ନବଦୁର୍ଗାଙ୍କ ଅଷ୍ଟମ ସ୍ୱରୂପ ଦେବୀ ‘ମହାଗୌରୀ’

ନବରାତ୍ରରେ ମା’ ମହାଗୌରୀଙ୍କୁ ପୂଜା କରିବା ଦ୍ୱାରା ପାପରୁ ମୁକ୍ତି ମିଳେ ଏବଂ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ କରାଯାଏ। ଦେବୀ ମହାଗୌରୀ ହେଉଛନ୍ତି ନବଦୁର୍ଗାଙ୍କ ଅଷ୍ଟମ ସ୍ୱରୂପ, ଯାହାଙ୍କୁ ନବରାତ୍ରିର ଅଷ୍ଟମୀ ତିଥିରେ ପୂଜା କରାଯାଏ। ତାଙ୍କ ବାହନ ବୃଷଭ ଏବଂ ସେ ଚାରିଭୁଜା ଧାରଣ କରିଥାନ୍ତି। ମାତାଙ୍କ ସ୍ୱରୂପ ଅତ୍ୟନ୍ତ ଶାନ୍ତ, ସ୍ୱଚ୍ଛ ଏବଂ ଗୌରବର୍ଣ୍ଣା। ପୌରାଣିକ ଆଖ୍ୟାନ ଅନୁସାରେ  ଭଗବାନ ଶିବଙ୍କୁ ପାଇବା ପାଇଁ ମାତା ପାର୍ବତୀ ଘୋର ତପସ୍ୟା କରିବା ପରେ ତାଙ୍କ ଶରୀର କଳା ପଡିଯାଇଥିଲା, ପରେ ଶିବ ତାଙ୍କୁ ଗଙ୍ଗାଜଳରେ ସ୍ନାନ କରାଇବାରୁ ସେ ଅତ୍ୟନ୍ତ ଗୌରବର୍ଣ୍ଣା (ଧଳା) ହୋଇଥିଲେ। ଦେବଦେବ ମହାଦେବ ତାଙ୍କୁ ‘ମହାଗୌରୀ’ ନାମରେ ନାମିତ କରିଥିଲେ। ଦେବୀ ଶୂଳ, ଡମ୍ବରୁ ଧାରଣ କରିଥାନ୍ତି ଏବଂ ତାଙ୍କର ଅନ୍ୟ ଦୁଇଟି ହାତ ଅଭୟ ଓ ବରଦ ମୁଦ୍ରାରେ ଥାଏ। ‘ମହାଗୌରୀ’ ନବରାତ୍ରିର ଅଷ୍ଟମ ଦିନର ଉପାସ୍ୟା ଦେବୀ। ତାଙ୍କର ଶକ୍ତି ଅମୋଘ ଓ ଫଳପ୍ରଦ। ତାଙ୍କର ଉପାସନା ଭକ୍ତ ଓ ସାଧକଙ୍କର ସକଳ କଳୁଷ ନାଶ କରେ। ଭବିଷ୍ୟତରେ ମଧ୍ୟ ଭକ୍ତ ଓ ସାଧକଙ୍କର କୌଣସି ପାପ, ସନ୍ତାପ, ଦୁଃଖ, ଦୈନ୍ୟ ରହେନାହିଁ। ସେ ସର୍ବତୋଭାବେ ପବିତ୍ର ଓ ଅକ୍ଷୟ ପୁଣ୍ୟର ଅଧିକାରୀ ହୁଅନ୍ତି। ଦେବୀଙ୍କର କୃପା ଫଳରେ ‌ଅଲୌକିକ ସିଦ୍ଧି ଲାଭ ହୁଏ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.