ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଚୈତ୍ର ଶୁକ୍ଳ ପ୍ରତିପଦା ମାର୍ଚ୍ଚ ୧୯ରୁ ଦେବଗିରି ମଠରେ ଆରମ୍ଭ ହେବ ଚୈତ୍ର ନବରାତ୍ର। ଏନେଇ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢ଼ୀପଦର ସ୍ଥିତ ଶ୍ରୀ ଶ୍ରୀ ଭଗବତ ସ୍ବାମୀ ଦେବଗିରି ମଠରେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ମଠର ଗୁମ୍ଫା ମଧ୍ୟରେ ଥିବା ଦେବୀ ଚଣ୍ଡୀଙ୍କ ପୀଠରେ ନବଦିନ ବ୍ୟାପୀ ପୂଜାର୍ଚ୍ଚନା ଚାଲିବା ସହ ଅଖଣ୍ଡ ଦୀପ ପ୍ରଜ୍ବଳନ ହେବ। ଚୈତ୍ର ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନବଗୌରୀ ବା ନବଦୁର୍ଗା ଯଥା; ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀଙ୍କ ପୂଜା ବୈଦିକ ବିଧିରେ ଅନୁଷ୍ଠିତ ହେବ ବୋଲି ଦେବଗିରି ମଠ ଟ୍ରଷ୍ଟ ବୋର୍ଡ଼ର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀ ସୂଚନା ଦେଇଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ, ଓଡ଼ିଶା ହିନ୍ଦୁ ଦେବୋତ୍ତର ବିଭାଗ ଅଧୀନରେ ଥିବା ଦେବଗିରି ମଠ ରାଜ୍ୟର ଏକ ପ୍ରାଚୀନ ଶକ୍ତି ପୀଠ ହୋଇଥିବାରୁ ଏହା ସାଧକ ମାନଙ୍କ ପାଇଁଁ ଯଥେଷ୍ଟ ଗୁରୁତ୍ବ ବହନ କରେ। ଚୈତ୍ର ନବରାତ୍ର ସମୟରେ ଦୂର ଦୂରଦୂରାନ୍ତରୁ ଅନେକ ସାଧକ, ଭକ୍ତ ଓ ଶ୍ରଦ୍ଧାଳୁ ଦେବଗିରି ମଠକୁ ଆସି ଦେବୀ ଆରାଧନା କରିଥାନ୍ତି।




