ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଆତ୍ମିକ ଭାବ ଶବ୍ଦ ରୂପ ନେଲେ କବିତା ସାଜେ। କବିତା ଜୀବନକୁ ମାଜେ। କବିତା ଯୁଗ ପାଇଁ ମୁଖବନ୍ଧ ପାଲଟେ।କବିତାର ସ୍ୱର ‘ବସୁଧୈବ କୁଟୁମ୍ବକମ’, କବିତାର ଛନ୍ଦ ‘ସତ୍ୟମେବ ଜୟତେ’ ଏବଂ କବିତାର ଭାଷା ‘ଧର୍ମର ହେଉ ଜୟ’ ବୋଲି ସ୍ତରୀୟ ‘ବିଶ୍ଵ କାବ୍ୟ ଦିବସ ‘ପାଳନ ଅବସରରେ କଵିଗଣ ମତ ଦେଇଥିଲେ।
ଭବାନୀପାଟଣାସ୍ଥ ସ୍ୱାମୀ ଶିବାନନ୍ଦ ବାଳ ବିକାଶ କେନ୍ଦ୍ର ପରିସରରେ ସର୍ବଶ୍ରୀ ସଵାଖିଆ ସାହିତ୍ୟ ସଂସଦର ଧାରାବାହିକ ୨୩୦ସଂଖ୍ୟକ ଏଇ ସାହିତ୍ୟ ଆସରରେ କଵି ବ୍ରହ୍ମାନନ୍ଦ ସାମଲ ପୌରୋହିତ୍ୟ କରିଥିବାବେଳେ କଵି ସକିତ ରତେ ଅତିଥି ବକ୍ତା ଭାବେ ମଂଚାସୀନ ହୋଇଥିଲେ।
ପ୍ରାରମ୍ଭରେ ବାଲ୍ମୀକିଙ୍କ ବିଶ୍ଵର ପ୍ରଥମ କବିତା ‘ମା ନିଷାଦପ୍ରତିଷ୍ଠାତ୍ୱମଗମଶାଶ୍ଵତୀ ସମାଯତକ୍ରୋଞ୍ଚ…..’କୁ ପୂଜନ କରାଯାଇଥିଲା। ସଂସଦ ସମ୍ପାଦକ ବିରଞ୍ଚି ନାରାୟଣ ମୁଣ୍ଡ ‘କାବ୍ୟ, କଵି ଓ କାବ୍ୟ ଦିବସ’ ଶୀର୍ଷକ ଉପରେ ଆଲୋଚନା କରିଥିଲେ।
ଯୁବକବି ପ୍ରତାପ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କଵି ଯୁଧିଷ୍ଠିର ମୁଦୁଲିଙ୍କ କାବ୍ୟିକ ସଂଯୋଜନାରେ କବି ସଂଘମିତ୍ରା କାନୁନଗୋ,କଳ୍ପନା ରଥ,ଅଶୋକ କୁମାର ଖମାରୀ,ସ୍ବର୍ଣ୍ଣକାନ୍ତି ବୈକାର,ସବିତା ଶତପଥୀ,ସାଗର ବୈଠାରୁ, ଆନନ୍ଦିନୀ ପାତ୍ର,ସୁଶାନ୍ତ ଦାସ,ଦୀପ୍ତି ମୁଣ୍ଡ,,ପ୍ରତାପ ପଣ୍ଡା,ଶ୍ୟାମଘନ ସାହୁ, ଦୀପ୍ତିରାଣୀ ସିଂହ, ନିକିତା ସାହୁ,କିଶୋର ମହାନନ୍ଦ,ରମେଶ ସେନାପତି,ଆଶୁଧନ ପୁରୋହିତ, ସୁଜାତା ପଟ୍ଟନାୟକ, ତିଳକରାମ ନିଆଲ ପ୍ରମୁଖ ସ୍ୱରଚିତ କବିତାବୃତ୍ତି କରିଥିଲେ।

ଯୁବପ୍ରତିଭା ପ୍ରତାପ ଚନ୍ଦ୍ର ପଣ୍ଡା ବନ୍ଦେ ମାତରମ୍ ଗାନ କରିଥିବାବେଳେ ସଂସଦ ସହ ସମ୍ପାଦକ ସ୍ବର୍ଣ୍ଣକାନ୍ତି ବୈକାର ଧନ୍ୟବାଦ ଅର୍ପଣ କରିଥିଲେ।





