ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତି): ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଧରପଗଡ଼ ଗ୍ରାମପଞ୍ଚାୟତର ପେଣ୍ଡରାମାଲ ଗ୍ରାମରେ ଦୁଇଟି ବିଦ୍ୟୁତ ଟ୍ରାନ୍ସଫରମର ଗାଁ ରାସ୍ତା ପାଖରେ ମୁକୁଳା ଓ ବିପଦଜନକ ଅବସ୍ଥାରେ ପଡ଼ି ରହିଥିବା ଦେଖାଯାଇଛି। ଦୀର୍ଘଦିନ ଧରି ଏହି ଟ୍ରାନ୍ସଫରମର ଗୁଡ଼ିକ ସୁରକ୍ଷା ବ୍ୟବସ୍ଥା ବିନା ଏଭଳି ଅବସ୍ଥାରେ ରହିଥିବାରୁ ଗ୍ରାମବାସୀମାନଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ଗାଁର ମୁଖ୍ୟ ରାସ୍ତା ହେବାରୁ ପ୍ରତିଦିନ ଏହି ରାସ୍ତା ଦେଇ ଅନେକ ଲୋକ, ଛାତ୍ରଛାତ୍ରୀ ଓ ଯାନବାହନ ଯାଆସୁଥାନ୍ତି। ଏପରି ସ୍ଥିତିରେ ରାସ୍ତା ପାଖରେ ମୁକୁଳା ଭାବେ ଟ୍ରାନ୍ସଫରମର ପଡ଼ି ରହିବାରୁ ଯେକୋଣସି ସମୟରେ ବଡ଼ ଦୁର୍ଘଟଣା ଘଟିପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଗ୍ରାମବାସୀମାନେ ଏହି ସମସ୍ୟା ପ୍ରତି ଶୀଘ୍ର ଦୃଷ୍ଟି ଦେଇ ଟ୍ରାନ୍ସଫରମରଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହିତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ବିଦ୍ୟୁତ ବିଭାଗ ଓ ପ୍ରଶାସନଙ୍କୁ ଦାବି କରିଛନ୍ତି। ଯଦି ଶୀଘ୍ର ପଦକ୍ଷେପ ନ ନିଆଯାଏ, ତେବେ ଆଗାମୀଦିନରେ ବଡ଼ ଅପ୍ରୀତିକର ଘଟଣା ଘଟିପାରେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।




