ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଫତକାବାହାଲି ଗ୍ରାମରେ ଚାଲିଥିବା ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଶୁକ୍ରବାର ସକାଳୁ ପୂର୍ଣ୍ଣାହୁତି ସହ ସମାପନ ହୋଇଯାଇଛି। ଗତ ମାର୍ଚ୍ଚ ୧୦ ମଙ୍ଗଳବାର ଅଧିବାସ ଓ କଳସଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ବୁଧବାର ସକାଳୁ ଆରମ୍ଭ ହୋଇଥିଲା ଷୋହଳ ପ୍ରହର ନାମଯଜ୍ଞ। ଏହା ଗୁରୁବାର ଦିବାରାତ୍ର ଚାଲିବା ପରେ ଶୁକ୍ରବାର ପୂର୍ଣ୍ଣାହୁତି ସହ ସମାପନ ହୋଇଛି। ଫତାକାବାହାଲି ନାମଯଜ୍ଞ କମିଟିର ମୁଖ୍ୟ ଉପଦେଷ୍ଟା ପୁରନ୍ଦର ମାଝୀ, ସଭାପତି ଲିଙ୍ଗରାଜ କରୁଆଁ, ଉପସଭାପତି ବସନ୍ତ ସା, ସାଧାରଣ ସମ୍ପାଦକ ମସ୍ତରାଜ ଗହିର, ଯୁଗ୍ମ ସମ୍ପାଦକ ବୁଦ୍ଧଦେବ ମାଝୀ, କୋଷାଧ୍ୟକ୍ଷ ପରମାନନ୍ଦ ମାଝୀ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତି ଶୃଙ୍ଖଳାର ସହ ଚାଲିଥିଲା ନାମଯଜ୍ଞ। କାର୍ଯ୍ୟକ୍ରମ ପରିଚାଳନାରେ ଫତକାବାହାଲି ନାମଯଜ୍ଞ କମିଟିର ସଦସ୍ୟବୃନ୍ଦ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ। ହୃଦାନନ୍ଦ ମାଝୀ ଓ ତାଙ୍କ ଧର୍ମପତ୍ନୀ ଧରିତ୍ରୀ ମାଝୀ ନାମଯଜ୍ଞର କର୍ତ୍ତା ଥିବାବେଳେ ପୂଜକ ଭାବେ ଦୁର୍ଗାମାଧବ ତ୍ରିପାଠୀ, ଜପକ ଭାବରେ ଗୋବିନ୍ଦ ପାଢ଼ୀ ଓ ପାଚକ ଭାବେ ସଞ୍ଜୟ ମହାପାତ୍ର ଦାଇତ୍ୱ ନିର୍ବାହ କରିଥିଲେ। ଏଥିରେ ଫତକାବାହାଲି, ମିଠାପାଲି, ମସ୍କାଦାଣ୍ଡି, କଟିଙ୍ଗପଦର, ଦେଶମୁଣ୍ଡା, ବୋରିଙ୍ଗପଦର, ଲାଙ୍ଗପଡା, ମୁଖିଗୁଡ଼ା ଆଦି ଆଠଗୋଟି ଦଳ ଯୋଗ ଦେଇଥିଲେ। ନାମଯଜ୍ଞ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା।




