ନବରାତ୍ରରେ ଦେବୀ ଦୁର୍ଗାଙ୍କ ନବରୂପ ହେଉଛନ୍ତି ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ ଓ ସିଦ୍ଧିଦାତ୍ରୀ। ଏହି ନଅରୂପ ହେଉଛନ୍ତି- ‘ନବଦୁର୍ଗା’। ‘ସିଦ୍ଧିଦାତ୍ରୀ’ ମା’ ଦୁର୍ଗାଙ୍କର ନବମ ଶକ୍ତି। ‘ମାର୍କଣ୍ଡେୟ ପୁରାଣ’ରେ ଯେଉଁ ‘ଅଷ୍ଟସିଦ୍ଧି’ର ବର୍ଣ୍ଣନା ଅଛି, ତାହା ହେଉଛି- ଅଣିମା, ମହିମା, ଗରିମା, ଲଘିମା, ପ୍ରାପ୍ତି, ପ୍ରକାମ୍ୟ, ଈଶିତ୍ବ ଓ ବଶିତ୍ବ। ତେବେ ‘ବ୍ରହ୍ମବୈବର୍ତ୍ତ ପୁରାଣ’ରେ ଏହି ସିଦ୍ଧିର ସଂଖ୍ୟା ୧୮ ବୋଲି ବର୍ଣ୍ଣିତ ଅଛି। ଏହି ସକଳ ସିଦ୍ଧିର ଅଧିକର୍ତ୍ତ୍ରୀ ଓ ଦାତ୍ରୀ, ଦେବୀ ‘ସିଦ୍ଧିଦାତ୍ରୀ’।
‘ଦେବୀପୁରାଣ’ ଅନୁସାରେ, ଭଗବାନ ଶିବ ଏହାଙ୍କର କୃପାରେ ହିଁ ସକଳ ସିଦ୍ଧିପ୍ରାପ୍ତ ହୁଅନ୍ତି। ଦେବୀଙ୍କର ଅନୁକମ୍ପା ଫଳରେ ଶିବଙ୍କର ଅର୍ଦ୍ଧାଙ୍ଗ ଦେବୀଙ୍କର ହୋଇଥିଲା ଏବଂ ଶିବ ‘ଅର୍ଦ୍ଧନାରୀଶ୍ବର’ ଭାବରେ ପ୍ରସିଦ୍ଧ ହୋଇଥିଲେ। ଏହି ଦେବୀ ‘ନବରାତ୍ରି’ର ନବମ ତଥା ଶେଷଦିନର ଉପାସ୍ୟା। ସେ ଉଭୟ ସିଂହବାହନା ଓ ପଦ୍ମାସନା ରୂପରେ ପରିଲକ୍ଷିତ ହୁଅନ୍ତି। ଏହି ଦେବୀ ଚତୁର୍ଭୁଜା। ତାଙ୍କର ଦକ୍ଷିଣ ଦୁଇ ହସ୍ତରେ ଚକ୍ର ଓ ଗଦା ଏବଂ ବାମ ଦୁଇ ହସ୍ତରେ ଶଙ୍ଖ ଓ ପଦ୍ମ ଶୋଭାପାଏ। ତାହାଙ୍କର ପୂଜା କଲେ ଭକ୍ତ ଓ ସାଧକ ସିଦ୍ଧିର ଅଧିକାରୀ ହୁଅନ୍ତି। ସଂସାରର କିଛି ବି ତାଙ୍କପାଇଁ ଅଗମ୍ୟ ହୋଇ ରହେନାହିଁ। ସେ ବ୍ରହ୍ମାଣ୍ଡ ବିଜୟର କ୍ଷମତାଲାଭ କରନ୍ତି।





