ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଗ୍ରାମ ପଞ୍ଚାୟତର ରାକ୍ସୀରେ ନବ ନିର୍ମିତ ରାଧାକୃଷ୍ଣ ମନ୍ଦିରର ରତ୍ନମୁଦ ଉତ୍ସବ ଫେବୃୟାରୀ ୧୮ ରୁ ଆରମ୍ଭ ହେବ। ଏଥିପାଇଁ ରାକ୍ସୀ ଗ୍ରାମବାସୀଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ଚାଲିଛି।
୧୮ ଓ ୧୯ ଦୁଇଦିନ ଧରି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହୋମ ଯଜ୍ଞ ଅନୁଷ୍ଠିତ ହେବ। ସଂଧ୍ୟାରେ ବଲାଙ୍ଗୀର ର ଝିଅ ପାଲା ଓ ବରଗଡର ରାମାୟଣ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ।
୨୦ ପେବୃୟାରୀ ସକାଳୁ ନବ ନିର୍ମିତ ରାଧାକୃଷ୍ଣ ମନ୍ଦିରର ରତ୍ନମୁଦ ରେ ଶସ୍ୟ, ମୁଦ୍ରା, ସ୍ଵର୍ଣ୍ଣ, ରୌପ୍ୟ ଓ ଅନ୍ୟାନ୍ୟ ଧାତୁ ଭର୍ତ୍ତି କରିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାକ୍ସୀ ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟିର ସଭାପତି ରାଜେନ୍ଦ୍ର ବିଶ୍ୱାଳ ଓ ସମ୍ପାଦକ ବିଜୟ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଗ୍ରାମର ଯୁବ ପିଢୀ ଠୁଁ ଆରମ୍ଭ କରି ଆବାଳ ବୃଦ୍ଧ ବନୀତା ସାମିଲ ରହିଥିବା ଜଣାପଡିଛି ।
ଦୀର୍ଘ ୬୫ ବର୍ଷ ଧରି ଗ୍ରାମର ମଧ୍ୟ ଭାଗରେ ଏକ କୁଡିଆ ଘରେ ରାଧାକୃଷ୍ଣଙ୍କୁ ରଖି ପୂଜା କରି ଆସୁଥିଲେ ଗ୍ରାମବାସୀ । ଦୀର୍ଘ ୩୦ ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ନିଜସ୍ୱ ପାଣ୍ଠି ୨୫ ଲକ୍ଷ ଓ ତତ୍କାଳୀନ ନର୍ଲା ବିଧାୟକ ବଳଭଦ୍ର ମାଝୀ ଓ ଭୁପିନ୍ଦର ସିଂଙ୍କ ୩ ଲକ୍ଷ ଟଙ୍କା ବିନିଯୋଗରେ ୫୧ ଫୁଟ ଉଚ୍ଚତା ବିଶିଷ୍ଟ ମନ୍ଦିର ନିର୍ମିତ ହୋଇଥିବା ମତବ୍ୟକ୍ତ କରିଛନ୍ତି ସମ୍ପାଦକ ବିଜୟ ସାହୁ।
ନର୍ଲା ବ୍ଲକ ଅଧିନସ୍ଥ ଅସୁରଗଡ ଗ୍ରାମର ଗୌରଚନ୍ଦ୍ର ମହାରଣା ଓ ତାଙ୍କ ପୁଅ ବିଶୁ ମହାଣା ସୁନ୍ଦର କାରୁକାର୍ଯ୍ୟ ରହିତ ଏହି ଭବ୍ୟ ମନ୍ଦିର ନିର୍ମାଣ କରିଥିବା ପ୍ରକାଶ କରିଛନ୍ତି ସଭାପତି ଶ୍ରୀ ବିଶ୍ୱାଳ। ରତ୍ନମୁଦ ପଡିବା ପରେ ମନ୍ଦିରର ଆହୁରି ଅନେକ କାର୍ଯ୍ୟ ହେବ। ଆସନ୍ତା ବର୍ଷକୁ ମନ୍ଦିର ପ୍ରତିଷ୍ଠା ପାଇଁ ଆମର ପ୍ରୟାସ ଜାରି ରହିବ ବୋଲି ସମ୍ପାଦକ ଶ୍ରୀ ସାହୁ ମତବ୍ୟକ୍ତ ଦେଇଛନ୍ତି।






