ପିଏନବି ତରଫରୁ ରେଆରକୁ ପ୍ରଦାନ କରାଗଲା ପାନୀୟ ଜଳ ବିଶୋଧକ
ଓଡ଼ିଆ ବାର୍ତ୍ତା/ ସୋନପୁର: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ତରଫରୁ ସୁବର୍ଣ୍ଣପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରେଆରକୁ ସିଏସଆର ଉଦ୍ୟମ ଅନ୍ତର୍ଗତ କାଯ୍ୟକ୍ରମରେ ଦୁଇଟି ପାନୀୟ ଜଳ ବିଶୋଧକ ପ୍ରଦାନ କରାଯାଇଛି । ଏଥିରୁ ଗୋଟିଏ ଉଭୟ ଥଣ୍ଡା ଓ ଗରମ ଜଳ ପ୍ରଦାନ ପାଇଁ ପ୍ରଜୁଜ୍ୟ । ପିଏନବି ସମ୍ବଲପୁର ମଣ୍ଡଳ ପ୍ରମୁଖ ଅଜିତ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରେଆରକୁ ଏହି ପାନୀୟ ଜଳ ବିଶୋଧକ ପ୍ରଦାନ କରିଥିବା ବେଳେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ତା’ର ସାମାଜିକ ଦାୟିତ୍ଵ ତୁଲାଇବାରେ ପ୍ରତିଶୃତିବଦ୍ଧ ବୋଲି ଉଲ୍ଲେଖ କରିଥିଲେ । ଅନ୍ୟତମ ଅତିଥି ଭାବେ ଯୋଗଦେଇ ନାଟ୍ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ନାଟ ଚ୍ୟାରିଟିର ସ୍ଥାୟୀ ସଦସ୍ୟ ଅଭିନେତା ପ୍ରଦ୍ୟୁମ୍ନ କୁମାର ସାହୁ ପିଏନବିର ଏହି ପ୍ରୟାସକୁ ପ୍ରଶଂସା କରିବା ସହ ଅନ୍ୟ ବ୍ୟାଙ୍କ ଗୁଡ଼ିକ ମଧ୍ୟ ନିଜ କାର୍ଯ୍ୟ ପରିସରରେ ଏମିତି ପ୍ରୟାସ କରିବା ଉଚିତ ବୋଲି ଉଲ୍ଲେଖ କରିଥିଲେ । ପିଏନବି ସୋନପୁର ଶାଖା ପରିଚାଳକ ଶ୍ୟାମ କୁମାର ମହାଲିଙ୍ଗ ସେବାର ସୁଯୋଗ ଦେଇ ଥିବାରୁ ଧନ୍ୟବାଦ ଜ୍ଞାପନ କରିବା ସହ ଆଗକୁ ଏହି ପ୍ରୟାସ ଜାରୀ ରଖିବାକୁ ଉଦ୍ୟମ କରିବେ ବୋଲି କହିଥିଲେ । ନାଟର ସଦସ୍ୟା ସବିତା ସାହୁ ଏବଂ ଦେବପ୍ରଭା ମେହେର ଅତିଥି ଭାବେ ମଂଚ଼ାସୀନ ଥିଲେ । ରେଆରର ଉପସଭାପତି ପଦ୍ମିନୀ ବକ୍ସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାକୁ ସଂପାଦକ ଅନଙ୍ଗ ନେଗୀ ପରିଚାଳନା କରିଥିବା ବେଳେ ପ୍ରତିଷ୍ଠାତା ସଭ୍ୟ ଅମ୍ବୁଜ ବିହାରୀ ଶତପଥୀ ସ୍ୱାଗତ କରିଥିଲେ ଏବଂ ବୋର୍ଡ ସଭ୍ୟା ହରପ୍ରିୟା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନନୀ ଗୋପାଳ ପାତ୍ର, ଲିଙ୍କନ କୁମାର ସାହୁ, ଏବଂ ରେଆରର ଅଞ୍ଜଳି ନେଗୀଙ୍କ ସହ ଅନ୍ୟ ସ୍ଵେଛାସେବୀମାନେ ଉପସ୍ଥିତ ଥିଲେ ।





