ଲାଞ୍ଜିଗଡ଼ ଦୁର୍ଗମ ଅଞ୍ଚଳରେ ଶିକ୍ଷାର ବିକଳ ଚିତ୍ର: ୩୬ ଆଦିବାସୀ ପିଲା ନାମ ଲେଖାଇଲେ, ସ୍କୁଲ ଗଲେନି

ଜଙ୍ଗଲିଆ ରାସ୍ତା ପାଇଁ ସ୍କୁଲ ଯାଉନାହାନ୍ତି ଛାତ୍ରଛାତ୍ରୀ, ଗାଁରେ ବିଦ୍ୟାଳୟ ସ୍ଥାପନ ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଆଦିବାସୀ ଅଧ୍ଯୁଷିତ ବନ୍ଧପାରି ପଞ୍ଚାୟତରେ ଦୁର୍ଗମ ଅଞ୍ଚଳରେ ରହିଛି ଜର୍କାମସ୍କା ଗାଁ। ଗାଁରେ ସ୍କୁଲ ନଥିବା ଯୋଗୁଁ ସ୍କୁଲ ଦ୍ବାର ମାଡ଼ିନଥିବା ୩୬ ଆଦିବାସୀ ପିଲାଙ୍କୁ ବ୍ଳକ ଶିକ୍ଷା ବିଭାଗ ସ୍କୁଲରେ ନାମ ଲେଖାଇଥିଲେ ମଧ୍ୟ ଜଙ୍ଗଲୀ ରାସ୍ତା ବୋଲି ପିଲା ନିୟମିତ ସ୍କୁଲ ନଯାଇ ଘରେ ରହିଥିବା ବେଳେ ଗାଁରେ ବିଦ୍ୟାଳୟ ସ୍ଥାପନ ପାଇଁ ଅଭିଭାବକ ମାନେ ଦାବି କରିଛନ୍ତି। ସୂଚନା ମୁତାବକ, କର୍କାମସ୍କା ଗାଁରେ ୬୫ ଘର କୁଟିଆ କନ୍ଧ ସମ୍ପ୍ରଦାୟର ଲୋକ ସ୍ବାଧୀନତା ପୂର୍ବରୁ ବସବାସ କରି ଆସୁଛନ୍ତି। ଗାଁରେ ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ମୁଖ୍ୟ ସମସ୍ୟା ହେଉଛି ଶିକ୍ଷା।ଗାଁଠାରୁ ୩ କିମି ଦୂର ଘଞ୍ଚ ଜଙ୍ଗଲ ଦେଇ ରହିଛି ବାଲିସରା ପ୍ରାଥମିକ ବିଦ୍ୟାଳୟ। ଗାଁରେ ୬୪ ଜଣ ଆଦିବାସୀ ପିଲାଙ୍କ ମଧ୍ୟରୁ ୨୨ ଜଣ ବିଭିନ୍ନ ଆବାସିକ ସ୍କୁଲରେ ରହି ପାଠ ପଢୁଥିବା ବେଳେ ୬ ଜଣ ୫ମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ବସ୍ତାନିରେ ଡୋରି ପଡ଼ିଥିଲା। ଫଳରେ ୩୬ ପିଲା ପଡ଼ିବାର ଇଚ୍ଛାଶକ୍ତି ଥିଲେ ମଧ୍ୟ ସ୍କୁଲର ଦ୍ବାର ମାଡ଼ି ନଥିବା ଜଣାପଡିଥିଲା। ଗାଁ ଲୋକଙ୍କ ବାରମ୍ବାର ଦାବି ପରେ ଗାଁରେ ସ୍କୁଲ କୋଠା ନିର୍ମାଣ ପାଇଁ ୨୦୨୩ରେ ରାଜସ୍ବ ନିରୀକ୍ଷକ ଗାଁକୁ ଆସି ଜାଗା ଚିହ୍ନଟ କରିଥିଲେ। କିନ୍ତୁ ଦୁଇ ବର୍ଷ ପରେ ବି କୌଣସି ସ୍କୁଲ କୋଠା ନିର୍ମାଣ ହୋଇ ପାରିନାହିଁ। ଏ ସମସ୍ୟାକୁ ନେଇ ଗ୍ରାମବାସୀ ପୂର୍ବରୁ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।ଏହି ଖବର ‘ଓଡିଆ ବାର୍ତ୍ତା ’ରେ ଗତ ସେପ୍ଟେମ୍ବର ୧୯ ତାରିଖ ଦିନ ପ୍ରକାଶ ପାଇଥିଲା। ଏହା ପରେ ଲାଞ୍ଜିଗଡ଼ ବ୍ଳକ ଶିକ୍ଷା ବିଭାଗ ତତ୍ପରତା ଦେଖାଇଥିଲେ। ବିଇଓ ରୁଷିଆ ମେହେର ୧୯ ତାରିଖ ସେହିଦିନ ହିଁ ଗାଁକୁ ଗସ୍ତ କରି ଲୋକଙ୍କ ସହିତ ଆଲୋଚନା କରି ପାଠ ଛାଡ଼ିଥିବା ପିଲାଙ୍କୁ ସ୍କୁଲରେ ନାମ ଲେଖାଇବାକୁ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇ କିଛିଦିନ ପରେ ରାଜ୍ୟ ସରକାରଙ୍କ “ଆସ ସ୍କୁଲ୍ ଯିବା” ଅଭିଯାନରେ ସାମିଲ କରାଯାଇଛି। ଏହି ମଧ୍ୟରୁ ୩୦ ଜଣଙ୍କୁ ବାଲିସରା ପ୍ରାଥମିକ ବିଦ୍ୟାଳୟ ନାମାଙ୍କନ କରା ଯାଇଥିବା ବେଳେ ୬ ଜଣଙ୍କୁ ବନ୍ଧପାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାମାଙ୍କିତ କରାଯାଇଥିଲା। ଜଙ୍ଗଲୀ ରାସ୍ତା ଯୋଗୁଁ ହିଂସ୍ରଜନ୍ତୁଙ୍କ ଭୟ ଲାଗି ରହିଥିବା ବେଳେ ପିଲା ଏକୁଟିଆ ସ୍କୁଲ ଯିବା ସମ୍ଭବ ହୋଇନଥିଲା। କିଛିଦିନ ଅଭିଭାବକ ମାନେ ପିଲାଙ୍କୁ ନେଇ ବାଲିସରା ସ୍କୁଲ ଛାଡିବାକୁ ଯାଉଥିଲେ। ନିୟମିତ ପିଲାଙ୍କୁ ସ୍କୁଲ ନେବା ଆଉ ସମ୍ଭବ ହେଲାନାହିଁ। ଯାହା ଫଳରେ ପିଲାମାନେ ନିୟମିତ ସ୍କୁଲ ଯାଇନପାରି ଗାଁରେ ରହୁଥିବା ବେଳେ ଗାଁରେ ବିଦ୍ୟାଳୟ ସ୍ଥାପନ ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ଏନେଇ ବିଇଓ ରୁଷିଆ ମେହେରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.