ସାନଗୁଣ୍ଡରୀ ଅଞ୍ଚଳରେ ମାତିଛି ‘କୁଆ’ : ଅଭାବୀ ଧାନ ବିକ୍ରୀର ଶିକାର ହେଉଛନ୍ତି ଚାଷୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନକୁ ଅତି କମ୍ ଦରରେ କିଣି ନେଉଛି ‘କୁଆ’। ଏହି ‘କୁଆ’ ଏକ ପକ୍ଷୀ ନୁହଁ ଜଣେ ଧାନ ଦଲାଲ୍। ବାବୁଙ୍କର ପ୍ରକୃତ ନାମ ହେଉଛି ରେବୁନ୍ ସାହୁ, ହେଲେ ସେ ସ୍ଥାନୀୟ ଅଞ୍ଚଳରେ କୁଆ ନାମରେ ପରିଚିତ। ଘର ହେଉଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସାନଗୁଣ୍ଡରୀ ଗାଁ। ସାନ ବେଳୁ ସେ ପାଲଟିଛନ୍ତି ଜଣେ ପୋଖତ ବ୍ୟବସାୟୀ। ବୟସ ଯେତେ ବଢ଼ିଚାଲିଛି ସେହି ପରିମାଣରେ ବଢ଼ି ଚାଲିଛି ତାଙ୍କ ଦଲାଲଗିରି ଓ ବ୍ୟବସାୟୀକ ସାମ୍ରାଜ୍ୟ। ଧାନ ଚାଷ ଆରମ୍ଭ ହେବା ସମୟରେ ଚାଷୀମାନଙ୍କୁ କୁଇଣ୍ଟାଲ ପିଛା ୧୫୦୦ ରୁ ୧୬୦୦ ଟଙ୍କା ଦେଇ ଅମଳ ସମୟରେ ସେ ନେଇ ଯାଆନ୍ତି ଧାନ। ଅନ୍ୟ ଚାଷୀମାନଙ୍କ ଠାରୁ ଅମଳ ପରେ ୧୫୦୦ ରୁ ୧୮୦୦-୨୧୦୦ ମଧ୍ୟରେ ଧାନ କିଣି ମଣ୍ଡିରେ ୩୧୦୦ ଟଙ୍କାରେ ବିକନ୍ତି। ଚାଷୀ ଶୋଷଣର ଶିକାର ହେଉଥିବାବେଳେ କାହାରି ଆଖିରେ ପଡ଼େନାହିଁ ସେମାନଙ୍କ ଦୁର୍ଦ୍ଦଶାର ଛବି। ସତେଅବା ସମସ୍ତେ ଖରିଫ ଧାନ ବିକ୍ରି ସମୟରେ ପାଲଟି ଯାଆନ୍ତି ମୁକ-ବଧିର। ଚଳିତ ବର୍ଷ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫେବୃଆରୀ ମାସର ଦ୍ବିତୀୟ ସପ୍ତାହ ସୁଦ୍ଧା ଶହ ଶହ ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରି ନକରିପାରି ମୁଣ୍ଡରେ ହାତ ଦେଇ ବସି ରହିଛନ୍ତି। ଏପରି ମଉକାରେ ଚଉକା ମାରୁଛନ୍ତି କୁଆ ପରି ଦଲାଲ୍। ଏଠି ଦଲାଲ୍ ମାଲାମାଲ୍ ହେଉଥିବାବେଳେ ଚାଷୀ ଶୋଷଣର ଶିକାର ହେଉଛି। ତେବେ ଏହି ବାବୁ ଜଣକ କେବଳ ଧାନରେ ଦଲାଲଗିରି କରନ୍ତି ନାହିଁ, ଅନ୍ୟାନ୍ୟ ଶଷ୍ୟ ଓ ମହୁଲ ଏବଂ କପା କିଣାର ମଧ୍ୟ ବଡ଼ ଦଲାଲ୍। ତେଣୁ ଏହି ଦଲାଲ୍ ପ୍ରତି ପ୍ରଶାସନର ଛାଟ ଜରୁରୀ ବୋଲି ଅଞ୍ଚଳର ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.