ଉନ୍ମୋଚିତ ହେଲା ରାଧାଶ୍ୟାମ ରାଉଳଙ୍କ ବ୍ୟଙ୍ଗଗଳ୍ପ ପୁସ୍ତକ ‘ଆପଣଙ୍କର ବିଶ୍ୱସ୍ତ’

ବ୍ୟଙ୍ଗସାହିତ୍ୟର ଆବେଦନ ଅନନ୍ୟ, ମହିମା ଅତୁଳନୀୟ, କହିଲେ ଅତିଥି

 

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ପୁସ୍ତକ ପ୍ରକାଶନ ସଂସ୍ଥା ‘ସ୍ୱାବଲମ୍ବନ’ ଦ୍ୱାରା ପ୍ରକାଶିତ ବିଶିଷ୍ଟ ବ୍ୟଙ୍ଗଗାଳ୍ପିକ ଓ ସ୍ତମ୍ଭକାର ରାଧାଶ୍ୟାମ ରାଉଳଙ୍କ ପୁସ୍ତକ ‘ଆପଣଙ୍କର ବିଶ୍ୱସ୍ତ’ର ଶୁଭ ଉନ୍ମୋଚନ ଉତ୍ସବ ଗତକାଲି ସନ୍ଧ୍ୟାରେ କଟକର ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ସାହିତ୍ୟିକ ଓ ‘କଳାବିକାଶ କେନ୍ଦ୍ର’ର ସଭାପତି ଡକ୍ଟର ବିଜୟାନନ୍ଦ ସିଂହ ସଭାପତିତ୍ୱ କରିଥିଲେ।

ଅହରହ ସମସ୍ୟା, ଜଞ୍ଜାଳ, ଅସହାୟତା ଭିତରେ ଧନ୍ଦି ହେଉଥିବା ମଣିଷ ପକ୍ଷରେ, ହସଟିଏ, ଆନନ୍ଦଟିଏ ସାଉଁଟିବା ଠାରୁ ବଡ଼ ଯୋଗ୍ୟତା ଓ ଉପଲବ୍ଧି ବୋଧେ ଆଉ କିଛି ନାହିଁ। ମଣିଷକୁ ସୁସ୍ଥ,ସତେଜ, ଚିନ୍ତାମୁକ୍ତ ରଖିବାର ମହୌଷଧି ହିଁ ବ୍ୟଙ୍ଗସାହିତ୍ୟ ଏବଂ ଏହି ବ୍ୟଙ୍ଗସାହିତ୍ୟର ଆବେଦନ ଅନନ୍ୟ, ମହିମା ଅବର୍ଣ୍ଣନୀୟ ବୋଲି ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ଡକ୍ଟର ରାଜାରାମ ଶତପଥୀ ନିଜର ସୁଚିନ୍ତିତ ଅଭିମତ ବ୍ୟକ୍ତ କରିଥିଲେ।

ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସାହିତ୍ୟିକ ଓ ‘ଉତ୍କଳ ସାହିତ୍ୟ ସମାଜ’ର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ‘ଆପଣଙ୍କର ବିଶ୍ୱସ୍ତ’ ପୁସ୍ତକର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ କହିଲେ ଯେ, ଅନ୍ୟ କାହାର ନୁହେଁ, ବରଂ ବ୍ୟଙ୍ଗସାହିତ୍ୟର ଜଣେ ବିଶ୍ୱସ୍ତ ଖୋଦ୍ ଲେଖକ ରାଧାଶ୍ୟାମ ରାଉଳ। ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକ ଓ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ, ଡକ୍ଟର ଜ୍ଞାନୀ ଦେବାଶିଷ ମିଶ୍ର ବ୍ୟଙ୍ଗସାହିତ୍ୟର ସାମ୍ପ୍ରତିକ ଧାରା, ଉପଧାରା ଓ ଗତି ସହ ଲେଖକ ଶ୍ରୀ ରାଉଳଙ୍କ ବ୍ୟଙ୍ଗଶୈଳୀ ସମ୍ପର୍କରେ କହିବାକୁ ଯାଇ ବ୍ୟଙ୍ଗ ଏକ ଶୁଦ୍ଧ ଓ ଶାଳୀନ ରଚନା,ଏହା ନିଚ୍ଛକ ସହାନୁଭୂତି, ସ୍ୱାଭିମାନ ଓ ସମ୍ବେଦନଶୀଳତାର ପ୍ରତୀକ ବୋଲି ନିଜର ମତବ୍ୟକ୍ତ କରିଥିଲେ। ବ୍ୟଙ୍ଗସାହିତ୍ୟର ଯୁବ ଗବେଷକ, ଓଡ଼ିଆ ଅଧ୍ୟାପକ ଡକ୍ଟର ନିରୋଦ କୁମାର ମନ୍ତ୍ରୀ ପୁସ୍ତକଟିର ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଏହା ଏକ ସଫଳ ବ୍ୟଙ୍ଗଗଳ୍ପ ପୁସ୍ତକ ବୋଲି ନିଜର ମତବ୍ୟକ୍ତ କରିଥିଲେ। ସଭାପତୀୟ ଅଭିଭାଷଣରେ ବ୍ୟଙ୍ଗ ସାହିତ୍ୟ ଏକ ସୌଖୀନ ସାଧନା, ମହତ ଭାବନା ଏବଂ ଧୀଶକ୍ତିସମ୍ପନ୍ନ ଦୃଷ୍ଟିକୋଣ। ହାତେ ମାପି ଚାଖଣ୍ଡେ ଚାଲିବାର ସନ୍ତର୍ପଣ କଳା ଓ ସନ୍ଦେଶ ସଂଚାରକାରୀ ସାଧନା ବୋଲି ଡକ୍ଟର ବିଜୟାନନ୍ଦ ସିଂହ ନିଜର ମୂଲ୍ୟବାନ ମତବ୍ୟକ୍ତ କରିଥିଲେ। କବୟିତ୍ରୀ ବିଶ୍ୱମିତ୍ରା ମିଶ୍ର ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ। ସାହିତ୍ୟିକ ସରୋଜ କୁମାର ସାମଲ ଅତିଥି ପରିଚୟ ପ୍ରଦାନ ଓ ପୁସ୍ତକ ପ୍ରକାଶକ ସନ୍ତୋଷ କୁମାର ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ। ଉତ୍ସବରେ ଡକ୍ଟର ନାରାୟଣ ଚନ୍ଦ୍ର ମହାନ୍ତି, ନବକିଶୋର ଦାସ, ସଜ୍ଜନ ଶର୍ମା,ସଜ୍ଞାନ ହୋତା,ଶରତ କୁମାର ନାୟକ, ବିପିନବିହାରୀ ରାଉତ, ଡକ୍ଟର କିଶୋର ଚନ୍ଦ୍ର ମହାନ୍ତି, ରବିନାରାୟଣ ଦାଶ, ଶଶିକାନ୍ତ ରାଉତ, ଅରବିନ୍ଦ ରାଉତରାୟ, ପ୍ରାଧ୍ୟାପକ ଆଦିତ୍ୟ ପ୍ରସାଦ ଧଳ, ଇଂ ସୌରାଂଶୁ ପଟ୍ଟନାୟକ, ଓମ୍ ଅଭିଜ୍ଞାନ ସାହୁ, ଶିବାଶିଷ କର, ସୁସ୍ମିତା ରଥ, ଡକ୍ଟର ବୈଜୟନ୍ତୀ ମିଶ୍ର, ସ୍ମୃତି ପଟ୍ଟନାୟକ, ବବିତା ଦାସ ମହାପାତ୍ର, କୃଷ୍ଣଚନ୍ଦ୍ର ପଣ୍ଡା, ସରୋଜିନୀ ମିଶ୍ର, ବିଜୟଲଷ୍ମୀ ନାୟକ, ନମିତା ମହାନ୍ତି, ଅରୁଣ ଅଗ୍ରୱାଲ, ଅଦୈତ୍ୟ ନାୟକ, ଅନୁପମା ନନ୍ଦ, ହର୍ଷମଣି ନାୟକ, ଜୟଶଙ୍କର ମହାରଣା, ଦେବଜ୍ୟୋତି ଦାସ, ଶରତ ଚନ୍ଦ୍ର ମହାନ୍ତି, ନଗେନ୍ଦ୍ର ପ୍ରସାଦ ମହାପାତ୍ର, ବିଶ୍ୱଜିତ ଦାସ, ତପନ କୁମାର ଜେନା, ମାନସ ରଞ୍ଜନ ପଟ୍ଟନାୟକ, ସାରଦା ପ୍ରସାଦ ଷଡ଼ଙ୍ଗୀ, ସୁରଥ କୁମାର ଗାଇଗାରିଆ, ସଞ୍ଜୟ କୁମାର ଦେଓ, ନାରାୟଣ ସାହୁ, ସୁଶାନ୍ତ କୁମାର ସାହୁ, ଦୋଳଗୋବିନ୍ଦ ବେହେରା, ଉମାକାନ୍ତ ପୂଜାରୀ, ମାନୀ ସାହୁ ପ୍ରମୁଖ ବହୁ ବିଶିଷ୍ଟ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.