ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ବିକାଶ ଆନ୍ଦୋଳନର ଭାଷାପକ୍ଷ ଓ କୁଟୀର ପୁସ୍ତକମେଳାର ତ୍ରୟୋଦଶ ଦିବସ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳଙ୍କୁ ସମର୍ପିତ ସାହିତ୍ୟ ସନ୍ଧ୍ୟା ଭାବେ ଅନୁଷ୍ଠିତ ହୋଇଯାଇଛି। ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡକ୍ଟର ସନ୍ତୋଷ କୁମାର ନାୟଙ୍କ ଏଥିରେ ଅଧ୍ୟକ୍ଷତା କରିଥିଲେ । ଯୁବଗାଳ୍ପିକ ସଂଜୟ ପଣ୍ଡା ଓ ଆଲୋଚିକା ଭାବେ ବିଦ୍ୟୁତପ୍ରଭା ପତି ଯୋଗ ଦେଇ ଗାଳ୍ପିକ ଶ୍ରୀ ବିଶ୍ୱାଳଙ୍କ କଥାସାହିତ୍ୟ ସଂପର୍କରେ ଆଲୋଚନା କରି ଜୀବନ ପ୍ରତି ଗଭୀର ଦୃଷ୍ଟିଭଙ୍ଗୀ, ସ୍ଥିତିବାଦୀ ମାନବର ମନସ୍ତତ୍ତ୍ୱ, ଚରିତ୍ରମାନଙ୍କର ମାନସିକ ଦ୍ୱନ୍ଦ୍ୱ ଗଙ୍ଗାଧରଙ୍କ କଥାଜଗତର ଅନ୍ତଃସ୍ୱର ବୋଲି ମତବ୍ୟକ୍ତ କରିଥିଲେ। ଗାଳ୍ପିକ ଶ୍ରୀ ବିଶ୍ୱାଳ ତାଙ୍କର ଦୀର୍ଘ ସାରସ୍ୱତ ଯାତ୍ରା ସଂପର୍କରେ ନିଜକଥା ରଖିଥିଲେ। ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ (ଓବିବିଏ)ର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ଓ ସାଧାରଣ ସଂପାଦକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। କଲ୍ୟାଣୀ ନନ୍ଦ ଶ୍ରୀ ବିଶ୍ୱାଳଙ୍କ ସଂପର୍କରେ ସଙ୍ଗୀତ ଗାନ କରିଥିଲେ। ଡକ୍ଟର ସାରଙ୍ଗଧର ତ୍ରିପାଠୀ ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିବା ବେଳେ ଯୁଗ୍ମ ସଂପାଦକ ଜୁମରନାଥ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସେହିପରି ‘ଭାଷାପକ୍ଷ’ର ଚତୁର୍ଦ୍ଦଶ ଦିବସରେ ସୁଶ୍ରୀ ଅରୁଣା ରାୟଙ୍କ ପୌରୋହିତ୍ୟରେ ଯୁବ ଗବେଷକ ପୀତାମ୍ବର ବେହେରା, ଅନିଶା ନାୟକ ଓ ବିଦ୍ୟୁତପ୍ରଭା ପତି ‘ସାଂପ୍ରତିକ ଗଳ୍ପର ସ୍ୱର ଓ ସ୍ୱାକ୍ଷର’ ଶୀର୍ଷକରେ ଆଲୋଚନା କରିଥିଲେ। ଅନୁଷ୍ଠାନର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ଓ ସାଧାରଣ ସଂପାଦକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ। ଯୁଗ୍ମ ସଂପାଦକ ଶାନ୍ତିଲତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।




