ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଥିବା ବେଳେ ବିଦ୍ୟାଳୟ ପରିବେଶ ଭାବପ୍ରବଣ ଉତ୍ସାହ ମୁଖର ହୋଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ମାନେ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଶୁଭେଚ୍ଛା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀ ଗୀତ, ନୃତ୍ୟ, ଅଭିଭାଷଣ ମାଧ୍ୟମରେ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ବିଦାୟ ଜଣାଇଥିବା ବେଳେ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ରେ କଟାଇଥିବା ସ୍ମୁତିମୟ ଦିନ ଗୁଡିକୁ ସ୍ମରଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମୁଖ୍ୟ ବକ୍ତା ଭାବରେ ଲଡୁ ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ, ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବରେ ରେଙ୍ଗାଲ ପାଲି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବେଦବର ନିଆଲ, ବରିଷ୍ଠ ସାମ୍ବାଦିକ ଅସରଫ ଅଲ୍ଲୀ, ଭଇଁରି ପାଲି ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ କୁଞ୍ଜବିହାରୀ ରାଉତ ପ୍ରମୁଖ ମଞ୍ଚାସୀନ ରହିଥିଲେ। ବିଦ୍ୟାଳୟ ର ସହ ଶିକ୍ଷକ ରଞ୍ଜନ ବରିହା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ରୁଚିରା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ସମସ୍ତ ଶିକ୍ଷକ ଏବଂ ପରିଚାଳନା କମିଟିର ସଭ୍ୟ ସଭ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ।




