ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି) ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବାଲେଶ୍ଵର ଗସ୍ତରେ ଆସି ଚାନ୍ଦିପୁର ସ୍ଥିତ ପ୍ରୁଫ୍ ଆଣ୍ଡ୍ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିସମେଣ୍ଟ (ପିଏକ୍ସଇ) ପରିସରରେ ଡିଆରଡିଓ ପକ୍ଷରୁ ଆୟୋଜିତ ଆନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମକୁ ଡିଆରଡିଓ ସଚିବ ଡଃ ସମୀର ଭି. କାମତଙ୍କ ସହ ଯୁଗ୍ମ ଭାବେ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଡିଆରଡିଓର ବିଭିନ୍ନ ଲ୍ୟାବରେଟରିର ନିର୍ଦ୍ଦେଶକ ଓ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ମହିଳା ବୈଜ୍ଞାନିକ ଓ ଗବେଷକମାନେ ଅଂଶଗ୍ରହଣ କରିଥିଲେ। ଅତିଥିମାନେ ବିଜ୍ଞାନ ଓ ପ୍ରତିରକ୍ଷା କ୍ଷେତ୍ରରେ ମହିଳାଙ୍କ ସଶକ୍ତିକରଣ ଏବଂ ସେମାନଙ୍କ ଗବେଷଣାତ୍ମକ କାର୍ଯ୍ୟକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଅପରାହ୍ନରେ ଶ୍ରୀମତୀ ଗର୍ଗ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ‘ବାଲେଶ୍ୱର ଭିଜନ ଡକ୍ୟୁମେଣ୍ଟ’ ଉପରେ ଏକ ପ୍ରେଜେଣ୍ଟେସନ୍ ଦେଇଥିଲେ। ଏଥିରେ ଜିଲ୍ଲାରେ ଚାଲୁଥିବା ପ୍ରମୁଖ ପ୍ରକଳ୍ପ ଯଥା: ସୁବର୍ଣ୍ଣରେଖା ବନ୍ଦର, ସୁବର୍ଣ୍ଣରେଖା ସଂସ୍କାର ଯୋଜନା, ପର୍ଯ୍ୟଟନ ପ୍ରକଳ୍ପ, ସାମୁଦ୍ରିକ ଖାଦ୍ୟ ଓ ଅନ୍ୟାନ୍ୟ ଦ୍ରବ୍ୟର ରପ୍ତାନି ସମ୍ଭାବନା ବିଷୟରେ ଅବଗତ କରାଯାଇଥିଲା। ଏହାସହିତ ଆଗାମୀ ଦିନରେ ବାଲେଶ୍ୱରର ସମଗ୍ର ଉନ୍ନତି ପାଇଁ ରିଙ୍ଗ୍ ରୋଡ ନିର୍ମାଣ, କଳା–ବିଜ୍ଞାନ–ସାହିତ୍ୟ ସମ୍ବନ୍ଧୀୟ ମ୍ୟୁଜିୟମ ସ୍ଥାପନ ଏବଂ ବାଲେଶ୍ୱରକୁ ମ୍ୟୁନିସିପାଲ କର୍ପୋରେସନ ରୂପେ ବିକଶିତ କରିବା ପରି ବିଭିନ୍ନ ଲୋକହିତକର ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ଉକ୍ତ ସମୀକ୍ଷା ବୈଠକରେ ଦୁଇ ଅତିରିକ୍ତ ଜିଲ୍ଲାପାଳ, ଦୁଇ ଉପ ଜିଲ୍ଲାପାଳ, କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ଜିଲ୍ଲାର ସମଗ୍ର ଉନ୍ନତି ପାଇଁ ଏହି ପ୍ରକଳ୍ପଗୁଡ଼ିକୁ ନିଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।




