‘ଓଡ଼ିଆ କଥା ସାହିତ୍ୟର ସମୃଦ୍ଧିରେ ଦୟାନିଧି ମିଶ୍ରଙ୍କ ଅବଦାନ ଅନନ୍ୟ’
ଓଡ଼ିଆ ବାର୍ତ୍ତା/ ବରଗଡ଼: ସାହିତ୍ୟ ଓ ସାଧନାର ଦିବ୍ୟଭୂମି ହେଉଛି ଓଡ଼ିଶା। ବହୁ ଉଚ୍ଚାଙ୍ଗ ବ୍ୟକ୍ତିତ୍ଵ ଓ ସର୍ଜନଶୀଳ ସ୍ରଷ୍ଟାଙ୍କୁ କୋଳରେ ଧାରଣ କରି ଏ ମାଟି ମହିମାମଣ୍ଡିତ।ଏ ପବିତ୍ର ଭୂମିର ଜଣେ ସ୍ମରଣୀୟ ସାରସ୍ବତ ସନ୍ତାନ ହେଉଛନ୍ତି ବିଶିଷ୍ଟ କଥାକାର ଓ କବି ଦୟାନିଧି ମିଶ୍ର। ଓଡ଼ିଆ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସର ଆଦିପର୍ବରେ ତାଙ୍କର ଅବଦାନ ଅନନ୍ୟ ଓ ଅବିସ୍ମରଣୀୟ। ସମକାଳୀନ ସମାଜ ଓ ସମୟର ପ୍ରାଣସ୍ପନ୍ଦନ ହେଉଛି ଦୟାନିଧି ମିଶ୍ରଙ୍କ ଉଚ୍ଚକୋଟୀର ସାରସ୍ଵତ ସୃଷ୍ଟି। ଜଣେ ଉଚ୍ଚମାନର କବି, ଗାଳ୍ପିକ, ଔପନ୍ୟାସିକ, ସମ୍ପାଦକ, ପ୍ରାବନ୍ଧିକ ଭାବେ ଓଡ଼ିଆ ସାରସ୍ୱତ ଜଗତର ସେ ଜଣେ ଶ୍ରଦ୍ଧାଶୀଳ ଉଚ୍ଚାରଣ ତଥା ଆଧୁନିକ ଓଡ଼ିଆ ସାହିତ୍ୟର ସେ ଜଣେ ପାୟୋନିୟର ଥିଲେ ବୋଲି କେନ୍ଦ୍ର ସାହିତ୍ୟ ଅକାଦେମି ଓ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ବକ୍ତାଗଣ ମତପ୍ରକାଶ କରିଛନ୍ତି। ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ପରିଷଦର ସଦସ୍ୟ ଡଃ ମନୋଜ କୁମାର ପଣ୍ଡା ବାଗଦେବୀ ମା ସରସ୍ୱତୀ ଓ ଦୟାନିଧି ମିଶ୍ରଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଏବଂ ସମ୍ମୁଖରେ ଦୀପ ପ୍ରଜ୍ବଳନ କରି ଏହି ସମ୍ପାନକୁ ଉଦ୍ଘାଟନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ନକୁଳ ସେଠ୍ ସ୍ବାଗତ ଭାଷଣ ଭାଷଣରେ ପୂଜ୍ୟପୂଜା ପରମ୍ପରାର ଏକ ଅମଳିନ ସ୍ବରୂପ ଏ ଆଲୋଚନା ଚକ୍ର ବୋଲି ମତବ୍ୟକ୍ତ କରିଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ବିଭାଗ ମୁଖ୍ୟ ଡକ୍ଟର ଶେଷନ ବିଶି ସଭାର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ଅବସରରେ ଦୟାନିଧି ମିଶ୍ରଙ୍କ ସାରସ୍ୱତ ଜୀବନର କେତୋଟି ମହତ୍ତ୍ୱପୂର୍ଣ୍ଣ ଘଟଣାର ଆଲୋକପାତ କରି କହିଥିଲେ ଯେ, ଯୁବପିଢ଼ି ହିଁ ତାଙ୍କ ସାରସ୍ବତ କୃତିର ପ୍ରାମାଣିକ ଗବେଷଣା କରି ପାରିବେ। ପ୍ରାକ୍ତନ ପ୍ରଫେସର ବବ୍ରୁବାହନ ମହାପାତ୍ର କଥାଶିଳ୍ପୀ ଦୟାନିଧି ମିଶ୍ରଙ୍କ ଗଳ୍ପ ଜଗତ ସମ୍ପର୍କରେ ସାରଗର୍ଭକ ଭାଷଣ ଦେଇ ଗୁରୁତ୍ୱାରୋପ କରିଥିଲେ ଯେ, ତାଙ୍କ ଗଳ୍ପମାନ ଜାତୀୟ ଭାବ ଚେତନା ଓ ସମସାମୟିକ ସମାଜର ଯଥାର୍ଥ ଉଚ୍ଚାରଣ। ଡକ୍ଟର ବିଶ୍ବନାଥ ସାହୁ ପ୍ରବନ୍ଧ ପାଠ ମାଧ୍ୟମରେ ଦୟାନିଧି ମିଶ୍ରଙ୍କ ଉପନ୍ୟାସର ବହୁ ନୂତନ ତଥ୍ୟ ଉପସ୍ଥାପନ କରି ଦୟାନିଧି ମିଶ୍ର ଜଣେ ସଫଳ ଔପନ୍ୟାସିକ ବୋଲି ପ୍ରମାଣିତ କରିଥିଲେ। ଅନ୍ୟତମ ଆଲୋଚିକା ଡକ୍ଟର ଲିପିକା ମିଶ୍ର ଦୟାନିଧି ମିଶ୍ରଙ୍କ ଜୀବନ ଓ ସୃଜନ ଉପରେ ଆଲୋଚନାପୂର୍ବକ ନିଜ ପ୍ରବନ୍ଧ ପାଠ କରିଥିଲେ। ବିଶିଷ୍ଟ ଗବେଷକ ଓ ସାରସ୍ବତ ସାଧକ ଅଧ୍ୟାପକ ମୋହନ ସାହୁ ଦୟାନିଧି ମିଶ୍ରଙ୍କ ସାରସ୍ୱତ ଜଗତର ସାହିତ୍ୟିକ ମୂଲ୍ୟ ଅପେକ୍ଷା ସମୟର ନିଚ୍ଛକ ଓ ଜୀବନ୍ତ ପ୍ରାଣସ୍ପନ୍ଦନ ବୋଲି ମତପ୍ରକାଶ କରିଥିଲେ। ଡକ୍ଟର ସଞ୍ଜୟ କୁମାର ମିଶ୍ର ନିଜ ପ୍ରବନ୍ଧ ପାଠରେ ଦୟାନିଧି ମିଶ୍ରଙ୍କ ବିରହ ବଂଶୀ କବିତା ସଂକଳନ ଆଧାରରେ ତାଙ୍କୁ ଜଣେ ସାର୍ଥକ ପ୍ରେମିକ କବିର ଆଖ୍ୟା ଦେଇଥିଲେ। ସଭାମୁଖ୍ୟ ମନୋଜ କୁମାର ପଣ୍ଡା ନିଜ ସଭାପତିୟ ଅଭିଭାଷଣରେ ଦୟାନିଧି ମିଶ୍ରଙ୍କୁ ଓଡ଼ିଆ ସାହିତ୍ୟର ଜଣେ ସମର୍ଥ ଏବଂ ସମର୍ପିତ ସାଧକ ବୋଲି ଅଭିହିତ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଅକାଦେମିର ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥିମାନେ ତପସ୍ୱିନୀ ଉଦ୍ୟାନରେ ଥିବା ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଓଡ଼ିଆ ବିଭାଗର ପ୍ରାଚୀର ପତ୍ରିକା “ଅନ୍ବେଷା”ର ନୂତନ ସଂଖ୍ୟା ଉନ୍ମୋଚିତ କରିଥିଲେ। ପ୍ରାରମ୍ଭିକ ସଙ୍ଗୀତ ଓ ଅନ୍ତିମ ସଙ୍ଗୀତ ଅଧ୍ୟାପକ ମାନଭଞ୍ଜନ ପାଣିଗ୍ରାହୀଙ୍କ ସଂଯୋଜନାରେ ଗାନ କରିଥିଲେ ବିଭାଗର ଛାତ୍ରଛାତ୍ରୀ। ଆଲୋଚନା ଚକ୍ରରେ କେଭି ମହାବିଦ୍ୟାଳୟ, କଣ୍ଟାବାଞ୍ଜି, ପାର୍ବତୀ ଗିରି ମହାବିଦ୍ୟାଳୟ ବରଗଡ଼, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବିଭାଗ ଏବଂ ପଞ୍ଚାୟତ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଶତାଧିକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ବରଗଡ଼ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ଓ ସାରସ୍ବତ ପ୍ରେମୀ ପ୍ରଫେସର ରବୀନ୍ଦ୍ର ପ୍ରଧାନ, ମନୋରଞ୍ଜନ ସାହୁ, ଡୋଳାମଣି ଶତପଥୀ, ଦିବ୍ୟ କିଶୋର ଦେବତା, ବିରେନ୍ଦ୍ର ପ୍ରଧାନ, ଉମେଶ ବିଶ୍ବାଳ, ମକରଧ୍ବଜ ବିଶ୍ବାଳ, ପ୍ରମୋଦ ସାହୁ, ଦୟାନିଧି ମିଶ୍ରଙ୍କ ବଂଶଜ ବିକ୍ରମାଦିତ୍ୟ ମିଶ୍ର ଓ ବିଜୟକୃଷ୍ଣ ମିଶ୍ର ତଥା ବହୁ ସାହିତ୍ୟପ୍ରେମୀ ଯୋଗଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଡଃ ଶେଷନ ବିଶି ସଂଯୋଜନା କରିଥିବା ବେଳେ ଡଃ ଅନନ୍ତ ମେହେର, ଡଃ ସୁନୀତା ବେହେରା, ଡଃ କ୍ରିଷ୍ଣା ରାଣୀ ସାସମଲ, ଡଃ ବନୁଜା ମେହେର, ଅଧ୍ୟାପକ ଯୋଗେନ୍ଦ୍ର ମେହେର, ଅଧ୍ୟାପିକା ଛନ୍ଦାରାଣୀ ବେସନ ପ୍ରମୁଖ ସହଯୋଗ କରିଥିଲେ। ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ଡଃ ସ୍ମିତା ପାଣିଗ୍ରାହୀ।




