ନୀଳରକ୍ତ କଙ୍କଡ଼ା ସୁରକ୍ଷା ପାଇଁ ଅଭୟାରଣ୍ୟ ଓ ସ୍ବତନ୍ତ୍ର ବଜେଟ୍ ଘୋଷଣା ଦାବୀ କଲା ‘ମୁନ୍ କମ୍ୟୁନିକେସନ’
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ଅଗ୍ରଣୀ ଅନୁଷ୍ଠାନ ମୁନ୍ କମ୍ୟୁନିକେସନ ପକ୍ଷରୁ ମହିଷାଳୀ ମୁହାଣ ଠାରେ ନୀଳରକ୍ତ କଙ୍କଡ଼ା ସୁରକ୍ଷା ପାଇଁ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନଦୀ ମୁହାଣ ମାନଙ୍କରେ ମତ୍ସ୍ୟଜୀବୀଙ୍କ ଜାଲରେ ଛନ୍ଦି ହୋଇ ଅଣ୍ଡା ଦେବାକୁ ଆସୁଥିବା ବହୁ ସଂଖ୍ୟକ ନୀଳରକ୍ତ କଙ୍କଡ଼ା ମୃତ୍ୟୁ ବରଣ କରୁଥିବାର ଦେଖିବାକୁ ମିଳୁଛି। ମତ୍ସ୍ୟଜୀବୀମାନେ ସେମାନଙ୍କ ଛିଣ୍ଡା ଜାଲ ଜୁଆର ପାଣି ଯା’ଆସ କରୁଥିବା ସ୍ଥାନରେ ଫିଙ୍ଗି ଦେଉ ଥିବାରୁ ସେଥିରେ ଛନ୍ଦି ବହୁ ନିରୀହ ଓ ବିରଳ ପ୍ରଜାତି ନୀଳରକ୍ତ କଙ୍କଡ଼ା ମରି ଯାଉଛନ୍ତି। ଏଥିପାଇଁ ‘ମୁନ କମ୍ୟୁନିକେସନ’ର ସମ୍ପାଦକ ଅବନୀ କୁମାର ଜେନାଙ୍କ ଆହ୍ୱାନ କ୍ରମେ ସ୍ଥାନୀୟ ଅଞ୍ଚଳବାସୀ ତଥା ଅନୁଷ୍ଠାନର ସଦସ୍ୟ ସଦସ୍ୟା ମୁରଲୀଧର ମହାନ୍ତି, ଜଳଧର ବେହେରା, ପର୍ଶୁରାମ ରାଉତ, ପଙ୍କଜିନୀ ଦାସ, ଜିତେନ୍ଦ୍ର ଦାସ, ଦେବାଶିଷ ପତି ଯୋଗ ଦେଇ ମୁହାଣ ମୁହଁକୁ ସଫେଇ କରିବା ସହ ଶପଥ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ନୀଳରକ୍ତ କଙ୍କଡ଼ା ଓ ସାମୁଦ୍ରିକ ଜୈବ ସୁରକ୍ଷା ମଞ୍ଚର ସଭାପତି ଶିଳ୍ପୀ କେଶୁଦାସ ଯୋଗ ଦେଇ ସମସ୍ତଙ୍କୁ ନୀଳରକ୍ତ କଙ୍କଡ଼ା ବିଷୟରେ ସବିଶେଷ ଅବଗତ କରାଇବା ସହ ଶପଥ ଗ୍ରହଣ କରାଇଥିଲେ। ପ୍ରକାଶ ଥାଉକି ବାଲେଶ୍ଵର ଗସ୍ତରେ ଆସି ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତାଙ୍କ ବକ୍ତବ୍ୟରେ ନୀଳରକ୍ତ କଙ୍କଡ଼ା ଉଲ୍ଲେଖ କରିଥିଲେ। ଏଥିପାଇଁ ନୀଳରକ୍ତ କଙ୍କଡ଼ା ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଉତ୍ସାହିତ ହେବା ସହ ନୀଳରକ୍ତ କଙ୍କଡ଼ା ସୁରକ୍ଷା ପାଇଁ ବାଲେଶ୍ଵର ଓ ଭଦ୍ରକର ଦୁଇଟି ନଦୀ ମୁହାଣକୁ ଯଥାଶୀଘ୍ର ଅଭୟାରଣ୍ୟ ଘୋଷଣା ସହ ଅଲିଭ ରିଡ଼ଲେ ସୁରକ୍ଷା ପାଇଁ ସ୍ବତନ୍ତ୍ର ବଜେଟ୍ ପରି ନୀଳରକ୍ତ ସୁରକ୍ଷା ପାଇଁ ସ୍ବତନ୍ତ୍ର ବଜେଟ୍ କରାଯାଉ ବୋଲି ଦାବି ହେଉଛି।





