ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାପୀଠର ରଜତ ଜୟନ୍ତୀର ସମାରୋହ ଆରମ୍ଭ ହୋଇଯାଇଛି। ରବିବାର ଏହାର ଉଦ୍ଘାଟନୀ ଦିବସ ସକାଳେ ସ୍ଥାନୀୟ ବିଷ୍ଣୁ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା ପରେ ସଭା ସ୍ଥଳକୁ ନିଆଯାଇଥିଲା। ଏଥିରେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଭୀମକେଲା ସରପଞ୍ଚ ଜାନକୀ ଗଉଡ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମଧୁସୁଦନ ଦାଶ , ବରିଷ୍ଠ ଶିକ୍ଷକ ବିନୟ କିଶୋର ଦାଶ, ପୂର୍ବ ଛାତ୍ର ସଂସଦ ର ସଭାପତି କୁଶଚନ୍ଦ୍ର ସାହୁ, ସମ୍ପାଦକ ସରୋଜ କୁମାର ସାହୁ ଓ ବହୁ ସଂଖ୍ୟାରେ ଏହି ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ଗ୍ରାମବାସୀ ଉପସ୍ଥିତ ରହି ମଶାଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ମଞ୍ଚ ରେ ମୁଖ୍ୟ ଅତିଥି ଭାବେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ତପିମଣି ଜାନୀ, ଜିଲ୍ଲା ପରିଷଦ ସଦସ୍ୟା ନମ୍ରତା ସାହୁ, ଭୀମକେଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଜାନକୀ ଗଉଡ, ସମିତି ସଭ୍ୟା ସୁମିତ୍ରା ମାଝୀ ପ୍ରମୁଖ ଯୋଗଦେଇ ଥିଲେ। ପ୍ରଧାନ ଶିକ୍ଷକ ମଧୁସୁଦନ ଦାଶ ଅତିଥିଙ୍କ ପରିଚୟ ପ୍ରଦାନ ଓ ବିବରଣୀ ପଠନ କରିଥିବା ବେଳେ ଅତିଥିମାନଙ୍କ ଦ୍ଵାରା ରୌପ୍ୟ ଜୟନ୍ତୀର ପୁସ୍ତକ “ପଞ୍ଚ ସୈାରଭ” ଉନ୍ମୋଚିତ ହୋଇଥିଲା। ପ୍ରଥମ ଅଧିବେଶନ ସଭାରେ ବିଶିଷ୍ଟ ଅତିଥି ତଥା ରାଜ୍ୟ ପୂର୍ବତନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ଯୋଗଦାନ କରି ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତିର ଶୁଭେଚ୍ଛା ପ୍ରଦାନ କରିଥିଲେ। ସେହିଭଳି ସନ୍ଧ୍ୟା ୮ ଘଣ୍ଟା ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାନ୍ଧ୍ୟ ଅଧିବେଶନ ରେ ବିଶିଷ୍ଟ ଅତିଥି ଭାବରେ ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷକ ଓ ପ୍ରତିଷ୍ଠାତା ସଦସ୍ୟ ଆଇନଜିବୀ କୁବେର ଚନ୍ଦ୍ର ସାହୁ, ଅନ୍ୟତମ ଅତିଥି ଭାବରେ ପୁରାତନ ଛାତ୍ର ସଂସଦ ର ସଭାପତି କୁଶ ଚନ୍ଦ୍ର ସାହୁ, ଭୀମକେଲାର ସରପଞ୍ଚ ଜାନକୀ ଗଉଡ଼, ସରିଆଁ ହାଇସ୍କୁଲ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ, ମୁଖ୍ୟବକ୍ତା ଭାବରେ ଥୁଆମୂଲ ରାମପୁର ମାଣିକେଶ୍ବରୀ ମହା ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ଯୋଗଦାନ କରି ମାର୍ଗ ଦର୍ଶନ ଦେଇଥିଲେ। ଇତ୍ୟବସରରେ ବିଦ୍ୟାଳୟର ୩୩ ଗୋଟି ମ୍ୟାଟ୍ରିକ ବ୍ୟାଚ ର ଟପ୍ପର ଛାତ୍ର ଛାତ୍ରୀଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ପୁରାତନ ଛାତ୍ର ସଂସଦର ସଦସ୍ୟ ହେମନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୁରାତନ ଛାତ୍ର ମଗନଲାଲ ବୈଠାରୁ ମଞ୍ଚ ସଂଯୋଜନା କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ଦାସ ବିବରଣୀ ପଠନ କରିଥିଲେ। ଶିକ୍ଷକ ସଞ୍ଜୟ ସେନାପତି, ବିନୟ ଦାସ, ରାଜୀବ ଦାସ, କେଶବ ମହାପାତ୍ର, ନୃସିଂହ ଦଳେଇ, କର୍ମଚାରୀ ତୀର୍ଥ କରୁଆଁ, କିଶୋର କରୁଆଁ, ଥବିର ବୈଠାରୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷ ପର୍ଯ୍ୟାୟରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ପୂର୍ବତନ ଛାତ୍ର ଭବାନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।





