ବଡ଼ସାଲୁଙ୍କୀରୁ ଜଳଯୋଗାଣ ହେବ କେବେ? : ଫୁଲବାଣୀ ସହରବାସୀଙ୍କୁ ପିଲାସାଲୁଙ୍କୀ ଯୋଗାଇପାରୁନି ପାଣି

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରତିବର୍ଷ ଗ୍ରୀଷ୍ମଋତୁ ଆସିଲେ ପିଇବା ପାଣି ପାଇଁ ଫୁଲବାଣୀ ସହରବାସୀଙ୍କ ଦୁଃଖ ବଢ଼ିଯାଏ। ପିଲାସାଲୁଙ୍କୀ ନଦୀର ଜଳସ୍ତର ହ୍ରାସ ପାଇଲେ ସହରବାସୀଙ୍କୁ ପାନୀୟ ଜଳ ଯୋଗାଇବାରେ ବିଭ୍ରାଟ ଦେଖାଦେଉଛି। ଏପରିକି ପୁରୁଣା ପାନୀୟଜଳ ପ୍ରକଳ୍ପ ସହରର ବଦ୍ଧିତ ଜନସାଧାରଣଙ୍କୁ ପାନୀୟଜଳ ଯୋଗାଇବାରେ ବିଫଳ ହେଉଛି। ରାଜ୍ୟର ଅନ୍ୟ ସହରାଞ୍ଚଳରେ ଦିନକୁ ଅତି କମ୍‌ରେ ଦୁଇଥର ପାଇପ୍ ପାଣି ଯୋଗାଇ ଦିଆଯାଉ ଥିବା ବେଳେ ଫୁଲବାଣୀରେ ଦିନକୁ ଥରେ ମାତ୍ର, ତାହା ପୁଣି ଖୁବ୍ କମ୍ ସମୟ ପାଇଁ ଯୋଗାଇ ଦିଆଯାଉଛି। ତାହା ମଧ୍ୟରେ ବିଜୁଳି ବିଭ୍ରାଟ ମଧ୍ୟ ସମସ୍ୟାକୁ ଅଧିକ ଜଟିଳ କରିଥାଏ। ଫୁଲବାଣୀ ସହରରେ ଦୈନିକ ୧୫/୨୦ ମିନିଟ୍ ପାଣି ଆସିଲା ପରେ ଟ୍ୟାପ୍‌ରୁ ପାଣି ବଦଳରେ ପବନ ବାହାରୁଛି। ଫଳରେ ପାଣିକୁ ନେଇ ଫୁଲବାଣୀ ସହରରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ୨୦ ବର୍ଷ ତଳର ଫୁଲବାଣୀ ସହରର ଯେତେବେଳେ ଜନସଂଖ୍ୟା ୧୦ ହଜାର ଥିଲା, ତାହାକୁ ନଜରରେ ରଖି ଇନ୍‌ଟେକ୍ ୱେଲ୍‌ ପ୍ରତିଷ୍ଠା ହୋଇଥିଲା | କିନ୍ତୁ ଆଜିର ଦିନରେ ଫୁଲବାଣୀ ସହରର ଜନସଂଖ୍ୟା ଲକ୍ଷେ ଛୁଇଁଲାଣି| ଏତେ ଲୋକଙ୍କୁ ପୁରୁଣା ବ୍ୟବସ୍ଥାରେ ପାଣି ଯୋଗାଇ ଦେବା ଅସମ୍ଭବ ହୋଇପଡ଼ିଛି। ଜନସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଫୁଲବାଣୀ ସହରର ନାରାୟଣୀ ମନ୍ଦିର ନିକଟ ଏବଂ କଲେଜ ଛକ ନିକଟରେ ସାଲୁଙ୍କୀ ନଦୀରେ ଦୁଇଟି ଇନ୍‌ଟେକ୍ ୱେଲ୍‌ ନିର୍ମାଣ କରି ସାଲୁଙ୍କୀ ନଦୀର ପାଣିକୁ ସହରବାସୀଙ୍କୁ ପାଇପ୍ ଯୋଗେ ଯୋଗାଇ ଦିଆଯାଉଛି| କିନ୍ତୁ ଗ୍ରୀଷ୍ମଦିନେ ସହରବାସୀଙ୍କୁ ଜନସ୍ବାସ୍ଥ୍ୟ ବିଭାଗ ପାନୀୟ ଜଳ ଯୋଗାଇବାରେ ଆଦୌ ସକ୍ଷମ ହୋଇପାରୁ ନାହିଁ। ଅନ୍ୟପଟେ, ଜନସ୍ବାସ୍ଥ୍ୟ ବିଭାଗର ପାନୀୟ ଜଳ ଉପରେ ନିର୍ଭର ନ କରି ଫୁଲବାଣୀ ସହରବାସୀ ନିଜ ନିଜ ବାଡ଼ିରେ କୂଅ ଖୋଳୁଛନ୍ତି । ଘର ମାଲିକମାନେ କୂଅ ନିକଟରେ ପାଇଖାନା ଟାଙ୍କି ନିର୍ମାଣ କରିଥିବାରୁ ଅଧିକାଂଶ କୂଅ ପାଣି ବ୍ୟାକ୍ଟେରିଆ ପ୍ରଦୂଷିତ ବୋଲି ଜଣାପଡ଼ିଛି। ଏବେ ପ୍ରତିଦିନ ଫୁଲବାଣୀ ସହର ପାଇଁ ୭ ଏମ୍ଏଲ୍‌ଡି ଜଳର ଆବଶ୍ୟକ ପଡୁଛି। ସାଲୁଙ୍କୀ ନଦୀରେ ଯଥେଷ୍ଟ ପାଣି ନଥିବାରୁ ଫୁଲବାଣୀ ସହରର ଏଫ୍‌ସିଆଇ ଛକ, ଫୁଲବାଣୀସାହି, କେନ୍ଦୁପଦର, ନଦୀଖଣ୍ଡିସାହି ଅଞ୍ଚଳରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଣି ଆଦୌ ଯଥେଷ୍ଟ ହେଉନି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସହର ପାଇଁ ଏକ ନୂତନ ପାନୀୟଜଳ ପ୍ରକଳ୍ପର ପରିକଳ୍ପନା କାହିଁକି ହେଉନି ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି। ବଡ଼ସାଲୁଙ୍କୀ ନଦୀରୁ ବିଶିପଡ଼ା ନିକଟରୁ ଫୁଲବାଣୀ ସହରକୁ ପାଣି ଆଣିବା ପାଇଁ ଯୋଜନା ହୋଇଥିଲା। ସେହିଭଳି ପିଲାସାଲୁଙ୍କୀ ଜଳଭଣ୍ଡାରରୁ ମଧ୍ୟ ପାଣି ଆଣି ଫୁଲବାଣୀ ସହରବାସୀଙ୍କୁ ଯୋଗାଇ ଦେବାକୁ ଅତୀତରେ ଯୋଜନା କରାଯାଇଥିଲା। ମାତ୍ର, ସ୍ଥାନୀୟ ଜନପ୍ରତିନିଧିଙ୍କ ସ୍ଥାଣୁତା ଏବଂ କନ୍ଧମାଳ ଜିଲ୍ଲା ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଏସବୁ ଯୋଜନା ଫାଇଲ ତଳେ ଚାପି ହୋଇ ରହିଯାଇଛି ବୋଲି ଅଭିଯୋଗ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.