ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ର ଭାଷାପକ୍ଷ ଓ ପୁସ୍ତକମେଳାର ଦ୍ୱାଦଶ ଦିବସରେ ବରିଷ୍ଠ ଭେଷଜ ବିଶେଷଜ୍ଞ ତଥା ସାରସ୍ୱତ ସାଧକ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କୁ ସମର୍ପିତ ସାହିତ୍ୟ ସନ୍ଧ୍ୟା କବି ଦୀପକ ବୋଷଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଫକୀରମୋହନ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗରେ ଗବେଷଣାରତ ଛାତ୍ର ବବଲୁ ପଧାନ ଓ କୁନ୍ତଳାକୁମାରୀ ମହିଳା ମହାବିଦ୍ୟାଳୟ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପିକା ଡକ୍ଟର ପ୍ରତୀଚୀ ନନ୍ଦ ଆଲୋଚକ ଭାବେ ଯୋଗ ଦେଇ ଡାକ୍ତର ନନ୍ଦଙ୍କ ବହୁମୁଖୀ ସାରସ୍ୱତ ପ୍ରତିଭା ସଂପର୍କରେ ଆଲୋଚନା କରିଥିଲେ। ଗଳ୍ପ, ପ୍ରବନ୍ଧ ଓ କବିତା ସାଙ୍ଗକୁ ବିଭିନ୍ନ ଖବରକାଗଜରେ ଦୁଇଶହରୁ ଊର୍ଦ୍ଧ୍ୱ ସ୍ତମ୍ଭ ରଚନା କରି ସାମାଜିକ ଜୀବନରେ ନୈତିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଉଥିବା ଡାକ୍ତର ନନ୍ଦ ଏଯାବତ୍ ୩୫ରୁ ଊର୍ଦ୍ଧ୍ୱ ପୁସ୍ତକ ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିପାରିଛନ୍ତି ବୋଲି ବକ୍ତାଦ୍ୱୟ ପ୍ରକାଶ କରିଥିଲେ। ଅନୁଷ୍ଠାନର ଉପସଭାପତି ଗାଳ୍ପିକ ନିବାରଣ ଜେନା ଭାଷାପକ୍ଷର ଉଦ୍ଦେଶ୍ୟ ସଂପର୍କରେ ନିଜର ବକ୍ତବ୍ୟ ରଖିଥିବା ବେଳେ ସାଧାରଣ ସଂପାଦକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ। ଡକ୍ଟର ତ୍ରିପାଠୀଙ୍କ ରଚିତ ତଥା ଡାକ୍ତର ନନ୍ଦଙ୍କ ଉପରେ ରଚିତ ଏକ ସଙ୍ଗୀତକୁ କଲ୍ୟାଣୀ ନନ୍ଦ ଗାନ କରିଥିଲେ। ସଂଗଠନ ସଂପାଦକ ତପନ ରାୟ ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିବା ବେଳେ ଯୁଗ୍ମ ସଂପାଦକ ଜୁମରନାଥ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସାରସ୍ବତ ଉତ୍ସବରେ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।




