ନର୍ଲା ବିଜେପିର ଭିବି ଜି ରାମଜୀ କର୍ମଶାଳା ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ମଣ୍ଡଳ ବିଜେପି ତରଫରୁ ଭିବି ଜି ରାମଜୀ କର୍ମଶାଳା ସ୍ଥାନୀୟ ଜିତୁ ଚାନ୍ଦ ମାର୍କେଟ କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଯାଇଛି । ନର୍ଲା ମଣ୍ଡଳ ସଭାପତି ଶିବପ୍ରସାଦ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ଦୁର୍ଗା ଯୋଗଦାନ କରି ଭିବି ଜି ରାମଜୀ ବିଷୟରେ ବିଷଦ ଭାବରେ ବୁଝାଇଥିଲେ । ପୂର୍ବ କେନ୍ଦ୍ର ସରକାରଙ୍କ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବଦଳରେ ଏହି ଭିବିଜି ଜି ରାମ ଜି ଯୋଜନା କୁ କେନ୍ଦ୍ର ବିଜେପି ସରକାର ଲାଗୁ କରିବା ଫଳରେ ବିଭିନ୍ନ ଦଳ ବିଶେଷ କରି କଂଗ୍ରେସ ଦଳ ତରଫରୁ ଏହାକୁ ବିରୋଧ କରାଯାଉଥିବା ଦେଖିବାକୁ ମିଳୁଛି । କେନ୍ଦ୍ର ବିଜେପି ସରକାର ବିଭିନ୍ନ ସରକାରୀ ଅନୁଷ୍ଠାନ ଗୁଡିକର ରଙ୍ଗ ବଦଳାଇ ଭିନ୍ନ ରଙ୍ଗରେ ରଙ୍ଗାୟିତ କରୁଥିବା ଓ ଉଦ୍ଦେଶ୍ୟ ମୂଳକ ଭାବରେ ବିଭିନ୍ନ ସହର, ରାସ୍ତାଘାଟର ନାମ ପରିବର୍ତ୍ତନ କରୁଥିବା ଅଭିଯୋଗ ଆଣୁଛି କଂଗ୍ରେସ ଦଳ। ଏବେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମାନୁଯାୟୀ ମନରେଗା ଯୋଜନା ରହିଥିଲା। ଶେଷରେ ଏହାର ମଧ୍ୟ ନାମ ପରିବର୍ତ୍ତନ କରାଯାଇ ରାମଙ୍କ ନାମରେ ଯୋଜନାର ନାମ କରଣକୁ ନେଇ ଖପ୍ପା ହୋଇଛି କଂଗ୍ରେସ। ହେଲେ ପୂର୍ବରୁ ରହିଆସିଥିବା ମନରେଗା ଯୋଜନା କେବଳ କେନ୍ଦ୍ର ସରକାରଙ୍କ ଭାଗୀଦାରି ରହିଥିଲା। ଏଥିରେ ଆଉ କିଛି ସଂଯୁକ୍ତ କରାଯାଇ ଏହି ଯୋଜନାକୁ ଉନ୍ନତ ମାନର କରା୍‌ାଇଥିବା କହୁଛନ୍ତି କେନ୍ଦ୍ର ବିଜେପି ସରକାର। ଆଗରୁ ମନରେଗା ଯୋଜନାରେ ଜବକାର୍ଡ ଧାରୀ ଗରୀବ ଲୋକଙ୍କୁ ୧୦୦ ଦିନର କାମ ଯୋଗାଇ ଦେଉଥିଲେ ସରକାର। ହେଲେ ବର୍ତ୍ତମାନର ଯୋଜନାରେ ଏହାକୁ ବୃଦ୍ଧି କରା୍‌ାଇ ୧୨୫ ଦିନର କାମ ଯୋଗାଇ ଦେଉଛନ୍ତି ସରକାର। ଏଣୁ ଏହି ଭିବି ଜୀ ରାମଜି ଯୋଜନା ବିଷୟରେ ଦଳୀୟ କର୍ମୀ ମାନେ ଅବଗତ ହେବା ସାଙ୍ଗକୁ ତୃଣମୂଳ ସ୍ତରରେ ଲୋକଙ୍କୁ ବୁଝାଇ ଲୋକଙ୍କ ଭ୍ରାନ୍ତ ଧାରଣା ଦୂର କରିବେ। କଂଗ୍ରେସର ଅପପ୍ରଚାର ଠାରୁ ଦୂରେଇ ରହିବେ ବୋଲି ଏହି କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କରିଛନ୍ତି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଦୁର୍ଗା। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ତଥା ନର୍ଲା ମଣ୍ଡଳ ପ୍ରଭାରୀ ପଦ୍ମଲୋଚନ ମିଶ୍ର। ବିଜେପି ନେତା ଚିରଞ୍ଜିବୀ ଗୌଡିଆ, ଦୀପକ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ରହି ଏହି ଯୋଜନା ବିଷୟରେ କର୍ମୀଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ। ବିଜେପି କର୍ମୀ ଲକ୍ଷ୍ମଣ ଦୀପ, ଦଶରଥ ସାହୁ, କିର୍ତ୍ତୀଚନ୍ଦ୍ର ବାଗ, ମୃଗରାଜ ନାଏକ, ଆଶୁତୋଷ ପାଢୀ, ପ୍ରସୁନ ଜାଲ ପ୍ରମୁଖ କର୍ମଶାଳାରେ ଉପସ୍ଥିତ ରହି ତାଲିମ ନେଇଥିଲେ। କାର୍ଯ୍ୟକ୍ରମ ଶେଷରେ ମଣ୍ଡଳ ସଭାପତି ଶ୍ରୀ ରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.