ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘର ନେତୃତ୍ୱରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ମାନେଶ୍ୱର, ରେଢ଼ାଖୋଲ, ଯୁଜୋମୁରା, ଜମନକିରା, ବାମରା, ରେଙ୍ଗାଲି ଓ ବରପାଲି ବ୍ଲକରେ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ସିଡିପିଓଙ୍କ ଜରିଆରେ କେନ୍ଦ୍ର ଓ ରାଜ୍ୟ ସରକାର ତଥା ପ୍ରଶାସନିକ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।

ସଂଘ ପକ୍ଷରୁ ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ମାନ୍ୟତା ଦେବା, ସମାନ କାମକୁ ସମାନ ଦରମା ପ୍ରଦାନ, ଶ୍ରମିକ ମାନ୍ୟତା ଦେବା, ଶ୍ରମ ସମିଳନୀର ନିଷ୍ପତ୍ତି ଅନୁଯାୟୀ ୨୬ ହଜାର ଟଙ୍କା ଦରମା ପ୍ରଦାନ, ଶ୍ରମ କୋଡ୍ ଆଇନ୍ ଅନୁଯାୟୀ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା, ୧୦୦ ଶତକଡା ପଦୋନ୍ନତି ବ୍ୟବସ୍ଥା, ଉନ୍ନତ ମାନର ମୋବାଇଲ୍ ଫୋନ୍ ପ୍ରଦାନ, ଏସ୍ଏନ୍ପି ଦର ସଂଶୋଧନ କରିବା ଓ ଅଣ୍ଡାର ମୂଲ୍ୟ ବଜାର ଦର ଅନୁସାରେ ଦେବା ଦାବି କରାଯାଇଛି।

ଏହା ସହିତ ସର୍ବନିମ୍ନ ୧୦ ହଜାର ଟଙ୍କା ପେନସନ୍, ଅବସର ସମୟରେ ୧୦ ଲକ୍ଷ ଟଙ୍କା ବେନିଫିଟ୍, ଅତିରିକ୍ତ କାର୍ଯ୍ୟ ବନ୍ଦ କରିବା, ବର୍ଷକୁ ୪୦ ଦିନ ଛୁଟି ପ୍ରଦାନ, କର୍ମୀଙ୍କ ଦରମା ପ୍ରଦାନରେ ହେଉଥିବା ଅନିୟମିତତା ବନ୍ଦ କରିବା, ବନ୍ଦ ହୋଇଥିବା ଇନକ୍ରିମେଣ୍ଟ ପ୍ରଦାନ, ବିଭିନ୍ନ କାମ ଓ ମିଟିଂରେ ଯୋଗଦେଇଥିବା କର୍ମୀଙ୍କୁ ଗସ୍ତ ଓ ଖାଦ୍ୟ ଖର୍ଚ୍ଚ ପ୍ରଦାନ, ସମସ୍ତ କର୍ମୀ ଓ ସହାୟିକାଙ୍କୁ ଇ-ଶ୍ରମ କାର୍ଡ ଓ ଆୟୁଷ୍ମାନ୍ ଯୋଜନାରେ ସାମିଲ କରିବା ସହିତ ଗ୍ରୀଷ୍ମକାଳୀନ ଅବକାଶ ପ୍ରଦାନ କରିବା ପରି ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବି ଉଠାଯାଇଛି।

ଆସନ୍ତା ୧୬ ତାରିଖରେ ଆର୍ଡିସି କାର୍ଯ୍ୟାଳୟ ସମ୍ମୁଖରେ ହେବାକୁଥିବା ବିଶାଳ ବିକ୍ଷୋଭ ପ୍ରଦର୍ଶନକୁ ସଫଳ କରିବା ପାଇଁ ମଧ୍ୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କୁଚିଣ୍ଡା ବ୍ଲକରେ ଶୈରିନ୍ଦ୍ରୀ ମହାନନ୍ଦ, ଅଞ୍ଜଲି ଶର୍ମା, ଲିଲିମା ବାଗ୍, ଜ୍ୟୋତି, ସଂଯୁକ୍ତା ପଟେଲ, ଜୟନ୍ତୀ ନାୟକ, କାମିନୀ ମୁର୍ମୁ, ଶକୁନ୍ତଳା ନାୟକ, ଜ୍ୟୋତ୍ସ୍ନା, ରୁବୀ ଦେହୁରୀ, ପଦ୍ମିନୀ ଧୁରୁଆ ଓ ତରୁଲତାଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ କରାଯାଇଥିଲା।

ମାନେଶ୍ୱର ବ୍ଲକରେ ପ୍ରମିଳା ସିଂହ ଓ ଅନୀତା ନାୟକଙ୍କ ନେତୃତ୍ୱରେ କର୍ମୀମାନେ ସିଡିପିଓଙ୍କୁ ଦାବିପତ୍ର ଦେଇଥିଲେ। ରେଢ଼ାଖୋଲ ବ୍ଲକରେ ନୀନା ବିଞ୍ଝାଲ, ନମିତା ସାହୁ, ସଂଯୁକ୍ତା ଜେନା, ବବିତା ବିଶ୍ୱାଳ ଓ ମେନକା ମିର୍ଦ୍ଧାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଯୁଜୋମୁରା ବ୍ଲକରେ ସଂଘମିତ୍ରା ପଟ୍ଟନାୟକ ଓ ମଞ୍ଜୁଲତା ମାଝୀଙ୍କ ନେତୃତ୍ୱରେ କର୍ମୀମାନେ ଦାବିପତ୍ର ପ୍ରଦାନ କରିଥିଲେ।

ଜମନକିରା ବ୍ଲକରେ କନକ ପ୍ରଧାନଙ୍କ ସହ ସୁରେଖା ସାହୁ, ଚୂତମାଳା କାଲୋ, ଦୁଖନାସିନୀ ଧୁରୁଆ, ମମତା ଧୁରୁଆ ଓ ଦୁତିଆ ମୁଣ୍ଡାଙ୍କ ନେତୃତ୍ୱରେ କର୍ମୀମାନେ ଉପସ୍ଥିତ ଥିଲେ। ବାମରା ବ୍ଲକରେ ରତ୍ନ ସାହୁଙ୍କ ନେତୃତ୍ୱରେ ଏବଂ ରେଙ୍ଗାଲି ବ୍ଲକରେ ମିନି ପଣ୍ଡାଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ବରପାଲି ବ୍ଲକରେ ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ସାଧବୀ ବିଶ୍ୱାଳଙ୍କ ସହ ଅହଲ୍ୟା ନାୟକ ଓ ବେବୀ ଭୋଇଙ୍କ ନେତୃତ୍ୱରେ କର୍ମୀମାନେ ସିଡିପିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ଉପସ୍ଥିତ ଥିଲେ।




