ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): କଳାହାଣ୍ଡି ଜିଲ୍ଲା କଲମପୁର ଥାନାର ନୂତନ କୋଠା କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି। କଲମପୁର ଥାନା ଅଧିକାରୀ ବିଶ୍ବମ୍ବର କଁହର ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ଉପଖଣ୍ଡର ପୂର୍ବତନ ଏସଡିପିଓ ଡୋଲାମଣୀ ଭୋଇ, ନୂତନ ଏସଡିପିଓ ଭର୍ଷିଥା ଆପୁଡେ, ନୂତନ ଥାନା ଅଧିକାରୀ ସୁନୀଲ ଓ କନ୍ଦାଗୋରୀ ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଷୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ମହେନ୍ଦ୍ର ନାଥ ସାହୁ, ସାଂସଦ ପ୍ରତିନିଧି ଅରୁଣ କୁମାର ଜଗରିଆ, କଲମପୁର ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ଥୁଆମୂଳ ରାମପୁର ମଣ୍ଡଳ ବିଜେପି ପ୍ରଭାରି ଘନଶ୍ୟାମ ନାଏକ ସମେତ ଶତାଧିକ ଜନ ସମାଗମ ହୋଇଥିଲା। ପ୍ରକାଶ ଯେ କଲମପୁର ଅଞ୍ଚଳ ଦୁଇଟି ଫାଣ୍ଡି ମାଧ୍ୟମରେ ନିୟନ୍ତ୍ରଣ ହୋଇ ଆସୁଥିବା ବେଳେ ଏହା ଜୟପାଟଣା ଥାନା ଅଧୀନରେ ରହି ଆସିଥିଲା। ଜନ ସାଧାରଣଙ୍କ ଦାବି ଫଳରେ କଲମପୁର ଫାଣ୍ଡିକୁ ପୂର୍ବତନ ସରକାର ଥାନାର ମାନ୍ୟତା ଦେଇ ଗତ ୯ଜାନୁୟାରି ୨୦୨୩ ରେ ଉଦଘାଟନ କରିଥିଲେ। ପିଡଵ୍ଳୁଡି ବିଭାଗର ପ୍ରକୋଷ୍ଠରେ ଅସ୍ଥାୟୀ ଥାନା କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଏହାର ଉଦଘାଟନ କରିଥିଲେ। ପରବର୍ତ୍ତୀ ସମୟରେ ସରକାର ଦୁଇକୋଟି ଟଙ୍କା ଥାନା ଗୃହ ନିର୍ମାଣ ନିମନ୍ତେ ଯୋଗାଇ ଦେଇଥିଲେ। ଥାନା ନିର୍ମାଣ କାର୍ଯ୍ୟ ପୋଲିସ ହାଉସିଂ ବୋର୍ଡ ତୁଲାଇ ଥିବା ବେଳେ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବାରୁ ଆଜି ଜନସାଧାରଣଙ୍କ ନିମନ୍ତେ ଲୋକାର୍ପିତ ହୋଇଯାଇଛି।




