ଶାନ୍ତିନିକେତନରେ ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ ପକ୍ଷରୁ ଆୟୋଜିତ ହେଲା ଦିବସବ୍ୟାପି କାର୍ଯ୍ୟକ୍ରମ ‘ରବୀନ୍ଦ୍ର ଦର୍ଶନ’

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ଓ ଓଡ଼ିଆ ଭାଷାବିକାଶ ଆନ୍ଦୋଳନ, ବାଲେଶ୍ୱରର ମିଳିତ ଆନୁକୂଲ୍ୟରେ ଶାନ୍ତିନିକେତନର ଭାଷାଭବନ ଠାରେ ଏକଦିବସ ବ୍ୟାପି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ଓଡ଼ିଆ ବିଭାଗ ମୁଖ୍ୟ ତଥା ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ସବିତା ପ୍ରଧାନ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆସରକୁ ଉଦ୍‌ଘାଟନ କରି ଏହିପରି ଏକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଆକୃଷ୍ଟ କରିବ ବୋଲି ମତବ୍ୟକ୍ତ କରିଥିଲେ।

ଅନୁଷ୍ଠାନର ସାଧାରଣ ସଂପାଦକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଉଦ୍‌ବୋଧନ ଦେଇ ଶାନ୍ତିକାନନ ଓ ଶାନ୍ତିନିକେତନ ମଧ୍ୟରେ ଥିବା ସାମଞ୍ଜସ୍ୟକୁ ଶ୍ରୋତାମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଶାନ୍ତିନିକେତନର ଅବଦାନକୁ ମଧ୍ୟ ସେ ପ୍ରକାଶ କରିଥିଲେ। ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ, ବିଶିଷ୍ଟ କବି ଡକ୍ଟର ହରିଶ୍ଚନ୍ଦ୍ର ବେହେରା ତଥା ଶାନ୍ତିନିକେତନ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡକ୍ଟର ଇନ୍ଦ୍ରମଣି ସାହୁ ରବୀନ୍ଦ୍ରନାଥଙ୍କର ସାହିତ୍ୟକୃତି, ସ୍ୱାଧୀନତା ସଂଗ୍ରାମ ପାଇଁ ତାଙ୍କର ଅବଦାନ, ଓଡ଼ିଶା ସହ ରବୀନ୍ଦ୍ରନାଥଙ୍କର ସଂପର୍କ ତଥା ବିଶ୍ୱକବି ଓ ବ୍ୟାସକବିଙ୍କ ମଧ୍ୟରେ ଏକ ତୁଳନାତ୍ମକ ଆଲୋଚନାକୁ ନିବନ୍ଧ ଆକାରରେ ପାଠ କରିଥିଲେ।

ପ୍ରଥମେ ବିଶ୍ୱଭାରତୀର ଛାତ୍ର ଶ୍ରୀତମ ଅତିଥିମାନଙ୍କୁ ମଂଚକୁ ଆବାହନ କରିବା ସହ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ଡ. ରବୀନ୍ଦ୍ର କୁମାର ଦାସଙ୍କ ନିର୍ଦ୍ଦେଶନାରେ ଫକୀରମୋହନ, ଗଙ୍ଗାଧର ଓ ମଧୁସୂଦନ ଦାସଙ୍କ କବିତାର ଏକ ମିଶ୍ରିତ ଅଂଶକୁ ଗାନ କରିଥିଲେ। ପ୍ରଫେସର ସବିତା ପ୍ରଧାନଙ୍କ ଦ୍ୱାରା ପ୍ରଦତ୍ତ ‘ଉଡ଼ିବାକୁ ଡେଣା ପ୍ରସାରିଲି ଯେ ଆକାଶ କାହିଁ’ ଶୀର୍ଷକୀୟ ଏକ ବାକ୍ୟାଂଶକୁ କବିମାନେ ଏକତ୍ର କବିତା ଭାବରେ ରଚନା କରିଥିଲେ। ସେହି ଛୋଟ କବିତାଗୁଡ଼ିକୁ କବି ଦୀପକ ବୋଷ ଓ ସଂଗଠନ ସଂପାଦକ ତପନ ରାୟ ସଂଯୋଜନା କରିଥିଲେ।

ଏହି ଅବସରରେ ଅନୁଷ୍ଠିତ କବିତା ପାଠୋତ୍ସବରେ ୧୨୫ଜଣ କବି ସେମାନଙ୍କର କବିତା ପାଠ କରିଥିଲେ। ଡକ୍ଟର ଶରତ କୁମାର ଜେନା ଏକତ୍ର କବିତା ଓ ସାଂପ୍ରତିକ କବିତା ସଂପର୍କରେ ଶ୍ରୋତାମାନଙ୍କୁ ଏକ ତଥ୍ୟପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ। ଅପରାହ୍ଣ ଚାରିଟା ସମୟରେ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ଦ୍ୱାରା ରଚିତ, ନିରଂଜନ ରାଉତଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ କଲ୍ୟାଣୀ ନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ‘ଧୂର୍ଜଟୀ ଓ ଭାନୁସିଂହର ଗାଥା’ ନାମରେ ଏକ ନାଟକ ମଂଚସ୍ଥ କରା ଯାଇଥିଲା। ଏହି ନାଟକରେ ବାସନ୍ତୀ ଦେ, ଅର୍ଚ୍ଚନା କର, କବିତା ଜେନା, ସ୍ନିଗ୍ଧା ସାମନ୍ତରାୟ, ତୃପ୍ତିରାଣୀ ପାତ୍ର, କୃଷ୍ଣା ପ୍ରଧାନ, ସୁନାମଣି ଜେନା, ଶାନ୍ତି ବିଶି, ଶାନ୍ତିଲତା ପଣ୍ଡା, ପୁଷ୍ପଲତା ଚକ୍ରବର୍ତ୍ତୀ, ମମତା ଦାସ, କଲ୍ୟାଣୀ ନନ୍ଦ ପ୍ରମୁଖ ନୃତ୍ୟ ପରିବେଷଣ କରିଥିବା ବେଳେ ବେଣୁଧର ସାହୁ, ପ୍ରଫୁଲ୍ଲ କୁମାର ଦାସ, ପଣ୍ଡିତ ସଂଜୟ କୁମାର ପଣ୍ଡା, ଜୁମରନାଥ ପାତ୍ର, ପ୍ରଭାକର ସାହୁ ଓ ଡକ୍ଟର ସାରଙ୍ଗଧର ତ୍ରିପାଠୀ ଅଭିନୟରେ ଅଂଶଗ୍ରହଣ କରିଥିଲେ। ଡକ୍ଟର ଲକ୍ଷ୍ମଣ ଚରଣ ବିଶ୍ୱାଳ ସ୍ମାରକ ଭୂମିକା ନିର୍ବାହ କରିଥିଲେ। ‘ଓଡ଼ିଆ ଭାଷାବିକାଶ ଆନ୍ଦୋଳନ’ ତରଫରୁ ଫକୀରମୋହନଙ୍କର ଏକ ପ୍ରତିମୂର୍ତ୍ତି ବିଭାଗୀୟ ମୁଖ୍ୟଙ୍କୁ ସମର୍ପଣ କରାଯାଇଥିଲା।

ଏହି ଦିବସବ୍ୟାପି କାର୍ଯ୍ୟକ୍ରମରେ ପ୍ରଫେସର ମନୋରଂଜନ ପ୍ରଧାନ, ନିବାରଣ ଜେନା, ମମତା ମହାପାତ୍ର, ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ, ଅଂଜଳି ପଣ୍ଡା, ଶରତ କୁମାର ମହାପାତ୍ର, ଡ. ଶିରୀଶଚନ୍ଦ୍ର ଜେନା, ଡ. ରମାକାନ୍ତ ନାୟକ, ଡ. କ୍ଷିତୀଶ୍ୱର ଦାଶ, ଡ. ଭାଗବତ ପ୍ରସାଦ ଦାସ, ଅରୁଣ ଚାଟ୍ଟାର୍ଜୀ, ଗଗନ ଦଳାଇ,ଡ. ରତ୍ନାକର ସିଂହ ପ୍ରମୁଖ ୭୦ଜଣ ରବୀନ୍ଦ୍ର ଦର୍ଶନ ଯାତ୍ରୀ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.