ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର ମୁହାଣର ଫିସାରୀ ପଡିଆରେ ଦୁବଲାଗଡିର ଅମର ଯବାନ ଯୁବ ସଂଗଠନର ନବମ ବାର୍ଷିକ ଉତ୍ସବ ପାଳିତ ହେବା ସହିତ କସାଫଳ ସାମୁଦ୍ରିକ ଥାନା ସହଯୋଗରେ ରକ୍ତଦାନ ଶିବିର ଓ ଶହୀଦ ଦିବସ ପାଳିତ ହୋଇ ଯାଇଛି। ଏହି ରକ୍ତଦାନ ଶିବିରକୁ ସାମୁଦ୍ରିକ ଥାନାର ଆଇଆଇସି ରଶ୍ମିରେଖା ମହାଳିକ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଏଥିରୁ ୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଶହୀଦ ଦିବସ ଅବସରରେ ସନ୍ଧ୍ୟାରେ ଅନୁଷ୍ଠିତ ସଭାକାର୍ଯ୍ୟ ଗୟା ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ସଂଗଠନର ସଭାପତି ଭକ୍ତ ଚରଣ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ସୁବେଦାର ମେଜର କମଳ ଲୋଚନ ଜେନା ଯୋଗ ଦେଇ ଅମର ଶହୀଦମାନଙ୍କ ଅମର ଗାଥା ଶୁଣାଇଥିବା ବେଳେ ମୁଖ୍ୟ ବକ୍ତା କାବ୍ୟଶିଳ୍ପୀ ସର୍ବେଶ୍ୱର ଦାସ ଶହୀଦ ମାନଙ୍କ ଇତିହାସ ବିଷୟରେ କହିଥିଲେ। ଅନ୍ୟତମ ଅତିଥି ଭାବେ କସାଫଳ ସାମୁଦ୍ରିକ ଥାନା ଆଇଆଇସି ରଶ୍ମିରେଖା ମହାଳିକ, ବ୍ରଜମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମାନସ କୁମାର ମାଇତି, ଶିଳ୍ପୀ କେଶୁ ଦାସ ଓ ସ୍ଥାନୀୟ ସରପଞ୍ଚ ପ୍ରବୀର କୁମାର ସାହୁ ଯୋଗଦେଇ ଶହୀଦଙ୍କ ସ୍ମୃତି ଚାରଣ କରିଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ନୃତ୍ୟ ଓ ଗୀତର ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା। ସ୍ଥାନୀୟ ସ୍କୁଲ ଓ କଲେଜ ସ୍ତରରେ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଉତ୍ସାହିତ କରାଯାଇ ଥିଲା। ବିଶିଷ୍ଟ ଫୋଟ ସଂଗ୍ରାହକ କାବ୍ୟଶିଳ୍ପୀ ସର୍ବେଶ୍ୱର ଦାସ ୫୦୦ରୁ ଊର୍ଦ୍ଧ୍ୱ ଶହୀଦମାନଙ୍କ ଫୋଟ ପ୍ରଦର୍ଶନୀ କରି ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ । ବାଲେଶ୍ୱରର ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦେଶକ ଅମରେଶ ପାତ୍ରଙ୍କୁ କଳାକାର ସମ୍ମାନରେ ସମ୍ମାନିତ କରାଯାଇଥିଲା। ବିଶେଷ କାର୍ଯ୍ୟକ୍ରମ ଭାବରେ ଲତା ମଙ୍ଗେସକରଙ୍କ ସ୍ମୃତି ଉଦ୍ୟେଶରେ ତାଙ୍କ ସଂଗୀତ ଆଧାରିତ ସଂଗୀତ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଶେଷରେ ସଂଗଠନର ସହ ସମ୍ପାଦକ ଗୌର ଗୋପାଳ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ଦେଶାତ୍ମବୋଧକ ନୃତ୍ୟ ଗୀତର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଂଗଠନର କର୍ମକାର୍ତ୍ତ ସଞ୍ଜୀବ ମଣ୍ଡଳ, ରାମକୃଷ୍ଣ ବେରା, ରାଜେଶ ସାହୁ, କୃଷ୍ଣ ଗୋପାଳ ସାହୁ ରଘୁନାଥ ସାହୁ, ଅଜୟ ଜେନା, ମନରଞ୍ଜନ ବେରା, ସୁଶାନ୍ତ ସାହୁ, ନନ୍ଦ ଦୁଲାଳ ପାତ୍ର, ମହେଶ୍ୱର ମାନ୍ନା, ସହଦେଵ ଜେନା,ବିଜୟ ବେରା ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିଲେ।





