ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ ମା ମାଣିକେଶ୍ଵରୀ ମନ୍ଦିର ସମ୍ମୁଖରେ ପତଞ୍ଜଳି ଯୋଗ ସମିତି କଳାହାଣ୍ଡି ପକ୍ଷରୁ ଯୋଗ ସଚେତନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ପ୍ରଭାରୀ ଡ଼ା. ନିହାରେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ ଯୋଗୀ ଭାଇ ଓ ଭଉଣୀ ଯୋଗ ଦେଇଥିଲେ। ଏଥିରେ ବିଶ୍ୱର ସାମୂହିକ କଲ୍ୟାଣ ପାଇଁ ସମସ୍ତେ କାର୍ଯ୍ୟକ୍ରମକୁ ସମର୍ପିତ କରିଥିଲେ। ଏ ଅବସରରେ ସକାଳ ୬ ଘଣ୍ଟା ସମୟରୁ ୭ ଘଣ୍ଟା ଯାଏଁ ଘଣ୍ଟାଏ ଧରି ସମସ୍ତେ ଯୋଗର ବିଭିନ୍ନ ଶୈଳୀକୁ ପ୍ରଦର୍ଶନ କରିଥିଲେ। ଏହାଦ୍ୱାରା ସାଧାରଣ ଲୋକେ ଯୋଗର ଭୂମିକା ଓ ଗୁରୁତ୍ଵ ବିଷୟରେ ଅବଗତ ହୋଇପାରିଥିଲେ। ଯୋଗ କିପରି ଆମର ଜୀବନକୁ ସହଜ, ସରଳ ଓ ସୁନ୍ଦର କରିବାରେ ସହାୟକ ହୋଇପାରୁଛି, ତାହାର ମହତ୍ତ୍ଵକୁ ପ୍ରତିପାଦିତ କରିବା ଏହି ପ୍ରଦର୍ଶନର ଲକ୍ଷ୍ୟ ବୋଲି ଆୟୋଜକ ମାନେ ପ୍ରକାଶ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା ମହାମନ୍ତ୍ରୀ ଗଜେନ୍ଦ୍ର ପାଢ଼ୀ ସଂଯୋଜନା କରିଥିଲେ। ଚୈତ୍ର ମାସ ସପ୍ତମୀ ତିଥିରେ ମା ମାଣିକେଶ୍ଵରୀଙ୍କ ମନ୍ଦିର ସମ୍ମୁଖରେ ଏଭଳି ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନକୁ ସାଧାରଣ ମହଲରେ ପ୍ରଶଂସା କରାଯାଉଛି।





