳା କୁମାରୀ ସାବତଙ୍କୁ। ଶେଷରେ ଉତ୍କଳମଣିଙ୍କ ଉକ୍ତି “ମାନବ ଜୀବନ ନୁହଇ କେବଳ ବର୍ଷ ମାସ ଦିନ ଦଣ୍ଡ କର୍ମେ ଜିଏଁ ନର କର୍ମ ଏକା ତାର ଜୀବନର ମାନଦଣ୍ଡ ବୋଲି କହି ନିଜର ବକ୍ତବ୍ୟ ଶେଷ କରିଥିଲେ।

ମାନ୍ୟବର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଶିକ୍ଷା ସମ୍ବନ୍ଧୀୟ ଉଲ୍ଲେଖନୀୟ ବିକାଶମୂଳକ ଯୋଜନା ଓ ଭିଜନ୍ ସମ୍ପର୍କରେ କହିଥିଲେ। ସମାବର୍ତ୍ତନରେ ୧,୮୩୧ ଜଣ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଓ ପଦକ ପ୍ରଦାନ କରାଯାଇଥିଲା। ଗତ ତିନି ବର୍ଷରେ ବିଶ୍ୱବିଦ୍ୟାଳୟ ୧୦୧ଟି ସ୍ୱର୍ଣ୍ଣପଦକ ପ୍ରଦାନ କରିଥିବା ବେଳେ ୮୯ ଜଣ ଗବେଷଣା ପଣ୍ଡିତ ପିଏଚ୍‌ଡି ଡିଗ୍ରୀ ପ୍ରାପ୍ତ କରିଛନ୍ତି। ଉଚ୍ଚଶିକ୍ଷା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ରାଜ୍ୟରେ ଉଚ୍ଚଶିକ୍ଷାକୁ ସୁଦୃଢ଼ କରିବା ପାଇଁ ନୂତନ ପଦକ୍ଷେପ ଓ ନୀତି ସଂଶୋଧନ ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ଯେଉଁ ମାନଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା ସେମାନେ ହେଲେ କ୍ରୀଡା କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ଶ୍ରୀମତୀ ଅନୁରାଧା ବିଶ୍ୱାଳ, ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ଶ୍ରୀ ଶାନ୍ତନୁ କୁମାର ଆଚାର୍ଯ୍ୟ, ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଅବଦାନ ପାଇଁ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା।

ଭାଇସ୍ ଚାନସେଲର୍ ପ୍ରଫେସର୍ ସନ୍ତୋଷ କୁମାର ତ୍ରିପାଠୀ ବିଶ୍ୱବିଦ୍ୟାଳୟର ଉପଲବ୍ଧି ଓ ବିକାଶମୂଳକ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଥିଲେ।‌ ରାଜ୍ୟପାଳ ତଥା ଚାନସେଲର୍ ଶ୍ରୀ ହରିବାବୁ କାମ୍ଭାମପତି ଶିକ୍ଷାକୁ ସମାଜ ଉନ୍ନତିର ଶକ୍ତିଶାଳୀ ଉପକରଣ ବୋଲି ଉଲ୍ଲେଖ କରି ଛାତ୍ରଛାତ୍ରୀମାନଙ୍କୁ ଆଜୀବନ ଶିକ୍ଷାର୍ଥୀ ହୋଇ ରହିବାକୁ ପରାମର୍ଶ ଦେଇଥିଲେ।ସମାରୋହରେ ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ୱର, ନୀଳଗିରି, ସିମୁଳିଆ ଓ ରେମୁଣା (ଉପମୁଖ୍ୟ ସଚେତକ) ବିଧାୟକମାନେ, ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀ, ଶିକ୍ଷାବିଦ୍ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ସମାରୋହ ପ୍ରଫେସର୍ ନିହାର ରଞ୍ଜନ ରାଉତଙ୍କ ମଞ୍ଚ ସଂଚାଳନାରେ ସଫଳତାର ସହିତ ସମ୍ପନ୍ନ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.