ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ପତ୍ରାପାଲି(କ) ଗାଁରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗାଁର ମୁଖ୍ୟ ରାସ୍ତାରେ ଦୀର୍ଘ ଦିନ ହେବ ଡ୍ରେନେଜ୍ ସୁବିଧା ନ ଥିବାରୁ ଏବେ ସାଧାରଣ ଯାତାୟାତ ପାଇଁ ରାସ୍ତାଟି ଏକ ନର୍ଦ୍ଦମାରେ ପରିଣତ ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗାଁରେ ଉପଯୁକ୍ତ ନାଳ ନଥିବାରୁ ଲୋକେ ବ୍ୟବହାର କରୁଥିବା ପାଣି ସହ ଷ୍ଟାଣ୍ଡ ପୋଷ୍ଟର ପିଇବା ପାଣି ମଧ୍ୟ ରାସ୍ତା ଉପରକୁ ଛାଡ଼ି ଦିଆଯାଉଛି। ଫଳରେ ରାସ୍ତା ସାରା ପାଣି ଓ କାଦୁଅ ଜମି ରହୁଛି। ଏହି ଅପରିଷ୍କାର ପାଣି ଯୋଗୁଁ ଦୁର୍ଗନ୍ଧ ହେବା ସହ ମଶା ଓ ମାଛିଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି, ଯାହା ଗାଁରେ ସଂକ୍ରାମକ ରୋଗ ବ୍ୟାପିବାର ଭୟ ସୃଷ୍ଟି କରୁଛି। ଏହି ସମସ୍ୟାକୁ ନେଇ ଗାଁର ମହିଳାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପିଲାମାନେ ସ୍କୁଲ ଯିବା ଆସିବା ବେଳେ ଏହି ଅପରିଷ୍କାର ପାଣିରେ ପଡି ଯାଉଛନ୍ତି। ଗାଁରେ ତୁରନ୍ତ ଏକ ଡ୍ରେନ୍ ନିର୍ମାଣ କରି ପରିମଳ ବ୍ୟବସ୍ଥା ଠିକ କରିବା ପାଇଁ ମହିଳା ମାନେ ଦାବି କରିଛନ୍ତି । ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ସ୍ଥାୟୀ ପ୍ରତିକାର କରାଯାଉ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ମରାମତି ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି।




