ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆଜି ଚାନ୍ଦିପୁରସ୍ଥିତ ‘ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ’ (ଡି.ଆର.ଡି.ଓ) ପକ୍ଷରୁ ଏହାର ପୁରାତନ ଗବେଷଣାଗାର ‘ପ୍ରୁଫ୍ ଆଣ୍ଡ୍ ଏକ୍ସପେରିମେଣ୍ଟାଲ୍ ଏଷ୍ଟାବ୍ଲିସମେଣ୍ଟ୍’ (ପିଏକ୍ସଇ) ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଭବ୍ୟ କାର୍ଯ୍ୟକ୍ରମକୁ ଡିଆରଡିଓ ସଚିବ ତଥା ଅଧ୍ୟକ୍ଷ ଡଃ ସମୀର ଭି. କାମତ ଏବଂ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ।
ଏହି ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ଆର୍ମାମେଣ୍ଟ ଆଣ୍ଡ୍ କମ୍ବାଟ୍ ଇଞ୍ଜିନିୟରିଂ କ୍ଲଷ୍ଟରର ଡିରେକ୍ଟର ଜେନେରାଲ ପ୍ରଫେସର ଡ଼ଃ ପ୍ରତୀକ କିଶୋର, ଏରୋନଟିକାଲ୍ ସିଷ୍ଟମ୍ସର ଡିରେକ୍ଟର ଜେନେରାଲ ଡ଼ଃ କେ. ରାଜଲକ୍ଷ୍ମୀ ମେନନ ଓ ପିଏକ୍ସଇ, ଚାନ୍ଦିପୁରରର ନିର୍ଦ୍ଦେଶକ ତଥା ବୈଜ୍ଞାନିକ ସୁବୋଧ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ଡି.ଆର.ଡି.ଓ.ର ବିଭିନ୍ନ ଟେକ୍ନୋଲୋଜି କ୍ଲଷ୍ଟରର ଡିରେକ୍ଟର ଜେନେରାଲ, ଲ୍ୟାବରେଟରି ନିର୍ଦ୍ଦେଶକ ତଥା ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ମହିଳା ବୈଜ୍ଞାନିକ ଓ ଗବେଷକମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବିଜ୍ଞାନ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ମହିଳାମାନଙ୍କର ସଶକ୍ତିକରଣ ଏବଂ ସେମାନଙ୍କ ଗବେଷଣାତ୍ମକ ପ୍ରୟାସକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
“ମହିଳା ଗବେଷକମାନେ ଯେପରି ସେମାନଙ୍କର ସମ୍ପୂର୍ଣ୍ଣ ସାମର୍ଥ୍ୟର ଉପଯୋଗ କରିପାରିବେ, ସେଥିପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଆବଶ୍ୟକ,” ବୋଲି ଡିଆରଡିଓ ସଚିବ ତଥା ଅଧ୍ୟକ୍ଷ ଡଃ ସମୀର ଭି. କାମତ ନିଜ ଅଭିଭାଷଣରେ କହିଥିଲେ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଦେଶର ସୁରକ୍ଷା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ମହିଳା ବୈଜ୍ଞାନିକମାନଙ୍କର ଅତୁଳନୀୟ ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ସମୟରେ ଡ଼ଃ କେ. ରାଜଲକ୍ଷ୍ମୀ ମେନନ ଡି.ଆର.ଡି.ଓ ରେ କାମ କରୁଥିବା ମହିଳା ବୈଜ୍ଞାନିକ ଓ ପ୍ରାଯୁକ୍ତିକ କର୍ମଚାରୀମାନଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ପ୍ରଫେସର ଡ଼ଃ ପ୍ରତୀକ କିଶୋର ମଧ୍ୟ ଡି.ଆର.ଡି.ଓ.ରେ ମହିଳା ପେସାଦାରମାନଙ୍କ ଉଲ୍ଲେଖନୀୟ ସଫଳତାକୁ ସ୍ୱୀକାର କରିବା ସହ ସମାନ ଓ ସମ୍ମାନଜନକ କାର୍ଯ୍ୟ ପରିବେଶ ଗଠନ ପ୍ରତି ସଂଗଠନର ପ୍ରତିବଦ୍ଧତାକୁ ପୁନରୁଚ୍ଚାରଣ କରିଥିଲେ। ପିଏକ୍ସଇର ନିର୍ଦ୍ଦେଶକ ବୈଜ୍ଞାନିକ ସୁବୋଧ କୁମାର ନାୟକ କହିଥିଲେ ଯେ ଦେଶର ସୁରକ୍ଷା କ୍ଷେତ୍ରରେ ପିଏକ୍ସଇର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ଏବଂ ଏଠାରେ କାର୍ଯ୍ୟରତ ମହିଳା ଗବେଷକମାନେ ଲ୍ୟାବରେଟରିର ଉନ୍ନତିରେ ମହତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି।
ସୂଚନାଯୋଗ୍ୟ ଯେ, ୧୮୯୫ ମସିହାରେ ସ୍ଥାପିତ ଏହି ପିଏକ୍ସଇ ୧୯୫୮ ମସିହାରେ ଡିଆରଡିଓର ଏକ ଅଂଶ ବିଶେଷ ହୋଇଥିଲା। ବର୍ତ୍ତମାନ ଏହି ଲ୍ୟାବରେଟରିରେ ସେନାବାହିନୀମାନଙ୍କ ପାଇଁ ଉନ୍ନତ ହେଉଥିବା ବିଭିନ୍ନ ତୋପ, ଗୋଳାବାରୁଦ ଓ ଅନ୍ୟାନ୍ୟ ଅସ୍ତ୍ର-ଶସ୍ତ୍ରର ପରୀକ୍ଷଣ ଓ ପ୍ରମାଣୀକରଣ କାର୍ଯ୍ୟ ସଂପାଦିତ ହେବା ସହିତ ଦେଶର ଏହା ଏକ ପ୍ରମୁଖ କେନ୍ଦ୍ର ଭାବେ କାର୍ଯ୍ୟ କରୁଛି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ବିଶିଷ୍ଟ ମହିଳା ବୈଜ୍ଞାନିକ ଏବଂ ଗବେଷକମାନେ ଯୋଗଦାନ କରିଥିଲେ ।




