କମର୍ସିଆଲ ଗ୍ୟାସ ସଙ୍କଟ, ହୋଟେଲ ଉପରେ ପଡ଼ୁଛି ପ୍ରଭାବ
ଓଡ଼ିଆ ବାର୍ତ୍ତା/ ବୁଗୁଡ଼ା (କୁମୁଦ ଚନ୍ଦ୍ର ବେହେରା): ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଗ୍ୟାସ ସଙ୍କଟ ଦେଖାଦେଇଛି । ବୁଗୁଡ଼ାରେ ଚାରିଦିନ ହେଲା ଘରୋଇ ଓ କମର୍ସିଆଲ ଗ୍ୟାସ ସଙ୍କଟ ଘଟିଲେଣି । ଜଳଖିଆ ଦୋକାନ, ହୋଟେଲ ଓ ବଡ଼ବଡ଼ ରେଷ୍ଟୁରାଣ୍ଟକୁ କମର୍ସିଆଲ ଗ୍ୟାସ ଚାରିଦିନ ହେଲା ଯୋଗାଣ ପାଉନାହିଁ । ଫଳରେ ଗଚ୍ଛିତ ଥିବା ଗ୍ୟାସ ବି ସରିବାକୁ ବସିଲାଣି । ଯେକୌଣସି ମୁହୂର୍ତ୍ତରେ ସରିଗଲେ ବ୍ୟବସାୟ ବନ୍ଦ ହେବାର ଆଶଙ୍କା କରାଯାଉଛି । ସେହିପରି ଘରୋଇ ଗ୍ୟାସ ବୁକିଂ ମଧ୍ୟ ସହଜରେ ହେଉନାହିଁ । ଏବେ ଗ୍ୟାସ ନେବାର ୨୫ ଦିନ ପରେ ପରବର୍ତ୍ତୀ ଗ୍ୟାସ ବୁକିଂ ନେଇ ସରକାର ବ୍ୟବସ୍ଥା କରିଛନ୍ତି । ତେବେ ଚାରିଦିନ ହେଲା ଅଧିକାଂଶ ଗ୍ରାହକ ଗ୍ୟାସ ବୁକିଂ ପାଇଁ ପ୍ରୟାସ ସତ୍ତ୍ବେ ଅନଲାଇନରେ ବୁକିଂ ହିଁ ହେଉନାହିଁ । ଯାହାକୁ ନେଇ ଲୋକେ ବେଶ ଚିନ୍ତାରେ ରହିଛନ୍ତି । ଅନ୍ୟପକ୍ଷରେ ଅଧିକ ଦାମରେ ଗ୍ୟାସର ଚୋରା ବେପାର ହେଉଥିବା ଅଭିଯୋଗ ଉଠୁଛି । ସାଧାରଣ ଘରୋଇ ଲୋକଟିଏ ଗ୍ୟାସ ପାଇବା ନିମନ୍ତେ ବୁକିଂ ପରେ ସପ୍ତାହେ ପର୍ଯ୍ୟନ୍ତ ଅପେକ୍ଷା କରୁଥିବା ବେଳେ ବର୍ତ୍ତମାନ ଗ୍ୟାସ ପ୍ରଦାନରେ ବ୍ୟାପକ ହେରାଫେରି ହେଉଛି । ଘରୋଇ ଗ୍ୟାସର ମୂଲ୍ୟ ୫୦ ଟଙ୍କା ସିଲିଣ୍ଡର ପିଛା ବୃଦ୍ଧି ପାଇବା ପରଠାରୁ ସହରରେ ଗ୍ୟାସ ଯୋଗାଣରେ ବିଳମ୍ବ ହେଉଛି । ପୂର୍ବରୁ ବୁକିଂର ୪୮ ଘଣ୍ଟା ମଧ୍ୟରେ ଗ୍ୟାସ ଆସୁଥିଲା ବେଳେ ଏବେ ଘରୋଇ ହିତାଧିକାରୀ ସହଜରେ ଗ୍ୟାସଟିଏ ପାଇପାରୁନାହାଁନ୍ତି । ଏଣୁ ବିଭାଗୀୟ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ପ୍ରତିକାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।




