ଦଦରା କୋଠାରେ ଚାଲିଛି ଆର୍‌ଆଇ କାର୍ଯ୍ୟାଳୟ

କର୍ମଚାରୀ ଅସୁରକ୍ଷିତ, ରେକର୍ଡପତ୍ର ସୁରକ୍ଷିତ ତ?

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ତହସିଲ ଭାବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ତହସିଲର ପରିଚୟ ରହିଛି। ରାଜାରାଜୁଡା ଅମଳରୁ ଜମିଜମା ରେକର୍ଡ ସଂରକ୍ଷଣ ସହିତ ଜମିଜମା ବନ୍ଦୋବସ୍ତରେ ଏହି ତହସିଲ କାର୍ଯ୍ୟାଳୟ ଆଗୁଆ ଥିବାବେଳେ ଆଦିବାସୀ ଅଧ୍ଯୁଷିତ ବିଭିନ୍ନ ରାଜସ୍ବ ଗାଁରେ ତହସିଲ ସେବା ପହଞ୍ଚାଇବାରେ ଲାଞ୍ଜିଗଡ଼ ତହସିଲର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ବହୁ ମୂଲ୍ୟବାନ ଜମି ରେକର୍ଡ ପତ୍ରର ସଂରକ୍ଷଣ ଦାୟିତ୍ବରେ ଥିବା ଲାଞ୍ଜିଗଡ଼ ତହସିଲ ଅଞ୍ଚଳରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟଗୁଡିକର ଦୁର୍ଦ୍ଦଶା କହିଲେ ନସରେ। ଏନେଇ ଲାଞ୍ଜିଗଡ଼ ତହସିଲଦାର ଡ. ବନମାଳୀ ମେହେରଙ୍କୁ ପଚାରିବାରେ ରାଜସ୍ବ ନିରୀକ୍ଷକଙ୍କ କୋଠା ବିପଦସଙ୍କୁଳ ଥିବା ନେଇ ସରକାରଙ୍କୁ ଲେଖି ଜଣାଇଥିବା କହିଛନ୍ତି। ଲାଞ୍ଜିଗଡ଼ ତହସିଲ ଅନ୍ତର୍ଗତ ଏକାଧିକ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଏବେ ଭଙ୍ଗାଦଦରା ହୋଇ ପଡିରହିଛି। ମରାମତି, ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ ଅଭାବରୁ ଏହି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟଗୁଡ଼ିକ ଏବେ ବିପଦସଂକୁଳ ଅବସ୍ଥାରେ ଚାଲିଥିବା ଦେଖିବାକୁ ମିଳିଛି। ଶିଳ୍ପାଞ୍ଚଳ ଲାଞ୍ଜିଗଡ଼ରେ ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟ, ଆର୍‌ଆଇ କାର୍ଯ୍ୟାଳୟ ବିପଦକୁ ଆମନ୍ତ୍ରଣ କରୁଥିବା ବେଳେ ଦାୟିତ୍ବରେ ଥିବା କର୍ମଚାରୀମାନେ ଜୀବନକୁ ବାଜି ଲଗାଇ କାର୍ଯ୍ୟାଳୟରେ ବସୁଛନ୍ତି।

ଶତାଧିକ ବର୍ଷର ଭଙ୍ଗାଦଦରା ଓ ବିପଦସଂକୁଳ ରାଜସ୍ଵ ବଙ୍ଗଳାରେ ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟ ସହିତ ଲାଞ୍ଜିଗଡ ଓ ନଙ୍ଗଲବେଡ଼ା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ କାର୍ଯ୍ୟ କରୁଛି। ନଙ୍ଗଳବେଡ଼ାଠାରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଦୀର୍ଘ ବର୍ଷ ହେଲା ବିପଦସଂକୂଳ ଘୋଷଣା କରାଯାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ନୂତନ କାର୍ଯ୍ୟାଳୟ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ସେହିପରି ବିଶ୍ଵନାଥପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ବାରମ୍ବାର ମରାମତି ସତ୍ତ୍ବେ ଅବସ୍ଥା ସୁଧୁରୁନଥିବାରୁ ବିଶ୍ଵନାଥପୁରଠାରେ ଥିବା ପୁରୁଣା ତହସିଲ କାର୍ଯ୍ୟାଳୟରେ ଏହା କାର୍ଯ୍ୟ କରୁଛି। ସେହିପରି ସ୍ଥାନାଭାବରୁ ବିଜେପୁର ଓ ବନ୍ଧପାରି ରାଜସ୍ବ କାର୍ଯ୍ୟାଳୟ ମଧ୍ୟ ବିଶ୍ଵନାଥପୁର ପୁରୁଣା ତହସିଲ କାର୍ଯ୍ୟାଳୟରେ ଚାଲୁଥିବାବେଳେ ବିଜେପୁର ଓ ବନ୍ଧପାରି ଅଞ୍ଚଳର ଲୋକେ ରାଜସ୍ବ ସେବା ପାଇଁ ବାରମ୍ବାର ବିଶ୍ଵନାଥପୁରକୁ ଦୌଡ଼ିବାକୁ ପଡ଼ୁଛି। ଲାଞ୍ଜିଗଡରୋଡ଼ଠାରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ମଧ୍ୟ ଅତି ଦୟନୀୟ ଅବସ୍ଥାରେ ଥିବା ବେଳେ ଆଜି ପର୍ଯ୍ୟନ୍ତ ଏହାର ମରାମତି କିମ୍ବା ନୂତନ ଗୃହ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଯେଉଁଠି ରାଜସ୍ବ ନିରୀକ୍ଷକ ଓ ସେମାନଙ୍କ କାର୍ଯ୍ୟାଳୟ ସୁରକ୍ଷିତ ନୁହେଁ ସେଇଠି ଲୋକଙ୍କ ଜମିଜମାର ରେକର୍ଡପତ୍ର କେତେ ଦୂର ସୁରକ୍ଷିତ ରହିବ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ତତ୍କାଳୀନ ତହସିଲଦାର ମୁନିନ୍ଦ୍ର ହୋନାଙ୍ଗା ଲାଞ୍ଜିଗଡ଼ ଓ ଲଙ୍ଗଳବେଡ଼ାଠାରେ ନୂତନ ଭାବେ ଅଫିସ ଗୃହ ନିର୍ମାଣ ପାଇଁ ସରକାରଙ୍କୁ ଚିଠି ଲେଖିଥିବା କହିଥିଲେ। ଇତି ମଧ୍ୟରେ ଉକ୍ତ ଘଟଣାକୁ ୨ ବର୍ଷ ବିତି ଯାଇଥିବା ବେଳେ ନୂତନ କାର୍ଯ୍ୟାଳୟ ନିର୍ମାଣ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.