ଓଡ଼ିଆ ବାର୍ତ୍ତା/ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଯୁବ ଲେଖକ ପ୍ରବୀଣ କୁମାର କବିଙ୍କ ପ୍ରଥମ ଇଂରାଜୀ ଉପନ୍ୟାସ ‘ଉଇ ବିକେମ୍ ଏ ପୋଏମ୍’ ଘସିପୁରା ସ୍ଥିତ ପ୍ରାଣବଲ୍ଲଭ ପବ୍ଲିକ୍ ସ୍କୁଲ୍ ପରିସରରେ ଏକ ସାହିତ୍ୟିକ ଓ ସୃଜନଶୀଳ ପରିବେଶରେ ଉନ୍ମୋଚିତ ମୋଚନ ହୋଇଯାଇଛି। ଏହି ଅବସରରେ ଅତିଥିମାନେ ଉପନ୍ୟାସର ସାହିତ୍ୟିକ ମୂଲ୍ୟ ଓ ରଚନାଶୈଳୀ ବିଷୟରେ ଆଲୋଚନା କରିଥିଲେ।
ଏଥିରେ ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ଡକ୍ଟର ପ୍ରଦୀପ କୁମାର ମହାନ୍ତି, ଅଧ୍ୟାପକ ଓ କବି ନିରଞ୍ଜନ ପତି, ପ୍ରସିଦ୍ଧ କବି ଡକ୍ଟର ଅଶୋକ ପୁହାଣ ଓ ‘ଶୁଭପଲ୍ଲବ’ ପ୍ରକାଶନର ନିର୍ଦ୍ଦେଶକ ଏବଂ ଉପନ୍ୟାସର ପ୍ରକାଶକ ସଂଗ୍ରାମ କେଶରୀ ସେନାପତି ଉପସ୍ଥିତ ରହି ଗ୍ରନ୍ଥଟିର ବିଷୟବସ୍ତୁ, କାହାଣୀର ଗଠନ ଓ ସାହିତ୍ୟିକ ମୂଲ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ଅତିଥିମାନେ ତାଙ୍କ ମତାମତରେ କହିଥିଲେ ଯେ ଉପନ୍ୟାସଟି ମାନବୀୟ ଭାବନା, ନିରବ ପ୍ରେମ ଓ ସମ୍ପର୍କର ସୂକ୍ଷ୍ମ ଜଟିଳତାକୁ ଏକ କାବ୍ୟମୟ ଓ ଅଭିବ୍ୟକ୍ତିମୟ ଶୈଳୀରେ ସୁନ୍ଦର ଭାବରେ ଲେଖକ ଉପସ୍ଥାପନ କରିଛନ୍ତି।
ପ୍ରସିଦ୍ଧ ଓଡ଼ିଆ ପ୍ରଚ୍ଛଦପଟ୍ଟ ଗାୟକ ସତ୍ୟଜିତ୍ ଜେନା ଓ ଶୁଭଶ୍ରୀ ଜେନା ବିଶେଷ ଅତିଥି ଭାବେ ଯୋଗଦେଇ ଅନ୍ୟାନ୍ୟ ଅତିଥିମାନଙ୍କ ସହ ଉପନ୍ୟାସଟିକୁ ଔପଚାରିକ ଭାବେ ଉନ୍ମୋଚନ କରିଥିଲେ।
ଏହି ଅବସରରେ ପୁସ୍ତକର ଲେଖକ ପ୍ରବୀଣ କୁମାର କବି ନିଜସ୍ୱ ଅଭିବ୍ୟକ୍ତିରେ କହିଥିଲେ ଯେ ଏହି ଉପନ୍ୟାସ ତାଙ୍କ ଦୀର୍ଘଦିନର ଭାବନା, ଅନୁଭବ ଓ ନିରବ ସଂଘର୍ଷର ଫଳଶ୍ରୁତି। ପ୍ରେମ, ଦୂରତ୍ୱ ଓ ମାନବ ସମ୍ପର୍କର ସୂକ୍ଷ୍ମ ଅନୁଭୂତିକୁ ଉପସ୍ଥାପନ କରି ପାଠକମାନଙ୍କ ହୃଦୟକୁ ସ୍ପର୍ଶ କରିବା ହେଉଛି ଏହି କାହାଣୀ ଲେଖିବାର ପ୍ରୟାସ ବୋଲି ସେ କହିଥିଲେ।
ଅଧ୍ୟାପିକା ପ୍ରିୟଙ୍କା କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିବା ବେଳେ ବରିଷ୍ଠ ଅଧ୍ୟାପିକା ସବିତା ରାଣୀ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ଲେଖକ ଉପସ୍ଥିତ ସମସ୍ତ ଶିକ୍ଷକ, ସାହିତ୍ୟିକ ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିବାରେ କୃତଜ୍ଞତା ପ୍ରକାଶ କରିଥିଲେ ଆୟୋଜକ।




