ନୃତ୍ୟାନୁଷ୍ଠାନ ‘ନାଚ୍’ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମ୍ମାନିତ ହେଲେ ୪ ଜଣ ବିଶିଷ୍ଟ ମହିଳା

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ଅଗ୍ରଣୀ ନୃତ୍ୟାନୁଷ୍ଠାନ ‘ନାଚ୍’ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠାନର ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଚଳିତ ବର୍ଷ ପାଇଁ ସମାଜର ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା ୪ ଜଣ ବିଶିଷ୍ଟ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା । ବିଗତ ପାଞ୍ଚ ବର୍ଷ ଧରି ଆୟୋଜନ ହେଉଥିବା ଏଇ ଉତ୍ସବରେ ସମାଜର ବିଭିନ୍ନ ବର୍ଗର ପ୍ରତିଭା ସମ୍ପନ୍ନ ମହିଳାଙ୍କୁ ଚୟନ କରାଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥାଏ ।

ଏହି କ୍ରମରେ ଚଳିତ ବର୍ଷ ବିଶିଷ୍ଟ ଲେଖିକା ଏବଂ ‘ଧ୍ୱନି ପ୍ରତିଧ୍ୱନି’ ଓ ‘ସାଗରିକା’ର ସମ୍ପାଦିକା ସୈରିନ୍ଧ୍ରୀ ସାହୁ (ବାଲେଶ୍ୱର), ଜାତୀୟ ସ୍ତରର ଚିତ୍ରଶିଳ୍ପୀ ପାରମିତା ସରକାର, (କୋଲକତା), ଶିକ୍ଷାବିତ ଓ ସୋର ସ୍ଥିତ ପୁରୁବାଇ କନ୍ୟାଆଶ୍ରମର ସମ୍ପାଦିକା ତଥା ସମାଜସେବୀ ସୁମତି ମହାନ୍ତି ଏବଂ ଯୁବ ସାମ୍ବାଦିକା ଓ ଗାଳ୍ପିକା ସ୍ମୃତିଲଗ୍ନା ନନ୍ଦ ପ୍ରମୁଖ ‘ନାଚ୍ ମହିଳା ଉତ୍କର୍ଷ ସମ୍ମାନ’ରେ ସମ୍ବର୍ଦ୍ଧିତ ହୋଇଥିଲେ।

ରବିବାର ସନ୍ଧ୍ୟାରେ ‘ନାଚ୍’ ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ଅରୁଣାଂଶୁ ପାଣିଗ୍ରାହୀ ଦେଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶିକ୍ଷାବିତ ତଥା ସମାଜସେବୀ ସତ୍ୟମ କୁମାର ମିଶ୍ର। ଏହି ଅବସରରେ ବିଶିଷ୍ଟ କବି କୃଷ୍ଣ କୁମାର ମହାନ୍ତିଙ୍କ ଶୁଭେଚ୍ଛା ବାର୍ତ୍ତା ଓ ମହିଳା ଦିବସ ଉପଲକ୍ଷେ ରଚିତ ଏକ କବିତାକୁ ସତ୍ୟମ ମିଶ୍ର ପାଠ କରିଥିଲେ। କଥାସାର କବି ଶ୍ରୀଦେବ ରଖିଥିବା ବେଳେ ସମାଜସେବୀ ତଥା ପୂର୍ବରୁ ସମ୍ବର୍ଦ୍ଧିତ ପ୍ରତିଭା ସାରଦା ଗିରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ତଥା ବିଶିଷ୍ଟ ନୃତ୍ୟାଙ୍ଗନା ରୋନାଲିସା ପଣ୍ଡା ‘ନାଚ୍’ ଅନୁଷ୍ଠାନ ତଥା ମହିଳା ଦିବସ ପାଳନର ଆଭିମୁଖ୍ୟ ବିଷୟରେ କହିଥିଲେ। ନାଚ୍ ମହିଳା ଶାଖା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ପାରମ୍ପରିକ ନୃତ୍ୟ ପରିବେଷଣ କରଯାଇଥିଲା। ଆଗରୁ ମହିଳାମାନଙ୍କ ବିଭିନ୍ନ ପ୍ରତିଯୋଗିତାର ବିଜେତା ମାନଙ୍କୁ ଏହି ଅବସରରେ ପୁରସ୍କାର ବିତରଣ କରାଯାଇଥିଲା। ଶେଷରେ ରୋନାଲିସା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.