ଏନସିସି ନକଆଉଟ ଟି-୧୫ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ନର୍ଲା ଆରଆର ୱାରିଅରର୍ସ ଚମ୍ପିଅନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ମିନି ଷ୍ଟାଡିୟମରେ ଡିସେମ୍ବର ୩୦ ରୁ ଚାଲିଆସୁଥିଲା ଏନସିସି ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ନର୍ଲା କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୧୬ ଗୋଟି ଟିମ ଅଂଶ ଗ୍ରହଣ କରିଥିଲେ। ନର୍ଲା କ୍ରୀକେଟ କ୍ଲବର ସଭାପତି ଦୀପୁ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଉଦ୍ଘାଟନୀ ମ୍ୟାଚ ମୁନିଗୁଡା ଓ ଭବାନୀପାଟଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରବିବାର ଫାଇନାଲ ଖେଳ ଆୟୋଜକ ନର୍ଲା ଆରଆର ୱାରିଅରର୍ସ ଓ ଭବାନୀପାଟଣା ସନରାଇଜ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଭବାନୀପାଟଣା ଟସ ଜିଣି ପ୍ରଥମ ବ୍ୟାଟିଂ ନିଷ୍ପତି ନେଇ ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ୱିକେଟ ହରାଇ ୧୫୯ ରନ କରିଥିଲା। ଜବାବରେ ନର୍ଲା ଆରଆର ୱାରିଅର୍ସ ଚମତ୍କାର ଖେଳ ପ୍ରଦର୍ଶନ କରି ମାତ୍ର ୧୨ ଓଭର ୪ ବଲରେ ୫ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିବା ସହ ବିଜୟୀ ହୋଇଥିଲେ। ନର୍ଲା ଟିମର ଷ୍ଟାର ବ୍ୟାଟସ ମ୍ୟାନ ମାଷ୍ଟ ବ୍ଲାଷ୍ଟର ଭବାନୀ ଧୂଆଁଧାର ବ୍ୟାଟିଂ କରି ଭବାନୀପାଟଣା ସନରାଇଜ ଏକାଦଶକୁ ଧରାଶାୟୀ କରିଥିଲେ। ପ୍ରିୟବ୍ରତ ଚାନ୍ଦ (କୁଲୁ) ଓ କୁମୁଦ ରାଉତ ଅମ୍ପାୟର ଭାବରେ ଫାଇନାଲ ମ୍ୟାଚ ପରିଚାଳନା କରିଥିଲେ। ଖେଳ ସମାପନ ହେବାପରେ ସଂଧ୍ୟା ୫ ଘଣ୍ଟା ସମୟରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ବିଜେଡି ଜିଲ୍ଲା ଉପସଭାପତି ସାରଦା ପ୍ରସନ୍ନ ସ୍ୱାଇଁ ଯୋଗଦାନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବି ଗୌଡିଆ, କଂଗ୍ରେସର ଜିଲ୍ଲା ସମ୍ପାଦକ ତଥା ରୁପ୍ରାରୋଡ କଳାପାହାଡ କ୍ରୀକେଟ ଏସୋସିଏସନର ସାଧାରଣ ସମ୍ପାଦକ ନୀରଜ ଶର୍ମା (ସାନୁ), ଯୁବ ନେତା ପ୍ରଦୀପ କୁମାର ନାଏକ, ମୃତ୍ୟୁଞ୍ଜୟ ଚାନ୍ଦ, ବିକାଶ ଚାନ୍ଦ, ପ୍ରଫୁଲ୍ଲ କୁମାର ନାଗ, ସରୋଜ ବାରିକ, ଅମିତ ହୋତା ପ୍ରମୁଖ ମଞ୍ଚାସୀନ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ। ମ୍ୟାନ ଅଫ ଦ ମ୍ୟାଚ ଓ ମ୍ୟାନ ଅଫ ଦ ସିରିଜ ଭାବରେ ନର୍ଲା ଆରଆର ୱାରିଅର୍ସର ଭବାନୀଙ୍କୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରା୍‌ାଇଥିଲା। ବେଷ୍ଟ ବୋଲର୍ସ ଭାବରେ ଭବାନୀପାଟଣା ସନରାଇଜ ଟିମର ଚୁଳ, ବେଷ୍ଟ ଫିଲଡର ଭାବରେ ସନରାଇଜ ଟିମର ଆଲୋକଙ୍କୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରାଯାଇଥିଲା। ସେହିଭଳି ଶୃଙ୍ଖଳିତ ଟିମ ଭାବରେ ଭବାନୀପାଟଣା ଇରିଗେସନ ଟିମକୁ ପୁରସ୍କୃତ କରାଯାଇଥିଲା। ବେଷ୍ଟ କମେଣ୍ଟେଟର ଭାବରେ ରାହୁଲ ନାଏକଙ୍କୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରିଥିଲେ ଅତିଥି ବୃନ୍ଦ। ଫାନାଲର ଉପବେଜେତା ସନରାଇଜ ଭବାନୀପାଟଣାକୁ ଟ୍ରଫି ସହ ନଗଦ ୩୦,୦୦୦ ଟଙ୍କା ଓ ଚମ୍ପିଅନ ଆରଆର ୱାରିଅର୍ସ ନର୍ଲାକୁ ଟ୍ରଫି ସହ ୫୦,୦୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ନର୍ଲା କ୍ରୀକେଟ କ୍ଲବର ସଦସ୍ୟ ସୁମନ୍ତ ମାଝୀ, ମିଲୁ ସେଠୀ, ତୋଫାନ, ବିଭୁତି, ସତ୍ୟ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ। ପଣ୍ଡା ଵାବୁ ଲାଇଭ ତରଫରୁ ୟୁଟ୍ୟୁବ ଚ୍ୟାନେଲରେ ସିଧା ପ୍ରସାରଣ କରଯାଇଥିଲା। ଶୃଙ୍ଖଳିତ ଭାବରେ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିବାରୁ ନର୍ଲା କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ଓ ନର୍ଲାର ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ସଭାପତି ଦୀପୁ ପାତ୍ର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.