୭ ବର୍ଷ ତଳେ ମାସେ ପାଇଁ ଆଲୁଅ ଦେଖିଥିଲେ ଗ୍ରାମବାସୀ
ଆରମ୍ଭରୁ ନଳକୂପ ନାହିଁ, ନାଳପାଣି ହିଁ ଭରସା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କ ଉନ୍ନତିର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେବି ଲାଞ୍ଜିଗଡ଼ ବ୍ଳକ ଅଞ୍ଚଳରେ ବିଭିନ୍ନ ଆଦିବାସୀ ଗାଁ ଲୋକଙ୍କ ପାଇଁ ଏହି ଯୋଜନା ସବୁ ବାଟବଣା ହୋଇଛି। ଅଧିକାଂଶ ଗାଁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ଟିଏ ନଥିବା ବେଳେ ସ୍ୱାସ୍ଥ୍ୟ, ଶିକ୍ଷା, ବିଜୁଳି ଓ ସୁଦ୍ଧ ପାନିୟ ଜଳ ଏମାନଙ୍କ ପାଇଁ ସାତସପନ ହୋଇ ରହିଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଲାଞ୍ଜିଗଡ଼ ବ୍ଳକ ଅଧୀନରେ ଥିବା ଏକ ଆଦିବାସୀ ଗାଁ ପିଟିଶାଳରେ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବିଜେପୁର ଗ୍ରାମ ପଞ୍ଚାୟତରୁ ୧୫ କି.ମି ଦୂରରେ ଥିବା ଆଦିବାସୀ ଗାଁ ପିଟିଶାଳ। ବ୍ଲକ ମୁଖ୍ୟାଳୟ ଠାରୁ ପ୍ରାୟ ୫୫ କିଲୋମିଟର ଦୂରରେ ଏହି ଗାଁ ରହିଥିବା ବେଳେ ଗାଁରେ ବର୍ଷ ବର୍ଷ ଧରି ସ୍ୱାସ୍ଥ୍ୟ ଶିକ୍ଷା,ସମନ୍ୱିତ ଶିଶୁବିକାଶ ସେବା, ଗମନାଗମନ, ପାନୀୟଜଳ, ବିଜୁଳି ଆଲୋକ, ଏପରି ସବୁ ଦୃଷ୍ଟିରୁ ଅବହେଳିତ ହୋଇ ରହିଥିବା ସହ ଏଭଳି ଅନେକ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି ଏହି ପିଟିଶାଳ ଗ୍ରାମବାସୀ। ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ଆସୁଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଉପହାସ କରୁଛି ଏହି ପିଟିଶାଳ ଗାଁ। ଆଜିକୁ ଦୀର୍ଘ ବର୍ଷ ଧରି ଉକ୍ତ ଗ୍ରାମରେ ୧୮ ଗୋଟି ଆଦିବାସୀ ପରିବାର ବସବାସ କରି ଆସୁଥିଲେ ମଧ୍ୟ ଗ୍ରାମର ମୁଖ୍ୟ ସମସ୍ୟା ହେଉଛି ରାସ୍ତା ଓ ପାନୀୟଜଳ। ପିଟିଶାଳ ଗ୍ରାମରେ ଗାଁ ବସତିକୁ ୧୦୦ ବର୍ଷ ବିତି ଯାଇଥିଲେ ମଧ୍ୟ ଗୋଟିଏ ନଳକୂପ ବ୍ଳକ ପ୍ରଶାସନ ପକ୍ଷରୁ ହୋଇ ପାରିଲା ନାହିଁ। ଏନେଇ ଅନେକ ଥର ପଞ୍ଚାୟତ ଓ ବ୍ଳକ ସ୍ତରରେ ଜଣାଇବା ପରେ ଗାଁ ନିକଟରେ ଏକ ସମତଳ ପାଣି ବାହାରିବା ସ୍ଥାନରେ ସରପଞ୍ଚ ପକ୍ଷରୁ ଗଭୀର ନଳକୂପ ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ବ୍ଳକ ଜଳଯୋଗାଣ ଦାଇତ୍ଵରେ ଥିବା କର୍ମଚାରୀଙ୍କ ଇଛାଶକ୍ତି ଅଭାବ ଯୋଗୁଁ କୌଣସି ସୁଫଳ ମିଳୁନାହିଁ ବୋଲି ସରପଞ୍ଚ ସମେତ ଗାଁ ଲୋକେ ପ୍ରକାଶ କରିଛନ୍ତି। ତେଣୁ ବାଧ୍ୟ ହୋଇ ଗ୍ରାମ ନିକଟସ୍ଥ ନାଳ କଡରେ ଏକ ପାଇପ ଲଗାଇ ସେହି ସ୍ଥାନର ଦୂଷିତ ପାଣିକୁ ଗାଧୋଇବା ଠାରୁ ଆରମ୍ଭ କରି ଘରୋଇ ବ୍ୟବହାରରେ ମଧ୍ୟ ପାନୀୟ ଜଳ ରୂପେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ବର୍ଷା ଦିନେ ପାହାଡ଼ିଆ ପାଣି ମିଶି ଗୋଳିଆ ହେଉଥିବା ବେଳେ ଖରାଦିନେ ପାଣି ଶୁଖିଯାଉଛି। ଏହି ନାଳରେ ବନ୍ୟଜନ୍ତୁ, ଗୃହପାଳିତ ପ୍ରାଣୀ ଚଳପ୍ରଚଳ କରୁଥିବା ସହ ଡାଳପତ୍ର ଝଡ଼ି ପଡୁଥିବାବେଳେ ସେହି ଦୂଷିତ ପାଣିକୁ ବର୍ଷ ବର୍ଷ ଧରି ପାନୀୟ ଜଳ ରୂପେ ବ୍ୟବହାର କରି ଆସୁଛନ୍ତି ଏହି ପିଟିଶାଳ ଗ୍ରାମବାସୀ। ଯାହା ଫଳରେ ଏମାନଙ୍କ ଶରୀରରେ ରୋଗ ଘରକରି ରହିବା ସହ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ଏମାନଙ୍କ ପିଛା ଛାଡୁନାହିଁ। ଗାଁରେ ଶିକ୍ଷାର ଅଭାବ ଯୋଗୁଁ ୫ କିମି ଦୂର ପାଦଚଲା ରାସ୍ତାରେ ନାଳ ପାର ହୋଇ ନିକଟସ୍ଥ ଗାଁ ବାତେର ପଡା ସ୍କୁଲକୁ ଛୋଟ ଛୋଟ ପିଲା ମାନେ ପାଠ ପଢିବା ପାଇଁ ଯାଇଥାନ୍ତି। ସ୍ୱାସ୍ଥ୍ୟ ସେବା କହିଲେ ଏମାନଙ୍କ ପାଇଁ କିଛି ନାହିଁ।ଗାଁଠାରୁ ବିଜେପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ର ୧୪ କିମି ଦୂରରେ ରହିଥିବା ବେଳେ ୬ କିମି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଯାଇଥାଏ। ଏବେ ବି ଗୁରୁତର ରୋଗୀ ଓ ଗର୍ଭବତୀଙ୍କୁ ଖଟିଆରେ ବୁହା ହୋଇ ୮ କିମି ଦୂର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାକୁ ଆଣିଥାନ୍ତି ଗ୍ରାମବାସୀ। ଗାଁକୁ ରାସ୍ତା ନଥିବା ଯୋଗୁଁ ଏମାନଙ୍କ ପାଇଁ ଆମ୍ବୁଲାନ୍ସ ସେବା ପୁରା ଠପ୍।ବିଜୁଳି ଆଲୁଅ ଏମାନଙ୍କ ପାଇଁ ସାତସପନ।ଏହି ଗ୍ରାମରେ ବିଦ୍ୟୁତ ସଂଯୋଗ ପାଇଁ ବାରମ୍ବାର ଅଭିଯୋଗ ପରେ ଆଜିକୁ ୭ ବର୍ଷ ତଳେ ବିଦ୍ୟୁତ ସଂଯୋଗ ହୋଇଥିଲା। କିନ୍ତୁ ଏକ ମାସ ବିଜୁଳି ଆଲୁଅ ଗାଁ ଲୋକେ ଦେଖିବା ପରେ କୌଣସି କାରଣରୁ ଟ୍ରାନ୍ସଫର୍ମର ପୋଡି ଗଲା। ବର୍ତ୍ତମାନ ଖୁଣ୍ଟ ପୋତା ହୋଇ ତାର ସଂଯୋଗ କରାଯାଇଛି। ଟ୍ରାନ୍ସଫର୍ମର ନଲାଗିବା ଯୋଗୁଁ ଆଜି ପର୍ଯ୍ୟନ୍ତ ୭ ବର୍ଷ ହେଲା ଅନ୍ଧାରରେ ଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ। ଏନେଇ ବିଜେପୁର ସରପଞ୍ଚ ଜନନୀ ମାଝୀଙ୍କୁ ପଚାରିବାରୁ ପଞ୍ଚାୟତ ପକ୍ଷରୁ ଗାଁର ଅସୁବିଧାକୁ ନେଇ ବ୍ଳକ ପ୍ରଶାସନ ନିକଟରେ ଦାବି କରିଛି। କିନ୍ତୁ ବିଭାଗୀୟ ଅଧିକାରୀ ମାନେ ଶୁଣୁନଥିବା ପ୍ରକାଶ କରିଛନ୍ତି। ତେଣୁ ଏହି ଗାଁର ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।




