ଚାଷୀର ହକ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଲେ ବିଜେଡି ନେତା ଓ କର୍ମୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟରେ ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି ପ୍ରସଙ୍ଗରେ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛି। ସେହି ଅନୁକ୍ରମେ ଆଜି କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ହଜାର ହଜାର ସଂଖ୍ୟାରେ ଚାଷୀ ଯୋଗଦେଇ ବିଜେପି ସରକାର ଉପରେ ବର୍ଷିଛନ୍ତି। ପ୍ରଥମେ ଚାଷୀଙ୍କୁ ସାର ମୁଠାଏ ଦେବା ପାଇଁ ସରକାର ହନ୍ତସନ୍ତ କଲେ। ଧାନ ଉତ୍ପାଦନ ପରେ ଧାନକିଣା ପ୍ରକ୍ରିୟା ଠିକ୍‌ ଭାବେ ହୋଇପାରୁ ନାହିଁ। କଳାହାଣ୍ଡି ଜିଲ୍ଲାର ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେବି ହଜାର ହଜାର କ୍ୱିଣ୍ଟାଲ ଧାନ ମଣ୍ଡି ରେ ପଡ଼ି ରହିଛି। ବିଜେପି ସରକାର କେବଳ ପ୍ରଚାର ସର୍ବସ୍ୱ ସରକାର। ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଓ ପରେ ୬୯ ଟଙ୍କା ମିଶାଇ ଦେବାକୁ ଘୋଷଣା କରି ଏବେ ପଛଘୁଞ୍ଚା ଦେଉଛନ୍ତି ବୋଲି ବିଜେଡି ନେତା ମାନେ କହିଛନ୍ତି। କଟନୀ ଛଟନୀରେ ଅତିଷ୍ଠ ହୋଇ ପଡ଼ିଥିବା ଜିଲ୍ଲାର ଚାଷୀଙ୍କ ଉପରେ ମିଲର୍ସ ମାନେ ଦାଉ ସାଧୁଛନ୍ତି। ଶୀତ କାକରରେ ପଡ଼ି ଚାଷୀମାନେ ହନ୍ତସନ୍ତ ହେଉଥିବାବେଳେ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ମେଳା, ମହୋତ୍ସବରେ ମଉଜ କରୁଛନ୍ତି। ଏପରିକି ଖୋଦ ଉପ-ମୁଖ୍ୟମନ୍ତ୍ରୀ ଚାଷୀଙ୍କ ସମସ୍ୟାକୁ ହୃଦୟଙ୍ଗମ କରିବା ବଦଳରେ ସେମାନଙ୍କୁ ତାତ୍ସଲ୍ୟ କରିବାକୁ ପଛେଇନାହାନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ସେହିଭଳି ଆଜି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟର ଚାଷୀ, ମହିଳା, ସାଧାରଣ ଲୋକଙ୍କ ହକ ଓ ଅଧିକାର ପାଇଁ ବିଜୁ ଜନତା ଦଳ ସବୁବେଳେ ରହିଥିଲା ଆଗକୁ ବି ରହିବ ବୋଲି ଜିଲ୍ଲା ସଭାପତି ପ୍ରଦୀପ କୁମାର ଦିଶାରୀ କହିଛନ୍ତି । ସେହିପରି ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି, ରାଜ୍ୟରେ ସାମ୍ପ୍ରଦାୟିକ ଭେଦଭାବ ବୃଦ୍ଧି ସହିତ ରାଜ୍ୟରେ ଆଇନଶୃଙ୍ଖଳା ବିଗିଡ଼ିଯାଇଥିବା ଅଭିଯୋଗ କରି ବିଜେଡି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି। ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିଜେଡିର ବହୁ ନେତୃବୃନ୍ଦ ସାମିଲ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରିଥିଲେ। ସେହିପରି ଅପରାହ୍ନରେ ବିଜେଡି ନେତା ଓ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦାବିପତ୍ର ଦେବାକୁ ଯାଇଥିବାବେଳେ ସେମାନଙ୍କୁ ପୋଲିସ ଅଟକାଇଥିଲା। ସେହିପରି ଜିଲ୍ଲାପାଳ ଆସିବାରେ ବିଳମ୍ବ କରିବା ସହିତ ତାଙ୍କ ପ୍ରତିନିଧି ଭାବେ ଭବାନୀପାଟଣା ଉପଜିଲ୍ଲାପାଳଙ୍କୁ ଆଲୋଚନା ପାଇଁ ପଠାଇଥିଲେ। କିନ୍ତୁ ଜିଲ୍ଲାପାଳ ନିଜେ ଆସି ଦାବିପତ୍ର ଗ୍ରହଣ କରିବାକୁ ଜିଦ ଧରି ଅଡ଼ି ବସିଥିଲେ ବିଜେଡି ନେତୃବୃନ୍ଦ। ତେବେ ଦୀର୍ଘ ସମୟ ଧରି ଜିଲ୍ଲାପାଳ ନଆସିବାରୁ ଶତାଧିକ ବିଜେଡି ନେତା ଓ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ। ନାରାବାଜି କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ବିଜେଡି ଜିଲ୍ଲା ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ଓ ପ୍ରତିବାଦ ସଭାରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ନର୍ଲା ବିଧାୟିକା ମନୋରମା ମହାନ୍ତି, ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ, ଗୋବର୍ଦ୍ଧନ ଦାଶ, ମହୋଷଧି ବାଗ, ପୂର୍ବତନ ସଦର ବିଧାୟକ ଦୁଷ୍ମନ୍ତ ନାଏକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର, ସମବାୟ ବ୍ୟାଙ୍କ ସଭାପତି ଗିରୀଶ ଚନ୍ଦ୍ର ବେହେରା, ବିଜେଡି ବରିଷ୍ଠ ନେତା ପ୍ରଦୀପ ମୁଣ୍ଡ, ଧର୍ମେନ୍ଦ୍ର ନାଏକ, ଜିତେନ୍ଦ୍ର ମହାନ୍ତି, ଟିକେଲାଲ ସାହୁ, ଥବିର ସାହୁ, ନଗରପାଳ ବିଷ୍ଣୁ ପ୍ରଧାନ, ମହିଳା ସଭାନେତ୍ରୀ ଲଳିତା ନାଏକ, କଲ୍ୟାଣୀ ନାୟକ, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଯୁବ ରାଜ୍ୟ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ଉପସଭାପତି ମନିନ୍ଦ୍ର ମହାନ୍ତି, ବରିଷ୍ଠ ବିଜେଡି ନେତା ଦୁର୍ଗାପ୍ରସାଦ ମହାନ୍ତି, ପ୍ରଶାନ୍ତ ନାଏକ, ସାମନ୍ତ ଖମାରୀ, ନୃପରାଜ ଯାଦବ, ବଦ୍ରିନାରାୟଣ ପଟ୍ଟନାୟକ, ଛାତ୍ର ବିଜେଡି ସଭାପତି ଅଜିତ କୁମାର ସାହୁ, ମାଣିକ୍ୟ ନାଏକ, ଜଜାତି ମହାନ୍ତି, ମହିଳା ନେତ୍ରୀ ସବିତା ପ୍ରଧାନ, ସୁନନ୍ଦା ସାହୁ, ପୂର୍ବତନ ନଗରପାଳ ସଂଯୁକ୍ତା ବେହେରା, ସବିତା ମେହେର, ପ୍ରେମ ରଞ୍ଜନ ପାଣିଗ୍ରାହୀ, ପରମାନନ୍ଦ ମାଝୀ, ରୋମାଞ୍ଚଳ ସାହୁ, ବିଜୟ ଧଙ୍ଗଡ଼ାମାଝୀ, ମହେଶ ସାହୁ, ତ୍ରିଲୋଚନ ପାଣିଗ୍ରାହୀ, ସେନାପତି ନାଏକ, ରୁତୁରାଜ ମାଝୀ, ଆଶୁତୋଷ ପୁରୋହିତ, ସମସ୍ତ ବ୍ଳକ ସଭାପତି ଓ କାଉନସିଲର ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ର ନେତା ଅବିନାଶ ଠାକୁର ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଦଳର ବରିଷ୍ଠ ନେତା ଭବାନୀଶଙ୍କର ମିଶ୍ର ସଭା ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.