ଶୋଷଣର ଶିକାର ଆଦିବାସୀ ମହୁଲ ଗୋଟାଳି
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମହୁଲଫୁଲ ମହକରେ ଏବେ ମହକୁଛି କଳାହାଣ୍ଡିର ଜଙ୍ଗଲୀ ଇଲାକା। ଆଉ ସେହି ମହୁଲ ସଂଗ୍ରହ କରି ଦି’ ପଇସା ରୋଜଗାର କରିବାକୁ ଆଶା ବାନ୍ଧିଛନ୍ତି ଲାଞ୍ଜିଗଡ଼ ଅଞ୍ଚଳର ଲୋକେ। କିନ୍ତୁ ମହୁଲରୁ ଟଙ୍କା ରୋଜଗାର ଆଶାରେ ବାଧକ ସାଜୁଛି ଦଲାଲ୍ଙ୍କ ହସ୍ତକ୍ଷେପ। ଜଙ୍ଗଲରୁ ମହୁଲ ସଂଗ୍ରହ କରି ଘରକୁ ଆଣିବା ପରେ ବିକ୍ରି ସମୟରେ ମହୁଲ ଗୋଟାଳୀ ଏହି ଦଲାଲ୍ଙ୍କ ଶୋଷଣର ଶିକାର ହେଉଥିବା ବେଳେ ଖୁବ୍ କମ୍ ଦରରେ ମହୁଲ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ପ୍ରଶାସନ ଏଦିଗରେ ଧ୍ୟାନ ଦେଉନି କି ମହୁଲ ବିକ୍ରି ପାଇଁ ସ୍ବତନ୍ତ୍ର ବଜାର ବ୍ୟବସ୍ଥା ବି କରୁନାହିଁ। ଏନେଇ ବିଡିଓ ଶଶାଙ୍କ ପାତ୍ରଙ୍କୁ ପଚାରିବାରୁ, କେକେଡିଏ ମହୁଲ କିଣିବା କଥା, କିନ୍ତୁ କାହିଁକି କିଣୁନି ବୁଝିବାକୁ ପଡ଼ିବ ବୋଲି କହିଥିଲେ। ତେବେ ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର, କମର୍ଦ୍ଧା, ଭୁର୍ଟିଗଡ଼, ପୋଖରୀବନ୍ଧ, ବେଡ଼ାଗାଁ, କୁମଖାଲ, ବନ୍ଧପାରି, କାନକୁଟୁରୁ, ବିଜେପୁର, ଲାଞ୍ଜି, ବେନଗାଁ, ଲାଞ୍ଜିଗଡ଼ରୋଡ଼, ଚମ୍ପାଦେଇପୁର, ପାହାଡ଼ପଦର, ବାତେଲିମା, ଲାଞ୍ଜିଗଡ଼, ଛତ୍ରପୁର, ଗୁଣ୍ଡାରୀ, ଲାଖବାହିଲି ଏବଂ ଗୋବର୍ଦ୍ଧନପୁର ପଞ୍ଚାୟତର ବିଭିନ୍ନ ଗାଁରେ ଏବେ ମହୁଲ ସଂଗ୍ରହ ଚାଲିଛି। ନିୟମାନୁସାରେ, ଜିଲ୍ଲା ପ୍ରଶାସନ ଓ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଏହି ଜଙ୍ଗଲ ଜାତ ଦ୍ରବ୍ୟ ଆଦିବାସୀଙ୍କଠାରୁ କିଣିବା କଥା ମାତ୍ର ଗାଁରୁ ଗାଁ ବୁଲି କିଛି ସାହୁକାର ଓ ମଦଭାଟି କର୍ମଚାରୀ ଆଦିବାସୀଙ୍କଠାରୁ ଶୁଖିଲା ମହୁଲକୁ ସଂଗ୍ରହ କରିଥାନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଆଦିବାସୀମାନେ କେତେ ଟଙ୍କାରେ ମହୁଲ ବିକିବେ ତାହା ମଧ୍ୟ ସେମାନେ ନିର୍ଦ୍ଧାରଣ କରିଥାନ୍ତି। ଚଳିତ ବର୍ଷ କେଜି ପ୍ରତି ୧୫ରୁ ୨୦ ଟଙ୍କା ଦରରେ ଆଦିବାସୀମାନେ ଏହାକୁ ବିକ୍ରି କରୁଥିବା ଜଣାପଡ଼ିଛି। ୨୦୦୨ ମସିହାରେ ଲଘୁ ବନଜାତ ଦ୍ରବ୍ୟ ଭଳି ମହୁଲଫୁଲ କ୍ଷେତ୍ରରେ ଦର ନିର୍ଦ୍ଧାରଣ ନିମନ୍ତେ ପଞ୍ଚାୟତକୁ କ୍ଷମତା ଦିଆଯାଇଥିଲା। ମହୁଲ କିଣିବାକୁ ଲାଇସେନ୍ସପ୍ରାପ୍ତ ବ୍ୟକ୍ତିଙ୍କୁ ମଧ୍ୟ ଅଧିକାର ଦିଆଯାଇଥିଲା। ହେଲେ ସାଧାରଣ ଲୋକେ ଏସମ୍ପର୍କରେ ଜାଣିପାରୁନଥିବା ବେଳେ ଠକେଇର ଶିକାର ହେଉଛନ୍ତି। ତେଣୁ ଲାଞ୍ଜିଗଡ଼ ଅଞ୍ଚଳରେ ମହୁଲଫୁଲ ବିକ୍ରି ପାଇଁ ବଜାର ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।




