ସ୍ରଷ୍ଟା ଭିତରେ ସୃଷ୍ଟିର ଅନନ୍ତ ସମ୍ଭାବନା ଥାଏ : ପ୍ରଜାପତି ସାହିତ୍ୟ ଶାଖା ‘ଅନୁରାଗ’ର ଆଲୋଚନା ଚକ୍ର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ମହାବିଦ୍ୟାଳୟ ଯୁବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟ ପ୍ରତି ଅନୁରାଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ‘ପ୍ରଜାପତି’ ସାହିତ୍ୟ ଶାଖା ତରଫରୁ ଆଲୋଚନା ଚକ୍ର ‘ଅନୁରାଗ’ ଶୀର୍ଷକରେ ସ୍ଥାନୀୟ ବାଗ୍ ବୃନ୍ଦାବନ ସ୍ଥିତ ଶ୍ରୀଶିକ୍ଷା କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ଆଲୋଚନା ଚକ୍ରକୁ ଓଡ଼ିଆ ସାହିତ୍ୟର ସଫଳ କବି ଓ କଥାକାର ଗଙ୍ଗାଧର ବିଶ୍ୱାଳ ଉଦଘାଟନ କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ସମେତ ସାହିତ୍ୟପ୍ରେମୀ ଓ ପାଠକମାନେ ଉପସ୍ଥିତ ରହି ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ।

ଉଦ୍‌ଘାଟକ ଶ୍ରୀ ବିଶ୍ଵାଳ ତାଙ୍କ ଅଭିଭାଷଣରେ କହିଲେ ଯେ ପ୍ରତ୍ୟେକ ସ୍ରଷ୍ଟା ଭିତରେ ସୃଷ୍ଟିର ଅନନ୍ତ ସମ୍ଭାବନା ଲୁଚି ରହିଥାଏ ଓ ଲେଖିବା ବେଳେ ଲେଖକଟିଏ ତାକୁ ଖୋଜି ବାହାର କରି ସୃଜନ ମନସ୍କ ହେବା ଆବଶ୍ୟକ।

ଶିକ୍ଷାର୍ଥୀ ଅତିଥି ଭାବେ ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ର ଶ୍ରୀ ସାଗର ମଲ୍ଲିକ, ଛାତ୍ରୀ ବବିତା ସ୍ଵାଇଁ ଓ ଲୋପାମୁଦ୍ରା ଦାସ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ସାହିତ୍ୟର ବିଭିନ୍ନ ଦିଗ ଉପରେ ନିଜର ଅନୁଭବ ବଖାଣିବା ସହ କବିତା ସହଜ ଓ ସରଳ ଭାବେ ପାଠକଙ୍କୁ ପ୍ରଭାବିତ କରେ ବୋଲି କହିଥିଲେ।

‘ପ୍ରଜାପତି’ର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସ ଏଥିରେ ପୌରୋହିତ୍ୟ କରି କହିଲେ ଯେ ଆମ ଭାଷା ସାହିତ୍ୟ ପ୍ରତି ଛାତ୍ରଛାତ୍ରୀଙ୍କର ଅନୁରାଗ ଓ ଶ୍ରଦ୍ଧା ସୃଷ୍ଟି କରିବା ପାଇଁ ‘ପ୍ରଜାପତି’ ବିଭିନ୍ନ କାର୍ଯ୍ୟକୁ ସମ୍ମାନର ସହ ଆୟୋଜନ କରିଥାଏ ଏବଂ ‘ଅନୁରାଗ’ ଏହାର ଗୋଟିଏ ଅଂଶ।

ଏହି ଆଲୋଚନା ଚକ୍ରରେ କବି ଗାୟତ୍ରୀ ଆଚାର୍ଯ୍ୟ ଓ ଶୁଭଶ୍ରୀ ଦାଶ ନିଜ ନିଜର ଅଭିମତ ଦେବା ସ‌ହ ଦୁଇଟି ସ୍ଵରଚିତ କବିତା ପାଠ କରିଥିଲେ ।

ପ୍ରାରମ୍ଭରେ ‘ପ୍ରଜାପତି’ର ଆବାହକ ବିପ୍ଳବ ଦାସ ମହାପାତ୍ର ସ୍ୱାଗତ କଥା ରଖିବା ସହ ‘ଅନୁରାଗ’ କଥା ରଖିଥ‌ିଲେ। ସଂଯୋଜକ କବି ମଧୁସୂଦନ ମିଶ୍ର କବି ଓ କବିତା କଥା ରଖି ନିଜର ଏକ କବିତା ପାଠ କରିଥିଲେ । ‘ପ୍ରଜାପତି’ର ସଦସ୍ୟା ସରସ୍ଵତୀ ଭୋଇ ଅତିଥି ଓ ଆଲୋଚକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିବା ବେଳେ ପ୍ରତିମା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଅମଜରଜିତ ଦାସ, ସନ୍ତୋଷ ଦଳେଇ ଓ ସୁକୁମାର ଘୋଷ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀକୁ ନେଇ ‘ଅନୁରାଗ’ କାର୍ଯ୍ୟକ୍ରମ ଶ୍ରୀଶିକ୍ଷା କକ୍ଷରେ ଦୁଇ ମାସକୁ ଥରେ ଆୟୋଜନ ହେବ ବୋଲି ସଭାପତି ଶ୍ରୀ ଦାସ ସୂଚନା ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.